ଭୁବନେଶ୍ୱର: ଇଣ୍ଟର କ୍ୟାଡର ଡେପୁଟେସନରେ ଓଡ଼ିଶା ଆସିଥିବା ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ ସାହୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ଭାବେ ନିଯୁକ୍ତି ପାଇଛନ୍ତି । ଅରିନ୍ଦମ ଡାକୁଆଙ୍କ ଜାଗାରେ ସେ ଏହି ଦାୟିତ୍ୱ ସମ୍ଭାଳିବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଦୁଇଦିନ ତଳେ ଶ୍ରୀ ଡାକୁଆଙ୍କର ବଦଳି ହୋଇଥିଲା ।
ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ( ଏଜିଏମୟୁଟି) କ୍ୟାଡରର ଅଧିକାରୀ ହେଉଛନ୍ତି ମନୋଜ ସାହୁ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ସିଙ୍ଗପୁର ଗାଁର ସେ ବାସିନ୍ଦା । ଜଣେ ଦକ୍ଷ ଅଧିକାରୀ ଭାବେ ତାଙ୍କର ସୁନାମ ରହିଛି । ରାଜ୍ୟ ବିଜେପି ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ତାଙ୍କୁ ଇଣ୍ଟର କ୍ୟାଡର ଡେପୁଟେସନରେ ଓଡ଼ିଶା ପଠାଇଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଥିଲା ।
ସୂଚନାଥାଉକି, ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅରିନ୍ଦମ ଡାକୁଆଙ୍କୁ ଗତ ଜୁଲାଇ ମାସରେ ନିଯୁକ୍ତି ମିଳିଥିଲା । ମାତ୍ର ଅଳ୍ପ କେଇଟା ଦିନରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରୁ ତାଙ୍କୁ କାହିଁକି ବଦଳି କରାଗଲା, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଗତ ବିଜେଡି ସରକାର ଅମଳରେ ଏହି ପଦର ଗୁରୁତ୍ୱ ବଢ଼ିଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ଭି.କେ.ପାଣ୍ଡିଆନ୍ ୨୦୧୧ ମସିହାରୁ କାର୍ଯ୍ୟ କରୁଥିଲେ ।