ନୟାଗଡ଼: ୫ ବର୍ଷର କୁନି ଝିଅ ‘ପରୀ’ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଆଜି ସଂଧ୍ୟାରେ ନୟାଗଡ଼ ପୋକସୋ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏସଆଇଟି । ଏଥିସହ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ମାତ୍ର ଆସନ୍ତାକାଲିଠାରୁ ୩ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ । ଆଜି ନୟାଗଡ଼ ଜେଲ୍ ହାଜତକୁ ଯାଇଛି ମୁଖ୍ୟ ଅଭିଯୁକ୍ତ ।
ଗିରଫ ମୁଖ୍ୟ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୧୦ ଦିନ ଭିତରେ ତାକୁ ଅନେକଥର ପଚରାଉଚୁରା କରାଯାଇଥିଲା । ପରୀ ହତ୍ୟାକାଣ୍ଡରେ ତା’ର ସଂପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ମିଳିଲା ପରେ ଗିରଫ କରାଗଲା । ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଶ୍ରୀ ବୋଥ୍ରା କହିଛନ୍ତି । ଯୌନ ଅତ୍ୟାଚାରରୁ ଏହି ଘଟଣା ଘଟିଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡରେ ଅନ୍ୟ କାହାରି ସଂପୃକ୍ତି ରହିଛି, ଶବ ଲୁଚାଇ ନଷ୍ଟ କରିବାରେ ତାକୁ କିଏ ସାହାଯ୍ୟ କରିଛି ସେବୁର ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ବୋଥ୍ରା ।
ପରୀ ର ପଡୋଶୀ ଏହି ମୁଖ୍ୟ ଅଭିଯୁକ୍ତକୁ ଧରି ଆଜି ସକାଳେ ଯଦୁପୁର ଗାଁକୁ ଯାଇଥିଲା ଏସଆଇଟି । ସେଠାରେ ସିନ୍ ରିକ୍ରିଏସନ୍ କରାଯାଇଥିଲା । ଅଧିକ ତଦନ୍ତ ପାଇଁ ପରୀର ଗଳିତ ଶବ ମିଳିଥିବା ପୋଖରୀରୁ ପାଣି ଖାଲି କରାଯାଉଛି । ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା କଲେଜ ଛାତ୍ରକୁ ନେଇ ଯଦୁପୁର ଗ୍ରାମବାସୀ ସ୍ତବ୍ଧ ହୋଇଛନ୍ତି । କେଉଁ ପରିସ୍ଥିତିରେ ସେ ଏଭଳି କାଣ୍ଡ ଭିଆଇଛି ତାହା ଜାଣିବାକୁ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଛି ।
ଅନ୍ୟପକ୍ଷରେ ଏସଆଇଟି କାର୍ଯ୍ୟାନୁଷ୍ଠାନରେ ପରୀ ର ବାପା ଓ ମାଆ ଖୁସି ହେବା ବଦଳରେ ଓଲଟି ସମାଲୋଚନା କରିଛନ୍ତି । ଏସଆଇଟି ତଦନ୍ତ ଉପରେ ସେମାନଙ୍କର ବିଶ୍ୱାସ ନାହିଁ । ମାମଲାର ସିବିଆଇ ତଦନ୍ତ ପାଇଁ ସେମାନେ ପୁରୁଣା ଜିଦ୍ ରେ ଅଟଳ ଅଛନ୍ତି ।
ସୂଚନାଯୋଗ୍ୟ, ଗିରଫ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬(ଏ), ୩୭୬(ଏବି), ୩୬୪, ୩୦୨,୨୦୧ ଦଫା ଏବଂ ପୋକସୋ ଆକ୍ଟର ଧାରା ୬ ରେ ମାମଲା ରୁଜୁ ହୋଇଛି ।