ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ପିଲାଙ୍କ ନୂଆ ବହିରେ ସ୍ଥାନିତ ନିମ୍ବୁଡ଼ା ଗୀତକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଲା । ରାଜ୍ୟ ସରକାର ଭୀଷଣ ସମାଲୋଚନାର ଶିକାର ହେଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଭୁଲ୍ ବୁଝିପାରିଲେ । ପାଠ୍ୟପୁସ୍ତକରେ ଏଭଳି ହଜାର ହଜାର ତ୍ରୁଟି ପଛରେ ମୁଖ୍ୟମନ୍ତ୍ରୀ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ । ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲା । ଏବେ ସଂଶୋଧିତ ବହି ପ୍ରକାଶନ ଅପେକ୍ଷାରେ ଥିବା ବେଳେ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିମ୍ବୁଡ଼ା ଗୀତ ପାଠ୍ୟପୁସ୍ତକରେ ସ୍ଥାନ ପାଇବାର ଯଥାର୍ଥତା ପ୍ରତିପାଦନ କରିବାକୁ ଚେଷ୍ଟା କରିଛନ୍ତି । ଅର୍ଥାତ୍ ଲିଭି ଆସୁଥିବା ଅସନ୍ତୋଷ ନିଆଁରେ ଘିଅ ଢ଼ାଳିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ପିଲାଙ୍କ ପାଠ୍ୟପୁସ୍ତକରେ ରାଜସ୍ଥାନୀ ସଙ୍ଗୀତ ନିମ୍ବୁଡ଼ା ଗୀତ ସ୍ଥାନ ପାଇବା ଯଥାର୍ଥ ବୋଲି ମନ୍ତ୍ରୀ କହିଛନ୍ତି । ଏହାକୁ ଠିକ୍ ରେ ନ ବୁଝି ଲୋକଙ୍କୁ ଭୁଲ୍ ଖବର ଦିଆଯାଇଛି କହି ଓଲଟି ଗଣମାଧ୍ୟମ ଉପରେ ରାଗ ଝାଡ଼ିଛନ୍ତି ।
ଗଣମାଧ୍ୟମକୁ ସିଧାସଳଖ ଟାର୍ଗେଟ୍ କରି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ଅନେକ ସମୟରେ ଅସତ୍ୟ ବିଷୟକୁ ସତ୍ୟ ବୋଲି ଗଣମାଧ୍ୟମ ଦେଖାଉଛି । ନିମ୍ବୁଡ଼ା ଗୀତ କେଉଁ ବହିରେ କାହିଁକି ସ୍ଥାନ ପାଇଛି ତାହା ବୁଝିବାର ଥିଲା । ନୂତନ ଜାତୀୟ ଶିକ୍ଷାନୀତି(ଏନଇପି) ଆଧାରରେ ଓଡ଼ିଆ ପିଲାଙ୍କ ବହିରେ ଅନ୍ୟ ରାଜ୍ୟର ଗୀତ ସ୍ଥାନ ପାଇବାର ଯଥାର୍ଥତା ଅଛି । ମାତ୍ର ଗଣମାଧ୍ୟମ ଏହାକୁ ବୁଝି ନ ପାରି ଭୁଲ୍ ଖବର ପରିବେଷଣ କରିଛନ୍ତି ।
ସେମିତି ସାର୍ ଆଇଜାକ୍ ନିଉଟନ୍ ପ୍ରସଙ୍ଗ ଜାତୀୟ ଖବର ହୋଇଗଲା । ପ୍ରକୃତ କଥା ନ ବୁଝି ଯିଏ ଯେମିତି ପାରିଲେ ଖବର କରିଛନ୍ତି । ମିଡିଆର ଦାୟିତ୍ୱ ଲୋକଙ୍କୁ ଠିକ୍ କଥା ଦେଖାଇବା । ମାତ୍ର ଭୁଲ୍ ଖବର ଦେଇ ପିଲାଙ୍କ ମଧ୍ୟରେ ନକରାତ୍ମକ ଭାବନା ସୃଷ୍ଟି କରାଯାଇଛି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ଆକ୍ଷେପ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଗଣଶିକ୍ଷା ମନ୍ତ୍ରୀ ଓଟିଭିର ମିଛ ଖବରକୁ ଧରା ପକାଇଥିଲେ । ସେ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କର ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ କୌଣସି ଆଲୋଚନା ବୈଠକ ନ ଥିଲା । ମାତ୍ର ଓଟିଭିରେ ଏଭଳି ବୈଠକ ସଂକ୍ରାନ୍ତରେ ବେକ୍ରିଂ ଖବର ଚାଲିଥିବା ସେ ଦେଖିବାକୁ ପାଇଲେ । କିଛି ନ ବୁଝି ଏମିତି ଭୁଲ୍ ଖବର କାହିଁକି ବଜୋଉଛ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ବିରକ୍ତି ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ପାଠ୍ୟପୁସ୍ତକ ତ୍ରୁଟି ସଂଶୋଧନ ହୋଇ ପିଲା କେବେ ନୂଆ ବହି ପାଇବେ ସାମ୍ବାଦିକମାନେ ମନ୍ତ୍ରୀଙ୍କଠାରୁ ନିର୍ଦ୍ଦିଷ୍ଟ ଉତ୍ତର ଚାହିଁଥିଲେ । ମାତ୍ର ମନ୍ତ୍ରୀଙ୍କ ପାଖରେ ତାହାର ସଠିକ୍ ଉତ୍ତର ନ ଥିଲା । ପିଲାଙ୍କ ପାଠପଢ଼ାରେ ଯେଭଳି ବ୍ୟାଘାତ ନ ହେବ ରାଜ୍ୟ ସରକାର ସେଥିପ୍ରତି ଯତ୍ନବାନ ଅଛନ୍ତି ଏବଂ ତାହାର ବ୍ୟବସ୍ଥା ଚାଲିଛି ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ ।
ସୂଚନାଥାଉକି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ବାହାରିଲା ପରେ ଏହାକୁ ସାମାନ୍ୟ ତ୍ରୁଟି ବୋଲି କହିଥିଲେ ମନ୍ତ୍ରୀ ଶ୍ରୀ ଗଣ୍ଡ । ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମନ୍ତ୍ରୀଙ୍କର ଏହି ମନ୍ତବ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ମାତ୍ର ମନ୍ତ୍ରୀ ତାହାକୁ ଖାତିର କରିନାହାନ୍ତି । ଓଡ଼ିଆ ପାଠ୍ୟପୁସ୍ତକରେ ନିମ୍ବୁଡ଼ା ଗୀତ ସ୍ଥାନ ପାଇବା ଯଥାର୍ଥ ବୋଲି ସେ କହି ଚାଲିଛନ୍ତି ।