ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ତାଙ୍କର ଅସ୍ଥି କେଉଁଠି କେତେଦିନ ରହିଥିଲା ଏବଂ କିଏ ବିସର୍ଜନ କରିଥିଲେ? ଏହି ଅନାଲୋଚିତ କଥାଟି ଆଜି ପ୍ରଥମେ ଲୋକଲୋଚନକୁ ଆଣିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଗଣମାଧ୍ୟମକୁ ଏକ ବୟାନରେ କହିଛନ୍ତି ଯେ ବିଜୁ ବାବୁଙ୍କ ଅସ୍ଥିକୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ରଖି ନ ଥିଲେ । ରଖିଥିଲେ ତାଙ୍କର ଘନିଷ୍ଠ ସହଯୋଗୀ ବିଜୟ ମହାପାତ୍ର । ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ନବୀନ ବାବୁ କେବେ ଧ୍ୟାନ କି ସମୟ ଦେଇ ନ ଥିଲେ । ବିଜୟ ବାବୁ ତାଙ୍କ ଘରେ ତିନି ବର୍ଷ କାଳ ଅସ୍ଥି ରଖି ନବୀନ ବାବୁଙ୍କ ଅପେକ୍ଷା କରିବା ପରେ ଶେଷରେ ପ୍ରୟାଗରାଜ ନେଇ ବିସର୍ଜନ କରିଥିଲେ ।
ବିଜୁ ବାବୁଙ୍କୁ ତାଙ୍କ ପୁଅ ନବୀନ ବାବୁ କେମିତି ଭଲ ପାଉଥିଲେ ତାହାର ଉଦାହରଣ ଦେବାକୁ ଯାଇ ଆଜି ବିଧାନସଭା ବାହାରେ ଗଣମାଧ୍ୟମକୁ ଏହି ରୋଚକ ତଥ୍ୟ ଦେଇଥିଲେ ବାବୁ ସିଂ ।
ସୂଚନାଥାଉକି, ବାବୁ ସିଂ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ ନିବିଡ଼ ସମ୍ପର୍କରେ ଥିଲେ । ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ଥିଲା । ୧୯୯୭ ମସିହାରେ ବିଜୁ ବାବୁଙ୍କ ମୃତୁ୍ୟ ପରେ ସେ ନବୀନ ବାବୁଙ୍କ ନେତୃତ୍ୱ ତଳେ ବିଜେଡିରେ ଦୀର୍ଘ ୨୨ ବର୍ଷ ଧରି କାମ କରିଥିଲେ । ଦିବଙ୍ଗତ ବିଜୁ ବାବୁଙ୍କ ସମ୍ପର୍କରେ ୨୦୧୭ ମସିହାରେ ତାଙ୍କର ଏକ ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା । ସୁତରାଂ ବିଜୁ ବାବୁ ଓ ନବୀନ ବାବୁଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ ଚାଲିଚଳଣ ସମ୍ପର୍କରେ ତାଙ୍କର ଯେ ଅଙ୍ଗେନିଭା ଅନୁଭୂତି ଅଛି ତାହା କେହି ଅସ୍ୱୀକାର କରିପାରିବେ ନାହିଁ ।
ଆଉ ଯେଉଁ ପ୍ରସଙ୍ଗରେ ସେ ବିଜୁ ବାବୁଙ୍କ ଅସ୍ଥି ବିସର୍ଜନ କାହାଣୀ ଅବତାରଣା କରିଛନ୍ତି ସେହି ପ୍ରସଙ୍ଗ ହେଉଛି ବିଜୁ ବାବୁଙ୍କ ପ୍ରତି ନବୀନ ବାବୁଙ୍କର କେତେ ଭଲ ପାଇବା! କାରଣ ଓଡ଼ିଶା ରାଜନୀତିରେ ଏବେ ହଟ୍ ଟପିକ୍ ହୋଇଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଓଡ଼ିଶା ଇତିହାସରୁ ବିଜୁ ବାବୁଙ୍କ ନାମ ନିଶାନା ପୋଛିଦେବାକୁ ମୋହନ ସରକାର ଉଦ୍ୟମ ଚଳାଇଥିବା ବିଜେଡି ଯେଉଁ ଅଭିଯୋଗ ଆଣିଛି ତାହା ପଣ୍ଡ କରିବାକୁ ବାପ-ପୁଅ(ବିଜୁ-ନବୀନ) ସମ୍ପର୍କର ସାହାରା ନେଇଛି ବିଜେପି । ଏକଦା ବିଜୁ- ନବୀନ ପରିବାରର ଏକାନ୍ତ ସହଯୋଗୀ ତଥା ଏକାମ୍ର ବିଧାୟକ ବାବୁ ସିଂ ସେଇ ବହୁ ଚର୍ଚ୍ଚିତ ବିଜୁ ବାବୁଙ୍କ ଅନ୍ତିମ ଦିନର କାହାଣୀର ଅବତାରଣା ଆରମ୍ଭ କରିଛନ୍ତି ।
ଟିକେ ପଛକୁ ଯାଇ ବାବୁ ସିଂ କହିଛନ୍ତି ଯେ ବିଜୁ ବାବୁ ତାଙ୍କ ଶେଷ ଜୀବନରେ ଦିଲ୍ଲୀପ ରାୟଙ୍କ ଦିଲ୍ଲୀସ୍ଥିତ ସରକାରୀ କ୍ୱାଟର୍ସରେ ରହୁଥିଲେ । ଅସୁସ୍ଥ ହୋଇ ଏସକର୍ଟ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲା ବେଳେ ନବୀନ ବାବୁ ତାଙ୍କୁ ଦେଖିବାକୁ ମଧ୍ୟ ଯାଇ ନ ଥିଲେ । ତାଙ୍କର ଚିକିତ୍ସା ବାବଦ ୨୨ ଲକ୍ଷ ଟଙ୍କାର ବିଲ୍ ଦିଲ୍ଲୀପ ରାୟ ଦେଇଥିଲେ । ବାପାଙ୍କ ଦଶାହରେ ମୁଣ୍ଡନ ହେବାକୁ ମଧ୍ୟ ନବୀନ ବାବୁ ଇଚ୍ଛା କରି ନ ଥିଲେ । ତାଙ୍କୁ ବାଧ୍ୟ କରି ମୁଣ୍ଡନ କରାଯାଇଥିଲା । ବିଜୁ ବାବୁଙ୍କୁ ଏମିତି ଭଲ ପାଉଥିଲେ ବୋଲି କଟାକ୍ଷ କରିଛନ୍ତି ବାବୁ ସିଂ ।
ଅନ୍ୟପକ୍ଷରେ ବାବୁ ସିଂଙ୍କ ମନ୍ତବ୍ୟ ନିଆଁରେ ଘିଅ ଢ଼ାଳି ଦେଇଛନ୍ତି ବିଜୟ ମହାପାତ୍ର । ବାବୁ ସିଂ ଯାହା କହୁଛନ୍ତି ତାହା ନିରାଟ ସତ ବୋଲି ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାରରେ ଜଣାଇ ଦେଇଛନ୍ତି । ବିଜୁ ବାବୁଙ୍କ ଅସ୍ଥି ସମ୍ପର୍କରେ ସେ ପ୍ରଥମ ଥର ପାଇଁ ରୋଚକ ଏବଂ ବିସ୍ମୟକର କଥା କହିଛନ୍ତି ।
ସେ କହିଛନ୍ତି, ବିଜୁ ବାବୁଙ୍କ ଅସ୍ଥି ଆମ ଘରେ ତିନି ଚାରି ବର୍ଷ ରହିଥିଲା । ନବୀନ ବାବୁ ଥରୁଟିଏ ଅସ୍ଥି ଦେଖିବାକୁ ଆସିଥିଲେ । ଅସ୍ଥି ଗୋଟିଏ ଦିନ ଆମ ଘରେ ଉତ୍ପାତ କଲା । ଖାଲିଟାରେ କବାଟ ସବୁ ବାଡ଼େଇ ହୋଇ ଦୁଆରେ ପବନ ବହିଲା । ଏହାପରେ ପଣ୍ଡିତଙ୍କ ସହ ଆଲୋଚନା କରି ବିସର୍ଜନ ନିଷ୍ପତ୍ତି ନେଲି । ପ୍ରୟାଗରାଜକୁ ବିସର୍ଜନ ପାଇଁ ଗଲି । ମାତ୍ର ନବୀନ ବାବୁ ଯାଇ ନ ଥିଲେ । ସେଠାରେ ବିସର୍ଜନ ବେଳେ ବହୁତ ସମୟ ଲାଗିଲା । ତମ୍ବା ପାତ୍ର ବୁଡ଼ିବା ପାଇଁ ପ୍ରାୟ ଅଧଘଣ୍ଟା ସମୟ ଲାଗିଲା । ଏହା ମୋ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇ ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଖାଲି ସେତିକି ନୁହେଁ, ବିଜୁ ବାବୁଙ୍କ ସହ କିଛି ସ୍ମରଣୀୟ ଅନୁଭୂତି ମଧ୍ୟ ବର୍ଣ୍ଣନା କରିଛନ୍ତି ବିଜୟ ମହାପାତ୍ର । ୧୯୯୭ ମାର୍ଚ୍ଚ ୨୯ ତାରିଖ ଥିଲା ବିଜୁ ବାବୁଙ୍କର ଓଡ଼ିଶାରେ ଶେଷ ଦିନ । ସେଦିନ ବିଧାନସଭା ଚାଲିଥିଲା । ବିଜୁ ବାବୁଙ୍କ ଦେହ ଖରାପ ଶୁଣି ମୁଁ ନବୀନ ନିବାସ ଯାଇଥିଲି । ମୋ ସହ ଦୀର୍ଘ ସମୟ କଥା ହୋଇ ପରେ ଦିଲ୍ଲୀ ଗଲେ । ସେହିଦିନ ସଂଧ୍ୟାରେ ହସ୍ପିଟାଲରେ ଆଡମିଶନ ହେଲେ । ଏ ସମ୍ପର୍କରେ ଦିଲ୍ଲୀପ ରାୟ ମୋତେ ଫୋନ୍ କରି ଜଣାଇଲେ । ଦିଲ୍ଲୀପ ବାବୁ ନିୟମିତ ହସ୍ପିଟାଲ୍ ଯାଉଥିଲେ ଏବଂ ସବୁ ବୁଝାବୁଝି କରୁଥିଲେ । ମୁଁ ସେଠାକୁ ଗଲା ବେଳେ ନବୀନ ବାବୁଙ୍କୁ ଦେଖି ନ ଥିଲି । ପ୍ରେମ ପଟ୍ଟନାୟକ ଏବଂ ଝିଅ ଗୀତା ମେହେଟ୍ଟା ଥିଲେ ।
ବିଜୁ ବାବୁଙ୍କ ସମ୍ପର୍କରେ ବିଜୟ ମହାପାତ୍ର ଆଜି ହଠାତ୍ ରୋଚକ ତଥ୍ୟମାନ ପଦାକୁ ଆଣିବା ପଛରେ ରାଜନୀତିର ଗୁଢ଼ ରହସ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ମନ୍ତବ୍ୟକୁ ରାଜନୈତିକ ରଙ୍ଗ ନ ଦେବା ପାଇଁ ସେ ଅନୁରୋଧ କରିଥିଲେ ମଧ୍ୟ ଆଗାମୀ ଦିନରେ ଏହି ପ୍ରସଙ୍ଗ ବିଜେଡି ରାଜନୀତିରେ ଝଡ଼ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ବିଧାନସଭାକୁ ନୂଆ ନୂଆ ଆସିଥିବା ବିଜେଡିର କିଛି ବିଧାୟକ ରାଜନୈତିକ ମନ୍ତବ୍ୟ ଦେଇ ନବୀନଙ୍କୁ ବଡ଼ ଦେଖାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇନାହିଁ ।
କୌତୁହଳର କଥା ହେଉଛି, ରାଜନୀତିର ଗହନ କଥା ଏବଂ ଆଗାମୀ ଦିନର ସମ୍ଭାବ୍ୟ ସମୀକରଣକୁ ପଛରେ ରଖି ନବୀନ ବାବୁଙ୍କ ସମର୍ଥକମାନେ ଓକିଲାତି କରିବାକୁ ବାହାରିଛନ୍ତି । ସେମାନଙ୍କର ଯୁକ୍ତି ହେଉଛି, ବିଜୁଙ୍କ ପ୍ରତି ନବୀନଙ୍କର ଭଲ ପାଇବା ଥିଲା ଏବଂ ଅଛି । ସେହିଭଳି ବିଜୁ ବାବୁ ନବୀନଙ୍କୁ ବହୁତ ଭଲ ପାଉଥିଲେ । ବାପାଙ୍କ ଆଶୀର୍ବାଦ ଯୋଗୁଁ ନବୀନ ୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ କ୍ଷମତା ଭୋଗ କଲେ । ବିଜୟ ମହାପାତ୍ର ଯେଉଁ ଅସ୍ଥି ବିସର୍ଜନ ଗପ ଶୁଣାଉଛନ୍ତି ତାହା ଡାହା ମିଛ । ଯଦି ବିଜୁ ବାବୁଙ୍କ ଅସ୍ଥି ଅଶାନ୍ତ ହୋଇ ଉତ୍ପାତ କରୁଥିଲା ତେବେ ନବୀନ ବାବୁଙ୍କ ଉପରେ ଅଭିଶାପ ପଡ଼ିଥାନ୍ତା । ମାତ୍ର ତାହା ଆଶୀର୍ବାଦ କେମିତି ହେଲା ବୋଲି ସମର୍ଥକମାନେ ପ୍ରଶ୍ନ କରିଛନ୍ତି ।