ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ । ଏହାପୂର୍ବରୁ ୧୫ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଦଳୀୟ ନୀତି ନିର୍ଦ୍ଧାରଣକାରୀଙ୍କ ଏହି ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯିବ । ଆଇଏଏସ୍ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଦଳର ଏକ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହି ନିଷ୍ପତ୍ତି କୁ ଧରି ଦଳ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିବ । ତେବେ କାର୍ଯ୍ୟକାରିଣୀ ବୈଠକ ସଂକ୍ରାନ୍ତରେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଆସିନାହିଁ ।
ସୂଚନାଥାଉକି, ଗତ ୨୭ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀ ପାଣ୍ଡିଆନ ବିଜେଡିରେ ଯୋଗଦେଇଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ ସେ ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇ ଢ଼େର୍ ପ୍ରଶଂସା କରିଥିଲେ । ଶ୍ରୀ ପାଣ୍ଡିଆନ୍ ବହୁ ବର୍ଷ ହେଲା ରାଜ୍ୟ ପାଇଁ କଠିନ ପରିଶ୍ରମ କରୁଛନ୍ତି । ସେ ଦଳର ଜଣେ ସଦସ୍ୟ ଭାବେ ତାହା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଥିଲେ । ଖାଲି ସେତିକି ନୁହେଁ, ଶ୍ରୀ ପାଣ୍ଡିଆନ ବିଜେଡିରେ ମିଶିବା ପରଠୁ ପ୍ରତିଦିନ ଦଳୀୟ ନେତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ପାଇଁ ନବୀନ ନିବାସରେ ଧାଡ଼ି ଲମ୍ବିଛି । ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କର ସେ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।
ଇତିମଧ୍ୟରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀଙ୍କର ଏକ ଫଟୋ ଓ କଳିଙ୍ଗ ଷ୍ଟାଡିୟମ୍ ରୁ ଶ୍ରୀ ପାଣ୍ଡିଆନଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ୍ ହୋଇଛି । ମୁଖ୍ୟମନ୍ତ୍ରୀ ଧଳା ପ୍ୟାଣ୍ଟ ଓ ସବୁଜ ରଙ୍ଗର ଜର୍ସି ପିନ୍ଧି ଚାଲୁଥିବାର ଦେଖିବାକୁ ମିଳୁଥିବା ବେଳେ ଶ୍ରୀ ପାଣ୍ଡିଆନ୍ କଳିଙ୍ଗ ଷ୍ଟାଡିୟମରେ ବ୍ୟାୟାମ(ଦଉଡି ଡିଆଁ) କରୁଛନ୍ତି । ମିଶନ୍ ୨୦୨୪ ପାଇଁ ମାରାଥନ୍ ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହି ଫଟୋରୁ ବାରିଛନ୍ତି ।






