ଭୁବନେଶ୍ୱର: ୟୁକ୍ରେନ୍ ଉପରେ ରୁଷ୍ ର ଘମାଘୋଟ ଆକ୍ରମଣ ଜାରି ରହିଥିଲା ବେଳେ ୟୁକ୍ରେନ୍ ରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଆଜି ସକାଳେ କଥା ହୋଇଥିଲା ବେଳେ ୟୁକ୍ରେନ୍ ରୁ ସମସ୍ତ ଓଡ଼ିଆଙ୍କୁ ଜନ୍ମମାଟି ଫେରାଇ ଆଣିବାର ଯାତାୟତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।
କେବଳ ସେତିକି ନୁହେଁ, ୟୁକ୍ରେନ୍ ରେ ଫସିଥିବା ଓଡ଼ିଆଙ୍କୁ ଜନ୍ମମାଟି ଫେରାଇ ଆଣିବାର ସମନ୍ୱୟ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଉପରେ ନ୍ୟସ୍ତ କରିଛନ୍ତି । ୟୁକ୍ରେନ୍ ରୁ ଆସିବାର ଆନୁସଙ୍ଗିକ ବ୍ୟବସ୍ଥା କଥା ସେ ବୁଝିବେ । ୟୁକ୍ରେନ୍ ରେ ଥିବା ଓଡ଼ିଆଙ୍କ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏହି ସଙ୍କଟ ସମୟରେ ଏଠାରେ ଥିବା ସେମାନଙ୍କ ପରିବାର ସହ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିଭଳି ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର ରବି କାନ୍ତ(ଆଇପିଏସ୍) ଙ୍କୁ ନୋଡାଲ୍ ଅଫିସର ଭାବେ ଭାରତ ସରକାରଙ୍କ ସହ ସମନ୍ୱୟ ରକ୍ଷା ଦାୟିତ୍ୱ ଦିଆଯାଇଛି । ସେଥିପାଇଁ ସେଠାରେ ଏକ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି ।