ଭୁବନେଶ୍ଵର: ବାଲିଅନ୍ତା ଅଳରେ ଗତକାଲି ଘଟିଥିବା ଲୋମଟାଙ୍କୁରା ବର୍ବର କାଣ୍ଡ ସମଗ୍ର ଆଇନ କାନୁନ ବ୍ୟବସ୍ଥାର ନଗ୍ନତାକୁ ପୁଣି ପଦାରେ ପକାଇଛି। ବେଶୀ ପୂର୍ବକୁ ଯିବା ନାହିଁ। ଏଇ ମାସକ ଭିତରେ ଘଟିଥିବା ଗୋପାଳପୁରର ସୁଧୀର ପାତ୍ର ଅପହରଣ ଓ ହତ୍ୟାକାଣ୍ଡ ଘଟଣା, କଣାସରେ ଜଣେ ଯୁବକଙ୍କୁ ମାଛ ପନିକିରେ ହାଣି ବୁଲେଟ୍ ଚଢ଼ାଇ ହତ୍ୟା ଉଦ୍ୟମ କରିବା ଘଟଣା, ହିଞ୍ଜିଳିକାଟୁରେ ୪ ମାସର ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ୩ ବର୍ଷର ଛୁଆ ସାମନାରେ ହତ୍ୟା ଘଟଣା ଏବଂ ଗତକାଲି ବାଲିଅନ୍ତା ଘଟଣା। ସୁଧୀର ପାତ୍ରଙ୍କୁ ଅପହରଣ କରିନେଇଥିବା ଦୁର୍ବୃତ୍ତମାନେ ପ୍ରାୟ ସପ୍ତାହ ଧରି ତାଙ୍କୁ ମୁଣ୍ଡଜାମିନ୍ ରଖିବା ପରେ ହତ୍ୟା କରି ଜଙ୍ଗଲ ରାସ୍ତାର ପୋଲ ତଳେ ଫିଙ୍ଗି ଦେଇଥିଲେ। କଣାସରେ ବିଚ୍ ବଜାର ଉପରେ ଦିନ ଦିପ୍ରହରରେ ସମସ୍ତଙ୍କ ସାମନାରେ ଘଟଣା ଘଟିଲା। ହିଞ୍ଜିଳିରେ ଗ୍ରାମବାସୀଙ୍କ ସାମନାରେ ଘଟଣା ଘଟିଲା। ବାଲିଅନ୍ତାରେ ଦିନ ଦିପ୍ରହରରେ ଖୋଦ୍ ପୁଲିସ ସାମନାରେ ଯୁବକଙ୍କୁ ସ୍ଥାନୀୟ ଲୋକେ ପିଟି ପିଟି ମାରିଦେଲେ।
ଏ ସମସ୍ତ ଘଟଣା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ଗୋଟିଏ ଗୋଟିଏ ନିଚ୍ଛକ କାହାଣୀ। କଣାସ ଏବଂ ବାଲିଅନ୍ତାର ଛାତିଥରା ଦୃଶ୍ୟ ସୋସିଆଲ୍ ମିଡିଆରେ ଉପଲବ୍ଧ। ଯିଏ ଏହି ଦୃଶ୍ୟ ଦେଖୁଛନ୍ତି ତାଙ୍କୁ ରାତି ସାରା ନିଦ ହେଉ ନ ଥିବ। ନିଜକୁ ସେହି ଜାଗାରେ ଦେଖୁଥିବେ। ସକାଳୁ ଘରୁ ପଦାକୁ ବାହାରିବାକୁ ଡର ଲାଗୁଥିବ। ବାଲିଅନ୍ତା ଘଟଣା ପଛରେ କାରଣ ଯାହା ବି ହେଉ ନା କାହିଁକି, ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଯେ ସମ୍ପୁର୍ଣ୍ଣ ଫେଲ୍ ତାହା ଆଉ ବୁଝାଇ କହିବାର ଆବଶ୍ୟକତା ନାହିଁ।
ବାଲିଅନ୍ତାରେ ଦୁଇ ପକ୍ଷର ଅଭିଯୋଗ ସାଂଘାତିକ। ବିଚ୍ ରାସ୍ତାରେ ଦୁଇଜଣ ଯୁବତୀଙ୍କୁ ଟଣାଓଟରା କରାଯିବା ଅଭିଯୋଗ ସତ ହୋଇଥିଲେ ମହିଳା ଏଠି କେତେ ଯେ ଅସୁରକ୍ଷିତ ତାହା ସ୍ପଷ୍ଟ। ସେହିଭଳି ପୁଲିସ ସାମ୍ନାରେ ଜଣଙ୍କୁ ପିଟି ପିଟି ମାରିଦେବା ଘଟଣାରୁ ଜନଜୀବନ ଯେ ସମ୍ପୂର୍ଣ୍ଣ ଅସୁରକ୍ଷିତ ତାହା କହିବା ଅନାବଶ୍ୟକ। ଖାଲି ସେତିକି ନୁହେଁ। ଦିନ ସାଢେ଼ ୧୧ଟାରେ ଘଟଣା ଘଟିଥିଲେ ମଧ୍ୟ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହେଲା ନାହିଁ। ଶେଷରେ ୪ ଜଣ ଅଭିଯୁକ୍ତଙ୍କୁ ଲୁଚାଇ ଥାନାକୁ ଆଣିଲା ବେଳେ ପୁଲିସ ହେପାଜତରୁ ଅଭିଯୁକ୍ତଙ୍କୁ ଛଡ଼ାଇ ଆଣିବାକୁ ଉଦ୍ୟମ କରିଥିଲେ ମୃତକଙ୍କ ସମର୍ଥକମାନେ। ପୁଲିସକୁ ଆକ୍ରମଣ କରିବାକୁ ସାହାସ କରିଥିଲେ।
ଏଭଳି ଅବସ୍ଥା ସୃଷ୍ଟି ପଛର କାରଣ ହେଉଛି- ନା ଅପରାଧୀ ନା ସାଧାରଣ ଜନତା, ପୁଲିସ ଉପରେ କାହାର ଆଉ ଡର ନାହିଁ କି ବ୍ୟବସ୍ଥା ଉପରେ ଭରସା ନାହିଁ। ଯିଏ ଯାହା ପାରିଲେ କରି ଚାଲିଲେ। ଏଭଳି ଘଟଣା ଘଟେ ଯେତେବେଳେ ଶାସନତନ୍ତ୍ର, ପୁଲିସ ଏବଂ ବ୍ୟବସ୍ଥା ଉପରୁ ଲୋକଙ୍କର ଭୟ ଓ ଆସ୍ଥା ତୁଟିଯାଏ। ସୁଧୀର ପାତ୍ର ଅପହରଣ ହତ୍ୟାଠାରୁ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି।
ବୁଦ୍ଧିଜୀବୀମାନଙ୍କ ମତରେ ବର୍ତ୍ତମାନର ଓଡ଼ିଶାରେ ଅବସ୍ଥା ସୁଧୁରିବାର ସମ୍ଭାବନା ଦିଶୁନି। ଏଥିପାଇଁ ଯେ ରାଜ୍ୟର ଶାସନକଳ ଉପରେ ଶାସନମୁଖ୍ୟଙ୍କର ନିୟନ୍ତ୍ରଣ ନାହିଁ। ମୁଖ୍ୟମନ୍ତ୍ରୀଙ୍କର ଏ ବିଷୟରେ ଭାବିବାକୁ ସମୟ ନାହିଁ। ଉଦଘାଟନ, ଭିତ୍ତି ପ୍ରସ୍ତର, ସଭା ସମିତି ଓ ଭାଷଣବାଜିରେ ତାଙ୍କର ବେଶୀ ସମୟ ଚାଲିଯାଉଛି। ଗଲା ମାସକର କାର୍ଯ୍ୟକ୍ରମ ଦେଖିଲେ ଗୃହମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଇନଶୃଙ୍ଖଳା ବିଷୟରେ ଚିନ୍ତା କରିବାକୁ ସମୟ ପାଇନାହାନ୍ତି। ବିଧାନସଭା ସ୍ବତନ୍ତ୍ର ଅଧିବେଶନ ପ୍ରସ୍ତୁତି ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ତାଙ୍କର ବହୁତ ସମୟ ଚାଲିଗଲା। ଇନଭେଷ୍ଟର୍ସ ମିଟ୍ ପାଇଁ ଗୁଜୁରାଟକୁ ୩ ଦିନିଆ ଗସ୍ତରେ ଗଲେ। ସେଠାରୁ ଫେରି କୋଲକତା ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଚୟନ ପାଇଁ।
ଗତକାଲି ବାଲିଅନ୍ତା ଘଟଣା ଶୁଣିଲା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଯାଇ ଆଜି ସକାଳୁ ଡିଜି ଓ୍ବାଇ.ବି ଖୁରାନିଆ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଛନ୍ତି। ଗତକାଲିଠାରୁ ରାଜଧାନୀ ଉପକଣ୍ଠରେ ଏତେବଡ଼ ଘଟଣା ସାରା ରାଜ୍ୟକୁ ହୁଲସ୍ତୁଲ କରୁଥିଲା ବେଳେ ଡିଜି ମହାଶୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପଡ଼ିଲା। ଏହାଠାରୁ ବଳି ଦୁର୍ଭାଗ୍ୟର କଥା ଆଉ କିଛି ହୋଇ ନ ପାରେ। ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୁଲିସ ମୁଖିଆଙ୍କର ଆଉ କ’ଣ ଏମିତି ବ୍ୟସ୍ତତା ଥିଲା ଯେ ଏତେବଡ଼ ଘଟଣାରେ କାଲିଠାରୁ ଆସି ପାରି ନ ଥିଲେ?
ସବୁ ଘଟଣାରେ ଗଣମାଧ୍ୟମ ସାମନାକୁ ଆସୁଥିବା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ମଧ୍ୟ ବାଲିଅନ୍ତା ଘଟଣାରେ ମୁହଁ ଦିଶୁନାହିଁ। ଘଟଣାର ତଦନ୍ତ ହେବ ଏବଂ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ତାଙ୍କ ମୁହଁରୁ ଘୋଷା କଥା ଶୁଣିବାକୁ ମିଳିନାହିଁ। ୨୪ ବର୍ଷର ବିଜେଡି ଶାସନରେ ଏୟା ହେଉଥିଲା ସେୟା ହଉଥିଲା, ସେତିକି ବି ଏ ପର୍ଯ୍ୟନ୍ତ କହିନାହାନ୍ତି। ବୋଧହୁଏ ବାଲିଅନ୍ତା ଘଟଣାରେ ସେତିକି କହିବାକୁ ତାଙ୍କର ସାହାସ ହୋଇନାହିଁ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ସଦଳବଳେ ଆଜି ବାଲିଅନ୍ତା ଘଟଣାସ୍ଥଳକୁ ଯାଇଥିଲେ। ଦୁଇ ପୀଡ଼ିତାଙ୍କ ଘରକୁ ଯାଇ ବୟାନ ନେଇଥିଲେ। ତେବେ ତାଙ୍କୁ ଦେଖିଲା ପରେ କମିସନର ନିଜ ଦାୟିତ୍ବ ଏ ପର୍ଯ୍ୟନ୍ତ ସଠିକ୍ ଭାବେ ବୁଝିଥିବା ନେଇ ସାମ୍ବାଦିକମାନେ ସନ୍ଦେହ କରିଛନ୍ତି। ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କେମିତି ହାଣ୍ଡଲ୍ କରାଯିବା କଥା ତାହା ସେ ବୁଝି ନ ଥିବା ଜଣାପଡ଼ିଯାଉଛି।
ସୂଚନାଥାଉକି, ରାଜ୍ୟରେ ଏବେ ମହିଳା କମିସନ ଅଛି ବୋଲି କାହାରି ହୃଦୟଙ୍ଗମ ହେଉନାହିଁ। ଏହି ସଂସ୍ଥା ଏକପ୍ରକାର ଅକାମୀ ହୋଇଯାଇଛି। ଅଧ୍ୟକ୍ଷା କେତେବେଳେ ଅଫିସ ଆସନ୍ତି ଓ ଯାଆନ୍ତି ତାହା କେହି କହିପାରିବେନି। ଗୋଟେ ଶୁଣାଣି ପାଇଁ ପୀଡ଼ିତାଙ୍କୁ ବାରମ୍ବାର ଆସିବାକୁ ପଡୁଛି। ନୂତନ ବ୍ୟବସ୍ଥାରେ କାମ କରିବାର ପରିବେଶ ସୃଷ୍ଟି ହୋଇପାରି ନ ଥିବାରୁ କର୍ମଚାରୀମାନେ ଯେଝା ବାଟରେ ଯିଏ। ଜଣେ କିରାଣୀ ସେଠାରେ ଏବେ ସର୍ବେସର୍ବା।
ମୂଳରୁ ଚୁଳ ବ୍ୟବସ୍ଥାକୁ ନ ସଜାଡ଼ିଲେ କଣାସ, ବାଲିଅନ୍ତା ପରି ଏମିତି ଅଘଟଣା ଘଟି ଚାଲିଥିବ। ଜିତୁ ମୁଣ୍ଡାଙ୍କ ଭଳି ଘଟଣା ବି ଘଟି ଚାଲିବ। ମୁଖ୍ୟମନ୍ତ୍ରୀ କେତେ ଆଉ ଦୁଃଖ ପ୍ରକାଶ କରିବେ?