ଭୁବନେଶ୍ୱର: ପଞ୍ଚାୟତିରାଜ ବିଭାଗରୁ ହଟିଛନ୍ତି ଦେଓରଞ୍ଜନ କୁମାର ସିଂହ । ୨୦୧୩ ମସିହା ମେ’ ୪ ତାରିଖରେ ସେ ଏହି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେହି ଗୋଟିଏ ଜାଗାରେ ୮ ବର୍ଷରୁ ଅଧିକ ସମୟ ରଖିବା ପରେ ରାଜ୍ୟ ସରକାର ଆଜି ତାଙ୍କୁ ବଦଳି କରିଛନ୍ତି । ଦେଓରଞ୍ଜନଙ୍କୁ ଇସ୍ପାତ ଓ ଖଣି ବିଭାଗର ଦାୟିତ୍ୱ ଦିଆଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବେଳେ ଡିକେଙ୍କ ଏହି ବଦଳି ଚର୍ଚ୍ଚାର ବିଷୟ ହୋଇଛି ।
ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ଡିକେଙ୍କ ଜାଗାରେ ଅବସ୍ଥାପିତ କରାଯାଇଛି । ଅନ୍ୟପକ୍ଷରେ, ଶ୍ରୀ ମୀନାଙ୍କ ଜାଗାକୁ ଆସିଛନ୍ତି ବିଶାଲ୍ ଦେବ । ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ଦେବ ପର୍ଯ୍ୟଟନ ଏବଂ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ଥିଲେ ।
ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ସେ ସମ୍ଭାଳିବେ ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର.ଭିନୀଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି ।
ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବଦଳି ଆଦେଶନାମା ପ୍ରକାଶ ପାଇଛି ।