ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖ ରବିବାର ଦିନ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଯାଇ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ ମାଗିବେ । ମୁଖ୍ୟମନ୍ତ୍ରୀ ଏକାଧିକ ଜାଗାରେ ସଭା ଓ ରୋଡ୍ ସୋ କରିବାର ଯୋଜନା ହୋଇଥିବା ସୂଚନା ମିଳିଛି ।
ସେହି ୭ ତାରିଖ ରବିବାର ଦିନ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରକୁ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନସଭା ଓ ରୋଡ୍ ସୋ ଜରିଆରେ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ସେ ଭୋଟ ମାଗିବେ । ଗୋଟିଏ ଦିନରେ ଦୁଇ ଦଳର ମୁଖ୍ୟ ପ୍ରଚାରକ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଉଥିବାରୁ କର୍ମୀମହଲରେ ଉତ୍ସାହ ସୃଷ୍ଟି ହୋଇଛି ।
ଏବେ ଝାରସୁଗୁଡ଼ାରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ତୁଙ୍ଗନେତାମାନେ ଡେରା ପକାଇ ପ୍ରଚାର ଅଭିଯାଜନକୁ ଜୋରଦାର କରିଛନ୍ତି । ସେମାନଙ୍କ ପ୍ରାର୍ଥୀଙ୍କ ସପକ୍ଷରେ ଘରକୁ ଘର ବୁଲି ଲୋକଙ୍କୁ ଭୋଟ ମାଗୁଛନ୍ତି । ବିଭିନ୍ନ ଜାଗାରେ ଚାଲିଛି ସଭା, ରୋଡ୍ ସୋ । ପ୍ରଚାର ବେଳେ କିଛି ଜାଗାରେ ଉତ୍ତେଜନା ଦେଖିବାକୁ ମିଳିଛି ।
ଗତକାଲି ସଂଧ୍ୟାରେ ଲାଇକେରା ବ୍ଲକ୍ ର ନିକ୍ତିମାଲ ଗାଁରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଧରି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ବିଜେପି ବିଧାୟିକା ଏବଂ ପ୍ରାର୍ଥୀଙ୍କ ବିରୋଧରେ ବିଜେଡି ପାଲଟା ଅଭିଯୋଗ କରିଛି । ଉଭୟଙ୍କ ପକ୍ଷରୁ ଥାନାରେ ଏତଲା ହୋଇଛି ।

ତେବେ ବିଜେପି ବିଧାୟିକା ଶ୍ରୀମତୀ ଟେଟେ ଏବଂ ପ୍ରାର୍ଥୀ ଶ୍ରୀ ତ୍ରିପାଠୀଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି ଓ ଭୋଟରଙ୍କୁ ଧମକଚମକ ଦେଉଥିବାର ଅଭିଯୋଗ ଧରି ବିଜେଡିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।
ଅନ୍ୟପକ୍ଷରେ ବିଜେପି ଏହାକୁ ବିଜେଡିର ଡ୍ରାମାବାଜି ବୋଲି କଟାକ୍ଷ କରିଛି ।






