ଭୁବନେଶ୍ୱର: ଉପନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ କରିବା ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ମହଙ୍ଗା ପଡ଼ିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ସସପେଣ୍ଡ୍ କରିଛନ୍ତି । ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଜାରି ଦୁଇଧାଡ଼ିଆ ପ୍ରେସ୍ ରିଲିଜ୍ ରେ ଏହି ନିଷ୍ପତ୍ତି ଶୁଣାଇ ଦିଆଯାଇଛି ।
ଗତ ସାଧାରଣ ନିର୍ବାଚନରେ ହାରିଥିବା ଜୀବନ ପ୍ରଦୀପ ଦାଶ ଉପନିର୍ବାଚନ ପାଇଁ ଟିକେଟ ଆଶା ବାନ୍ଧିଥିଲେ । ସେପଟେ ରବୀନ୍ଦ୍ର ଜେନା ନିଜ ପତ୍ନୀଙ୍କ ପାଇଁ ଟିକେଟ ଆଶା ରଖିଥିଲେ । ବାଲେଶ୍ୱର ବିଜେଡ଼ି ରାଜନୀତିରେ ଏମାନେ ପରଷ୍ପର ବିରୋଧୀ ହୋଇଥିବାରୁ ହାଇକମାଣ୍ଡଙ୍କ ପାଇଁ ପ୍ରାର୍ଥୀ ଚୟନ ସହଜ ନ ଥିଲା । ତେବେ ଶେଷ ମୁହୂର୍ତ୍ତରେ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା ।
ସୁପ୍ରିମୋଙ୍କ ନିଷ୍ପତ୍ତି ବିରୋଧରେ ରବି ଜେନାଙ୍କ ସମର୍ଥକମାନେ ପ୍ରଥମେ ବିଦ୍ରୋହ ଘୋଷଣା କରିଥିଲେ ମଧ୍ୟ ପରେ ସବୁ ଠିକ୍ ହୋଇଯାଇଥିଲା । ସେହିଭଳି ଜୀବନ ପ୍ରଦୀପ ମଧ୍ୟ ସ୍ୱରୁପଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ ଆଗକୁ ବାହାରିଥିଲେ ।
ଗୋଟେ ପଟେ ରବୀନ୍ଦ୍ର ଜେନା ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମ୍ପୂର୍ଣ୍ଣ ସପର୍ମିତ ହୋଇ କାର୍ଯ୍ୟ କରିଥିଲେ ମଧ୍ୟ ଜୀବନ ପ୍ରଦୀପ ଦାଶଙ୍କ କାର୍ଯ୍ୟକଳାପ କିନ୍ତୁ ସନ୍ଦେହଜନକ ଥିଲା । ଭିତରେ ଭିତରେ ବିଜେପି ସହ ହାତ ମିଳାଇ ଦଳବିରୋଧୀ କାର୍ଯ୍ୟ କରୁଥିବା ହାଇକମାଣ୍ଡଙ୍କ ନଜରକୁ ଆସିଥିଲା । ଏହାର ପ୍ରମାଣ ମିଳିବା ପରେ ଉପନିର୍ବାଚନ ସରିବାର ଦିନକ ପରେ ଆଉ କାଳବିଳମ୍ବ ନ କରି ଜୀବନ ପ୍ରଦୀପଙ୍କୁ ଦଳରୁ ସସପେଣ୍ଡ କରାଯାଇଛି ।