ଭୁବନେଶ୍ୱର: ଚଳିତଥର ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି । ମୋଟ ୬୪ କୋଟିରୁ ଅଧିକ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ସଂଖ୍ୟା ଜି-୭ ଦେଶର ଭୋଟରଙ୍କ ତୁଳନାରେ ଅଧିକା । ଆସନ୍ତାକାଲି ଭୋଟ ଗଣତିର ଅବ୍ୟବହିତ ପୂର୍ବରୁ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଏହି ପ୍ରେସମିଟ୍ ରେ ମୁଖ୍ୟ ନିର୍ବାଚନ କମିସନର ନିଜ ଆସନରୁ ଛିଡ଼ା ହୋଇ ମହିଳାଙ୍କୁ ସମ୍ମାନ ଜଣାଇଛନ୍ତି । ୨୦୧୯ ତୁଳନାରେ ଏଥର ଦେଶରେ ଅଧିକ ମହିଳା ଭୋଟର ଅଛନ୍ତି । ୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ମତଦାନ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।
ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି, ୨୭ ରାଜ୍ୟର କୌଣସି ବି ବୁଥ୍ ରେ ପୁନଃ ମତଦାନ ହୋଇନାହିଁ । ୨୦୧୯ ନିର୍ବାଚନରେ ୫୪୦ ସ୍ଥାନରେ ରି-ପୋଲିଂ ହୋଇଥିଲା । ୨୦୨୪ରେ ମାତ୍ର ୩୯ଟି ବୁଥ୍ ରେ ସାନି ମତଦାନ ହୋଇଛି । ମଣିପୁର, ଅରୁଣାଚଳ ପ୍ରଦେଶର ସର୍ବାଧିକ ୨୫ଟି ବୁଥ୍ ରେ ସାନି ମତଦାନ ହୋଇଛି । ବାକି ୧୪ଟି ସାନି ମତଦାନ ଅନ୍ୟ ରାଜ୍ୟର ବୁଥ୍ ରେ ହୋଇଛି ।
ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ଭଳି ନକ୍ସଲ ପ୍ରବଣ ଅଞ୍ଚଳରେ ମାଓ ହିଂସା ହୋଇନି । ଜାମ୍ମୁ କାଶ୍ମୀରରେ ରେକର୍ଡ ମତଦାନ ହୋଇଛି । ଗତ ଚାରି ଦଶନ୍ଧି ମଧ୍ୟରେ ସେଠାରେ ସର୍ବାଧିକ ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ କମିସନର ସୂଚନା ଦେଇଛନ୍ତି ।