ଭୁବନେଶ୍ୱର: କଟକ ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ହତ୍ୟାକାରୀ ହେଉଛନ୍ତି ତାଙ୍କର ପତ୍ନୀ ଏବଂ ଶଳା । ଆଜି ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ବିଚାରପତିଙ୍କ ମା ଏବଂ ଭାଇ । କଟକ ମର୍କତନଗର ଥାନାରେ ଦୁଇଜଣଙ୍କ ବିରୋଧରେ ଏତଲା ମଧ୍ୟ ଦେଇଛନ୍ତି । ବିଚାରପତି ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ପତ୍ନୀ ଏବଂ ଶଳା ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରିଥିବାର ଅଭିଯୋଗ ମାମଲାକୁ ଜଟିଳ ମୋଡ଼ ଦେଇଛି ।
ଗତକାଲି ସୁବାସଙ୍କ ମୃତ୍ୟୁ ପରେ ତାଙ୍କ ବାପାଘର ସହ ଶ୍ୱଶୁର ଘରର ସମ୍ପର୍କ ଭଲ ନ ଥିବା ସ୍ପଷ୍ଟ ହୋଇଥିଲା । କାରଣ ସୁବାସଙ୍କ ଶବ ପଡ଼ିଥିବା ବେଳେ ସଂସ୍କାରକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା । ମୃତଦେହ ଗାଁକୁ ଆଣି ଶେଷକୃତ୍ୟ ସମ୍ପନ୍ନ କରିବାକୁ ବାପାଘର ଲୋକେ ଚାହିଁଥିଲେ । ମାତ୍ର ଶ୍ୱଶୁର ଘର ଲୋକେ ଏହାକୁ ବିରୋଧ କରିଥିଲେ ଏବଂ ଜୋର ଜବରଦସ୍ତ ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଶବ ସଂସ୍କାର କରିଥିଲେ । ଗାଁରେ ରହୁଥିବା ମା ନିଜ ପୁଅର ଶବ ଦେଖିବାରୁ ବଞ୍ଚିତ ହେବା ପରେ ଯାଜପୁର ବ୍ଲକ୍ ଭୁବନେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ମଠଗାଁରେ ଗତକାଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଆଜି ଉଭୟ ପରିବାର ମଧ୍ୟରେ ଥିବା ବିବାଦ ସାଂଘାତିକ ରୂପରେ ଥାନାକୁ ଆସିଛି । ସୁବାସଙ୍କ ମା ଓ ସାନଭାଇ ମର୍କତନଗର ଥାନାକୁ ଆସି ସୁବାସଙ୍କ ପତ୍ନୀ ଏବଂ ଶଳାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଅକୁ ହରାଇଥିବା ବୃଦ୍ଧା ମା ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ସବୁ ବର୍ଣ୍ଣନା କରିଛନ୍ତି ।
ତୁଳସୀ ତାଙ୍କ ଏତଲାରେ ଲେଖିଛନ୍ତି ୨୦୦୭ ରେ ସୁବାସ ଯାଜପୁର ଅଞ୍ଚଳର ଅପରାଜିତା ରାୟଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ୩ ବର୍ଷ ଯାଏ ସବୁ କିଛି ଠିକଠାକ ଥିଲା । ତା’ ପରଠୁ କିନ୍ତୁ ପରିବାର ସହ ସୁସମ୍ପର୍କ ରହିଲାନି । ସୁବାସଙ୍କୁ ନିଜ ମା, ଭାଇ କି ଗାଁ ଲୋକଙ୍କ ସହ ସମ୍ପର୍କ ରଖିବାକୁ ପତ୍ନୀ ଦେଉ ନ ଥିଲେ । ସୁବାସ ଏହାର ପ୍ରତିବାଦ କରୁଥିବାରୁ ଅପରାଜିତା ତାଙ୍କ ଭାଇ ସହ ମିଶି ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ । ଏହି ବିବାଦରୁ ଉଭୟ ମିଶି ସୁବାସଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇଛନ୍ତି ।
ସୁବାସଙ୍କ ଗାଁ ଲୋକେ ମଧ୍ୟ ତାଙ୍କ ପତ୍ନୀ ଏବଂ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ପତ୍ନୀଙ୍କ ଯୋଗୁଁ ସୁବାସ ୪ ବର୍ଷ ହେଲା ଗାଁକୁ ଆସୁ ନ ଥିଲେ ବୋଲି ସେମାନେ କହିଛନ୍ତି । ସୁବାସଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି ।