ଭୁବନେଶ୍ୱର: Anybody in Ravenshaw, is somebody in Odisha. ରେଭେନ୍ସା ବିଶ୍ଵବିଦ୍ୟାଳୟର ଯେକୌଣସି ଛାତ୍ର ଛାତ୍ରୀ ଓଡ଼ିଶାର କୌଣସି ନା କୌଣସି କୋଣରେ ଛୋଟ ହେଲେ ମଧ୍ୟ ପ୍ରସିଦ୍ଧ ମଣିଷଟେ ହୋଇପାରନ୍ତି । ରାଜ୍ୟର ଐତିହ୍ୟ ଅନୁଷ୍ଠାନ ରେଭେନ୍ସାକୁ ନେଇ ଏହି ବାକ୍ୟ – ଗତକାଲି, ଆଜି ଓ ଆସନ୍ତାକାଲି ସବୁଦିନେ ଲୋକଙ୍କ ମନରେ ରହିଛି ଓ ରହିବ । ତେବେ ରେଭେନ୍ସାର ଅନ୍ୟ ଏକ ଉପାଦାନ ହେଉଛି ଏଠାକାର ମୁକ୍ତ ଓ ଖୋଲା ଚିନ୍ତନର ବାତାବରଣ । ପ୍ରତିଟି ଦୃଷ୍ଟିଭଙ୍ଗୀକୁ ଗୁରୁତ୍ୱ ଦିଆଯାଏ ଏବଂ ଦରକାର ପଡ଼ିଲେ ସମାଲୋଚନା ମଧ୍ୟ କରାଯାଏ ।
୧୮୬୬ ମସିହାରୁ ଆରମ୍ଭ ଦିନରୁ ରେଭେନ୍ସାର ଏହି ମୁକ୍ତ ଓ ଉଦାର ପ୍ରକୃତି ବୋଧହୁଏ କ୍ଷମତାସୀନଙ୍କ ଦେହରେ ଯାଉନାହିଁ। ଏହି କାରଣରୁ ରେଭେନ୍ସାକୁ ନେଇ ଏତେ ବିବାଦ, ବାଦୀପାଲା ଓ ରାଜନୀତି ଆରମ୍ଭ ହୋଇଛି।
ଏବେ କଟକ ସଦର ବିଧାୟକ(ଇଂଲିଶ୍) ପ୍ରକାଶ ସେଠୀ, ରେଭେନ୍ସାର ଜଣେ ପ୍ରଫେସରଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ପରେ ବିବାଦ ବଢ଼ିଛି । କଥା କଥାରେ ଭୁଲ୍ ଇଂରାଜୀ କହି ଲୋକହସା ହେଉଥିବା ପ୍ରକାଶ ସେଠୀ ରେଭେନ୍ସାକୁ ରାଜନୈତିକ ଚରାଭୂଇଁ କରିବା ପାଇଁ ଚାଲ୍ ଖେଳିଛନ୍ତି । ସିନେଟ୍ ମେମ୍ବର ଭାବେ ଛାତ୍ରଙ୍କ ଆନ୍ଦୋଳନକୁ ସିଏ ଯାଇଥିଲେ ବୋଲି ସଫେଇ ଦେଇଛନ୍ତି । ସିନେଟ୍ ତ ଏକ ଉପଦେଷ୍ଟା କମିଟି । ସେଥିରେ ପୁଣି ଅନେକ ବିଭାଗର ମୁଖ୍ୟ ସଦସ୍ୟ ଥାଆନ୍ତି । ଏହାର ଅର୍ଥ ନୁହେଁ ଯେ ହଷ୍ଟେଲ ଛାତ୍ର ଅଶାନ୍ତିରେ ବିଧାୟକ ଯାଇ ଦବଙ୍ଗଗିରି ଦେଖାଇବେ । ଅନ୍ୟ କେହି ସିନେଟ୍ ସଦସ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ଏପରି କରିବାର ଉଦାହରଣ ନାହିଁ ବୋଲି କହିଲେ ଚଳିବ। ଅନ୍ୟପକ୍ଷରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଶିକ୍ଷକ ସଂଘର ଜଣେ କର୍ମକର୍ତ୍ତାଙ୍କ କହିବା ମୁତାବକ, ରେଭେନ୍ସାର ସିନେଟ୍ ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ଯେତେବେଳେ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ, ବିଧାୟକ ସଦସ୍ୟ ହେଲେ କେମିତି? ଏବଂ ଜଣେ ଉପଦେଷ୍ଟା କମିଟିର ସଦସ୍ୟ ରାଜନୀତି କାହିଁକି କଲେ ?? ତାହା ପୁଣି ଏମିତି ଅଚାନକ !!
ଏହାପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର ଏବଂ ଭୟଙ୍କର ରାଜନୀତି ରହିଛି ବୋଲି ଚର୍ଚ୍ଚା ବଢ଼ୁଛି । ଆଗରୁ କେନ୍ଦ୍ରରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ନାଁ ବଦଳେଇବା ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ । ଯାହାକୁ ନେଇ ସାରା ଓଡ଼ିଶା ତାତି ଥିଲା ଏବଂ ଧର୍ମେନ୍ଦ୍ରଙ୍କ ବିରୋଧରେ ଯୁଦ୍ଧଂ ଦେହିର ଡାକରା ଦେଇଥିଲା । ଏକ ଅସରନ୍ତି ଆବେଗର ନାଁ ରେଭେନ୍ସା । ଧର୍ମେନ୍ଦ୍ର ପ୍ରଧାନ ଏହି ଆବେଗ ସହ ଖେଳିଥିଲେ ଏବଂ ସାରା ଓଡ଼ିଶାରେ ତୀବ୍ର ବିରୋଧର ସାମନା କରିଥିଲେ । ରେଭେନ୍ସାର ମୁକ୍ତ ଚିନ୍ତାଧାରାର ବାତାବରଣକୁ ନଷ୍ଟ କରିବାର ମୂଳଦୁଆ ସେଇଠୁ ପଡ଼ିଥିଲା, ଯେବେ ବିନା କାରଣରେ କେବଳ ନାଁ କୁ ନେଇ ରେଭେନ୍ସାକୁ ବିବାଦ ମଧ୍ୟକୁ ଟାଣି ନିଆଯାଇଥିଲା ।
ଗତବର୍ଷ ରେଭେନ୍ସାରେ ଝାଡ଼ାବାନ୍ତି ବ୍ୟାପିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଡାକ୍ତରଖାନା ପରିଦର୍ଶନରେ ଯାଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଭେଟିଥିଲେ । ଯାହା ନିଶ୍ଚୟ ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ବାଣୀବିହାରରେ, ଫକୀରମୋହନ ବିଶ୍ଵବିଦ୍ୟାଳୟରେ ରାଜ୍ୟର ଅନେକ ନାମକରା ଶିକ୍ଷାନୁଷ୍ଠାନରେ ଉତ୍କଟ ସମସ୍ୟା ଦେଖା ଦେଉଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର ସେଠାରେ ତ ପାଦ ପଡ଼ିନଥିଲା । ବାଲେଶ୍ଵରରେ ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ନିଜ ଦେହରେ ନିଆଁ ଲଗେଇବା ପରେ ଯେବେ ସାରା ରାଜ୍ୟ ହତବାକ୍ ଓ ସ୍ତବ୍ଧ ହୋଇ ଯାଇଥିଲା , ତା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ତ ଥରେ ଫକୀରମୋହନ ମହାବିଦ୍ୟାଳୟ ପରିଦର୍ଶନରେ ଯାଇ ନଥିଲେ । କିନ୍ତୁ ସେ ରେଭେନ୍ସାର ଛାତ୍ରଛାତ୍ରୀଙ୍କ ଦୁଃଖ ଶୁଣିବାକୁ ଆସିଥିଲେ। କାରଣ ତାଙ୍କ ରାଜନୈତିକ ଗୁରୁ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାକୁ ନେଇ ଯେଉଁ ନିଆଁ ଲଗାଇଥିଲେ ତାହା ପରଖିବା ପାଇଁ ତାହା ଉଦ୍ଦିଷ୍ଟ ଥିଲା।
ଆଜିକାଲି ଅନେକ ଶିକ୍ଷାନୁଷ୍ଠାନରେ ରାଜନେତାମାନଙ୍କ ଜବରଦଖଲ ଓ ପ୍ରଭାବ ବଢ଼ିବାରେ ଲାଗିଛି। ଏନେଇ କୌଣସି ବିଶ୍ୱବିଦ୍ୟାଳୟରେ ପ୍ରଫେସର କିମ୍ବା ସହକାରୀ ପ୍ରଫେସର ମୁହଁ ଖୋଲୁ ନାହାଁନ୍ତି। ସମସ୍ତେ ନୀରବରେ ସହୁଛନ୍ତି କିମ୍ବା ସମର୍ଥନ କରୁଛନ୍ତି। କିନ୍ତୁ ପ୍ରକାଶ ସେଠୀଙ୍କ ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ରେଭେନ୍ସାର ଅଧ୍ୟାପକମାନେ ୱାର୍ଡେନ ପଦବୀରୁ ସମୂହ ଇସ୍ତଫା ଦେବା ସହିତ ତୀବ୍ର ବିରୋଧ କରିଛନ୍ତି । ସେମାନେ ଶୋଭାଯାତ୍ରା କରିଛନ୍ତି, ବିକ୍ଷୋଭ କରିଛନ୍ତି ଏବଂ ଗଣମାଧ୍ୟମରେ ବିଧାୟକଙ୍କ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ହିଁ ରେଭେନ୍ସାର ବିଶେଷତ୍ଵ। ରାଜ୍ୟର ଅନ୍ୟ ବିଶ୍ଵବିଦ୍ୟାଳୟଗୁଡ଼ିକ ରାଜନୈତିକ ଚାପରେ ଚାପି ହୋଇ ଯାଇଥିବା ବେଳେ ରେଭେନ୍ସା କିନ୍ତୁ ଦୃପ୍ତ ଭଙ୍ଗୀରେ ସ୍ୱାଭିମାନର ସହ ଛିଡ଼ା ହୋଇଛି । ଯେତେ ବିବାଦୀୟ କରି ନିଜ କବଜାକୁ ଆଣିବାକୁ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ରେଭେନ୍ସାରେ ସେହି ପ୍ରୟୋଗ ସଫଳ ହୋଇନାହିଁ।
ଅନ୍ୟପକ୍ଷରେ ଏପରି ଏକ ସ୍ପର୍ଶକାତର ଘଟଣା ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି କିମ୍ବା ସମାଧାନ ଦିଗରେ ଟିକିଏ ବି ପ୍ରୟାସ କରିନାହାଁନ୍ତି। ରାଜ୍ୟର ସବୁଠାରୁ ପୁରୁଣା ଶିକ୍ଷାନୁଷ୍ଠାନକୁ ବଦନାମ୍ ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ନିନ୍ଦିତ କରିବାର ଅପଚେଷ୍ଟା କରାଯାଉଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରହସ୍ୟଜନକ ଭାବେ ନିରବ ରହିଛନ୍ତି। ପୁଣି ରାଜ୍ୟର ପ୍ରତିଟି କୋଣରୁ ବିଧାୟକ ପ୍ରକାଶ ସେଠୀଙ୍କୁ ବିରୋଧ କରାଯାଉଥିବା ବେଳେ ସରକାରୀ ଦଳ ଏ ସମ୍ପର୍କରେ ମୁହଁ ଖୋଲି ନାହିଁ। ଯାହା ଷଡ଼ଯନ୍ତ୍ରର ନିଆଁକୁ ଶକ୍ତ ଭାବରେ ପ୍ରମାଣିତ କରୁଛି ।