ଭୁବନେଶ୍ୱର: ଇଂଲିଶ୍ ବିଧାୟକ ପ୍ରକାଶ ସେଠୀଙ୍କ ଇଂରାଜୀ ଗାଳିକୁ ନେଇ ରେଭେନସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଅଶାନ୍ତ ହୋଇପଡ଼ିଛି । ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ଦାବି କରିଛନ୍ତି । ଏହାକୁ ଛାତ୍ର ସଂଘ ସମର୍ଥନ କରି ଆଗକୁ ବାହାରିଲାଣି । ସେପଟେ ଇଂଲିଶ୍ ବିଧାୟକ ତାଙ୍କ ଜିଦ୍ ରେ ଅଟଳ । ଜଣେ ଲେଜିସିଲେଟର୍(ବିଧାୟକ)ଙ୍କୁ ଜଣେ ସରକାରୀ କର୍ମଚାରୀ କିଭଳି ବ୍ୟବହାର କରିବା କଥା ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ର ଶିଖିନାହାନ୍ତି । ତାଙ୍କ ସହ ଅନାବଶ୍ୟକ ଯୁକ୍ତି କରିଛନ୍ତି । ଏଠି ରାଜନୀତି ଚଳିବ ନାହିଁ । ସବୁ ୱାର୍ଡେନ୍ ଇସ୍ତଫା ଦେଇ ପଳାନ୍ତୁ । କୌଣସି ସମସ୍ୟା ନାହିଁ । ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ଆଜି କୁଳାଧିପତିଙ୍କୁ ଭେଟି ସବୁକଥା ଜଣାଇବେ । କାହାରିକୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ଗଣମାଧ୍ୟମକୁ ବୟାନ ଦେଇଛନ୍ତି ଇଂଲିଶ୍ ବିଧାୟକ ଶ୍ରୀ ସେଠୀ ।
ପୂର୍ବରୁ ବିଭିନ୍ନ ଘଟଣାରେ ରାଜନଗର, ଟାଙ୍ଗୀ-ଚୌଦ୍ୱାର ଏବଂ ମହାକାଳପଡ଼ା ବ୍ଲକ୍ ରେ ଶାସକ ଦଳର ନେତା ଓ କୁଜି କର୍ମୀଙ୍କ ହଙ୍ଗାମା, ଦାଦାଗିରି ଦେଖିବାକୁ ମିଳିଥିଲା । ମାତ୍ର ରେଭେନସା ଭଳି ରାଜ୍ୟର ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ ମାମଲାରେ ଜବରଦସ୍ତ ମୁଣ୍ଡ ପୂରାଇ ଶାସକ ଦଳର ଜଣେ ବିଧାୟକ ମାମଲତିକାର ଦେଖାଇବା ଏବଂ କୁଳପତିଙ୍କ ଉପସ୍ଥିତିରେ ଚିଫ୍ ୱାର୍ଡେନଙ୍କୁ ନନସେନ୍ସ, ଇଡିଅଟ୍ କହି ଗାଳିଦେବା କ୍ଷମତା ଅହଙ୍କାରର ସୀମା ପାର୍ କରିଛି ।
ରେଭେନସା ବିଶ୍ୱବିଦ୍ୟାଳୟର ପବିତ୍ର ବାତାବରଣକୁ ଏହା ଅପବିତ୍ର କରି ଶିକ୍ଷକ ଓ ଛାତ୍ର ସମାଜରେ ଅସନ୍ତୋଷର ନିଆଁ ଲଗାଇଥିଲା ବେଳେ ରାଜ୍ୟ ସରକାରଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମାମଲାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ୍ ସୂର୍ଯ୍ୟବଂଶୀଙ୍କର ଦେଖା ନାହିଁ । ଦଳର ଜଣେ ବିଧାୟକଙ୍କ ବିଶୃଙ୍ଖଳିତ ଆଚାର ବ୍ୟବହାର ଏବଂ ତଦଜନିତ ପରିସ୍ଥିତିକୁ ନେଇ ତାଙ୍କର ସତେ ଯେମିତି ଆଦୌ ଚିନ୍ତା ନାହିଁ । ଚିନ୍ତା କରିଥିଲେ ସମାଧାନର ରାସ୍ତା ବାହାରି ସାରନ୍ତାଣି ।
ସୂଚନାଥାଉକି, ଇଷ୍ଟ ହଷ୍ଟେଲ ପିଲାମାନେ ହଷ୍ଟେଲର ଡେପୁଟି ୱାର୍ଡେନଙ୍କ ବଦଳି ଦାବିରେ ଅନଶନରେ ବସିଥିଲେ । ସେମାନଙ୍କ ଦାବି ଉପରେ ଆଲୋଚନା ପାଇଁ ରବିବାର ରାତିରେ କୁଳପତି, ଚିଫ୍ ୱାର୍ଡେନ୍ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନେଇ ଏକ ବୈଠକ ବସିଥିଲା । ସଦର ବିଧାୟକ ପ୍ରକାଶ ସେଠୀ ବୈଠକକୁ ବିନା ନିମନ୍ତ୍ରଣରେ ଆସିଥିବା ଅଭିଯୋଗ ହୋଇଛି ।
ଆଲୋଚନା ବେଳେ ଶ୍ରୀ ସେଠୀ ଚିଫ୍ ୱାର୍ଡେନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ନନସେନ୍ସ, ଇଡିଅଟ୍ କହି ଗାଳିଗୁଲଜ କରିଥିଲେ । ଜଣେ ଜନ ପ୍ରତିନିଧିଙ୍କ ଏଭଳି ଆଚରଣ ଓ ବ୍ୟବହାର ସମସ୍ତଙ୍କୁ କ୍ଷୁବ୍ଧ କରିଥିଲା । ଏହାକୁ ବିରୋଧ କରି ୨୦ ଜଣ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ସମୂହ ଇସ୍ତଫା ଦେଇଛନ୍ତି । ଆଜି ୧୧ଟା ବେଳେ କୁଳପତି ସେମାନଙ୍କ ସହ ଆଲୋଚନା କରିବା ପାଇଁ ବୈଠକ ଡାକିଛନ୍ତି ।