ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ଆଜିକାଲି ସଭାସମିତି ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲାଣି । ଜଣେ ରାଜନେତାଙ୍କ ପାଇଁ ଏହା ସାଧାରଣ କଥା ହୋଇଥିଲେ ମଧ୍ୟ ନବୀନଙ୍କୁ ଏହାର ବ୍ୟତିକ୍ରମ କୁହାଯାଏ । ନିର୍ବାଚନରେ ହାରିବା ପରଠାରୁ ସେ ନବୀନ ନିବାସରୁ ବିଶେଷ ବାହାରୁ ନ ଥିଲେ । ଶଙ୍ଖଭବନକୁ କ୍ୱଚିତ୍ ଆସୁଥିଲେ । ମୁମ୍ବାଇରୁ ଅପରେସନ୍ ହୋଇ ଫେରିଲା ପରେ ବିଶ୍ରାମ ଆଳରେ ଏ ସବୁ ବି ବନ୍ଦ ହୋଇଗଲା । କାହା ସହ କଥା ହେବା ଦୂରେ ଥାଉ, କାହାରିକୁ ଦର୍ଶନ ବି ଦେଉ ନ ଥିଲେ । ସେହି ସମୟରେ ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବା ତାଙ୍କ ପାଇଁ ବୁମେରାଂ ହେଲା । ତାଙ୍କର ବୟସ ଏବଂ ଦୁର୍ବଳ ସ୍ୱାସ୍ଥ୍ୟକୁ ନେଇ ସାଧାରଣରେ ଅନେକ ଆଲୋଚନା ହେଲା । ନବୀନ ପଟ୍ଟନାୟକଙ୍କ ପାଖରେ ଆଉ ଲଢ଼ିବାର ବୟସ କି ଦମ୍ଭ ନାହିଁ ବୋଲି ସମସ୍ତେ ଧରିନେଲେ । ସେଥିପାଇଁ ନିଜ ଦଳରୁ ତାଙ୍କୁ କିଏ ‘ଆହା’ କହିଲେ ତ ବିରୋଧୀଙ୍କ ପକ୍ଷରୁ ତାତ୍ସଲ୍ୟ କଲେ । ନବୀନ ପଟ୍ଟନାୟକଙ୍କର ସମୟ ସରିଗଲା ବୋଲି ପ୍ରଚାର ହେଲା ।








