ଭୁୁବନେଶ୍ୱର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ହୋଇଛନ୍ତି ବିରୋଧୀ ଦଳର ନେତା । ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାଁ ଘୋଷଣା ହୋଇଛି । କୋଭିଡ୍ ରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବା ସମ୍ଭବ ନ ହେବାରୁ ତାଙ୍କ ସ୍ଥାନ ଜୟନାରାୟଣଙ୍କୁ ଦିଆଯାଇଛି ।
ସମ୍ବଲପୁର ଆସନରୁ ଚତୁର୍ଥ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଜୟନାରାୟଣ ମିଶ୍ର । ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ । ପଶ୍ଚିମ ଓଡ଼ିଶାରୁ ଜଣେ ଦକ୍ଷ ଓ ଟାଣୁଆ ଲୋକପ୍ରତିନିଧି ଭାବେ ତାଙ୍କର ସୁନାମ ଅଛି । ତାଙ୍କର ସ୍ପଷ୍ଟବାଦିତା ପାଇଁ ଅତୀତରେ ସେ ବିଭିନ୍ନ ବିବାଦରେ ଛନ୍ଦି ବି ହୋଇଛନ୍ତି । ୨୦୧୮ ମସିହାରେ ବିଜେପୁର ଉପନିର୍ବାଚନ ବେଳେ ତକ୍ରାଳୀନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ ଏବଂ ତାଙ୍କର ୩ ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ ।
୨୦୧୯ ନିର୍ବାଚନରେ ଜୟନାରାୟଣ ସମ୍ବଲପୁର ବିଧାନସଭା ଆସନରୁ ଚତୁର୍ଥ ଥର ପାଇଁ ବିଜୟୀ ହେବା ପରେ ବିରୋଧୀ ଦଳ ନେତା ଭାବେ ତାଙ୍କ ନାଁ ବେଶୀ ଚର୍ଚ୍ଚା ହୋଇଥିଲା । ମାତ୍ର ଶେଷରେ ପ୍ରଦାପ୍ତ ନାୟକଙ୍କୁ ସେହି ପଦ ମିଳିଥିଲା । ଏଥିରେ ଜୟନାରାୟଣ ଅସନ୍ତୁଷ୍ଟ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ଦଳର ନିଷ୍ପତ୍ତ ବିରୋଧରେ ସେ ପାଟି ଖୋଲି ନ ଥିଲେ ।
ଗତବର୍ଷ ପ୍ରଦୀପ୍ତ ନାୟକ କୋଭିଡ୍ ରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇଥିଲେ । ଦିଲ୍ଲୀରେ ରହି ଏବେ ବି ଚିକିତ୍ସାରେ ଅଛନ୍ତି । ବିଧାନସଭାରେ ତାଙ୍କର ଅନୁପସ୍ଥିତି ଯୋଗୁଁ ବିଧାୟକ ଦଳ ରଣକୌଶଳରେ ପଛୁଆ ହୋଇଯାଇଥିଲେ । ନୂଆ ନେତା ନିର୍ବାଚିତ କରିବା ପାଇଁ ବିଧାୟକ ଦଳ ପକ୍ଷରୁ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।