ଭୁବନେଶ୍ୱର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ବେଶ୍ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଛି । ଏହା ସତ ଯେ ଉଭୟ ଦଳ ପକ୍ଷରୁ ମେଣ୍ଟ କସରତ୍ ଜାରି ରହିଛି । ଦିଲ୍ଲୀରେ ବିଜେପି ନେତାଙ୍କର ଘନ ଘନ ବୈଠକ ବସୁଛି । ମାତ୍ର ସେହି ବୈଠକର ବଡ଼ ଅଂଶୀଦାର ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ଚର୍ଚ୍ଚାକୁ ମିଛ ଓ ଗୁଜବ କହି ଫାଙ୍କି ଚାଲିଛନ୍ତି । ମେଣ୍ଟ ନେଇ ଦଳୀୟ ବୈଠକରେ କୌଣସି ଚର୍ଚ୍ଚା ହୋଇନାହିଁ ବୋଲି ପୂର୍ବରୁ କହିସାରିଥିବା ମନମୋହନ ଆଜି ପରୋକ୍ଷରେ ଏହା ଦୋହରାଇଥିଲେ । ଏକାକୀ ସରକାର ଗଢ଼ିବୁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ନିଜର ସୋସିଆଲ୍ ମିଡିଆରେ ନିଜର ମନ୍ତବ୍ୟକୁ ପୋଷ୍ଟ କରିଥିଲେ । ମାତ୍ର କିଛି ସମୟ ପରେ ଏହାକୁ ଡିଲିଟ୍ କରି ୟୁ-ଟର୍ଣ୍ଣ ନେବା ଏବଂ ଦିଲ୍ଲୀରୁ ପୁନର୍ବାର ଡକରା ପାଇବା ମେଣ୍ଟ ଦ୍ୱନ୍ଦକୁ ପୁଣି ବଢ଼ାଇ ଦେଇଛି ।
୫ ଦିନ ହେଲା ଦିଲ୍ଲୀରେ ଥିବା ମନମୋହନ ଆଜି ଦିଲ୍ଲୀରୁ ଫେରିଥିଲେ । ବିମାନବନ୍ଦରରୁ ବାହାରିଲା ବେଳେ ତାଙ୍କ ମୁହଁ ବିଷର୍ଣ୍ଣ ଦିଶୁଥିଲା । ସାମ୍ବାଦିକମାନେ ତାଙ୍କଠାରୁ ମେଣ୍ଟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଏହି ପ୍ରଶ୍ନରେ ତାଙ୍କର ପାଟି ଖନି ମାରିଯାଇଥିଲା । ସେ କହିଥିଲେ ଯେ ସବୁ ଠିକ୍ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ସବୁ ବିଷୟରେ ବିଚାର ଆଲୋଚନା କରୁଛୁ ।
ଏହାପରେ ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ ମନମୋହନ । ସାମ୍ବାଦିକମାନେ ମେଣ୍ଟ ଉପରେ ପ୍ରଶ୍ନ କରିଥିଲେ । ମାତ୍ର ମନମୋହନ ସିଧାସଳଖ ପ୍ରଶ୍ନର ଉତ୍ତର ନ ଦେଇ ତାଙ୍କ ଭାଷାରେ ଉତ୍ତର ରଖିଥିଲେ । କହିଥିଲେ, ବିଜେପି ଏକାକୀ ସରକାର କରିବ । ଓଡ଼ିଶାର ଅସ୍ମିତା ନେଇ ବିଜେପି ନିର୍ବାଚନ ଲଢ଼ିବ ଏବଂ ଏକାକୀ ସରକାର ଗଢ଼ିବ । ତାଙ୍କର ଏହି ମନ୍ତବ୍ୟ ପରେ ବିଜେପି ଅଫିସ୍ ରେ ନେତାମାନେ ଖୁସିରେ ମିଠା ଖୁଆଖୁଇ ହୋଇଥିଲେ । ବେଶୀ ଖୁସି ଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ସମସ୍ତଙ୍କୁ ମିଠା ଖୁଆଉଥିବା ଦେଖିବାକୁ ମିଳିଲା ।
ତେବେ କେବଳ ଟିଭି ବାଇଟ୍ ରେ ମନମୋହନଙ୍କର ମନ୍ତବ୍ୟ ସୀମିତ ନ ଥିଲା । ନିଜର ସୋସିଆଲ୍ ମିଡିଆ ‘ଏକ୍ସ’ ରେ ସେ ମଧ୍ୟ ନିଜର ମନ୍ତବ୍ୟକୁ ଦୋହରାଇଥିଲେ । ଲେଖିଥିଲେ, ଓଡ଼ିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଏବଂ ସରକାର ମଧ୍ୟ କରିବ । ଏଥର ଓଡ଼ିଆ ଅସ୍ମିତା ଏବଂ ସ୍ୱାଭିମାନ ପାଇଁ ପ୍ରତ୍ୟେକ ଓଡ଼ିଆ ଦାୟିତ୍ୱ ନେଇ ଏହି ନିର୍ବାଚନ ଲଢ଼ିବେ ଏବଂ ସରକାର ଗଠନ କରିବେ ।
ତେବେ ମନମୋହନ ତାଙ୍କର ଏହି ମନ୍ତବ୍ୟକୁ କିଛି ସମୟ ପରେ ଏକ୍ସରୁ ହଟାଇ ଦେଇଥିଲେ । ଖାଲି ସେତିକି ନୁହେଁ, ତାଙ୍କର ମତ ବି ବଦଳାଇଦେଲେ । କହିଲେ ମୁଁ ମେଣ୍ଟ ଶବ୍ଦ କେଉଁଠି ଧରିନି । ଦଳର ସଂସଦୀୟ ବୋର୍ଡ ଓ ରାଷ୍ଟ୍ରୀୟ ସଭାପତି ଯାହା ନିଷ୍ପତ୍ତି ନେବେ ତାହାକୁ ମାନିବୁ ।
ମନମୋହନଙ୍କର ଏଭଳି ୟୁ-ଟର୍ଣ୍ଣ ସମସ୍ତଙ୍କୁ ଅଧିକ ଦ୍ୱନ୍ଦ ଓ ରହସ୍ୟରେ ପକାଇଛି । ଏହା ପଛରେ ଉପରୁ ଚାପ ଥିବା ଚର୍ଚ୍ଚା ହେଉଥିବାରୁ ମେଣ୍ଟ ସମ୍ଭାବନା ଉପରୁ ଦ୍ୱନ୍ଦ ହଟିନାହିଁ ବୋଲି ଧରିନେବାକୁ ହେବ । ତେବେ କଥା ସେତିକିରେ ସରିନାହିଁ । ମନମୋହନଙ୍କୁ ତୁରନ୍ତ ପୁଣି ଥରେ ଦିଲ୍ଲୀରୁ ଡକରା ଆସିଛି । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଆସିଥିବା ଜଣାପଡ଼ିଛି ।