ଭୁବନେଶ୍ୱର: ୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କାମ । ଏହାପରେ ସହରରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ଭୂମିଠାରୁ ୧୩ ମିଟର ଉପରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ତେବେ ରାଜମହଲ, ଜୟଦେବବିହାର ଓଭରବ୍ରିଜ୍ ତଥା ବାରଙ୍ଗ ରେଲୱେ ଲାଇନ୍ ଉପରେ ଏହାର ଉଚ୍ଚତା ଅଧିକ ରହିବ । ପ୍ରତି ୧୦ ମିନିଟ୍ ବ୍ୟବଧାନରେ ଟ୍ରେନ୍ ଗଡ଼ିବ । ସେଥିପାଇଁ ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ କିଣିବାକୁ ଯୋଜନା ହୋଇଛି ବୋଲି ଭୁବନେଶ୍ୱର ମେଟ୍ରୋ ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ଏବେ ମାଟି ପରୀକ୍ଷା ଚାଲିଛି । ବିଭିନ୍ନ ସ୍ଥାନରୁ ୫୦- ୬୦ ମିଟର ତଳୁ ମାଟି ନେଇ ଦିଲ୍ଲୀ ଓ କଟକସ୍ଥିତ ଲାବୋରେଟରିରେ ପରୀକ୍ଷା କରାଯାଉଛି । ୨ ମାସ ମଧ୍ୟରେ ମାଟି ପରୀକ୍ଷା ସରିଯିବ । ସେହିପରି ସଡ଼କ ଯାତ୍ରୀଙ୍କ ଯାତାୟତ ସୁବିଧା ଲାଗି ଶିଶୁ ଭବନ ଛକଠାରୁ ରଘୁନାଥପୁର ଜାଲି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ ହେବ । ମାଟି ପରୀକ୍ଷା ରିପୋର୍ଟ ଆସିବା ପରେ ଫାଉଣ୍ଡେସନ୍ ଡିଜାଇନ ଆରମ୍ଭ ହେବ ।
ତ୍ରିଶୂଳିଆ ଫୁଲପୋଖରୀ ରତାଗଡ଼ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମେଣ୍ଟେନାନସ୍ ବା ରକ୍ଷଣାବେକ୍ଷଣ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଛି । ସେହିଭଳି ଭୁବନେଶ୍ୱର ଘାଟିକିଆଠାରେ କାଷ୍ଟିଂ ୟାର୍ଡ ତିଆରି ଚାଲିଛି । ଏଠାରେ ମେଟ୍ରୋ ରେଳ ଲାଇନ୍ ପାଇଁ କାଷ୍ଟିଂ ଉପକରଣ ତିଆରି ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।






