ଭୁବନେଶ୍ୱର: ଗତ ଗଣେଶ ପୂଜାବେଳେ ସୁନ୍ଦରଗଡ଼ର ସୁନାରିପଡ଼ାରେ ମନ୍ତ୍ରୀ ସାରଦା ନାୟକଙ୍କର ‘ମୈ ହୁଁ ଡନ୍’ ନାଚ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏକ ମେଲୋଡ଼ି କାର୍ଯ୍ୟକ୍ରମରେ ଅମିତାଭ ବଚନଙ୍କ ସୁପର ହିଟ୍ ‘ମୈ ହୁଁ ଡନ୍’ ଗୀତର ତାଳେ ତାଳେ ମନ୍ତ୍ରୀ ଷ୍ଟେଜ୍ ଉପରେ ଧୂମ୍ ନାଚିଥିଲେ । ଏବେ ମନ୍ତ୍ରୀ ମହୋଦୟଙ୍କର ଆଉ ଦୁଇଟି ଭିଡିଓ ମାର୍କେଟ୍ କୁ ଆସିଛି । ଗୋଟିକରେ ଏକ କୱାଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ମନ୍ତ୍ରୀ ଅତିଶୟ ବିଭୋର ହୋଇ ଗାୟକ ଓ ଦର୍ଶକଙ୍କ ଉପରକୁ ୫୦୦ ଟଙ୍କିଆ ନୋଟ୍ ବର୍ଷା କରୁଥିବା ବେଳେ ଅନ୍ୟଟିରେ ମନ୍ତ୍ରୀ ଏକ ରକ୍ତଦାନ ଶିବିରରେ ଯୋଗଦେଇ ଜଣେ ରକ୍ତଦାତାଙ୍କ ବ୍ଲଡ୍ ପ୍ରେସର୍ ଚେକ୍ କରିବା ସହ ତାଙ୍କଠାରୁ ସିରିଞ୍ଜରେ ରକ୍ତ ଟାଣୁଛନ୍ତି । ମନ୍ତ୍ରୀଙ୍କର ଏହି ଭିନ୍ନ ଭିନ୍ନ ଅବତାର ତାଙ୍କୁ ବିବାଦ ଘେରକୁ ଟାଣି ଆଣିଛି ।

ଗତକାଲି ସଂଧ୍ୟାରେ ସୁନ୍ଦରଗଡ଼ର ଏକ ହୋଟେଲରେ ମୁସଲିମ୍ ୟୁଥ୍ କମିଟି ପକ୍ଷରୁ ଏକ କୱାଲି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଠି ଅତିଥି ଭାବେ ଉପସ୍ଥିତ ଥିଲେ ମନ୍ତ୍ରୀ ସାରଦା ନାୟକ । ପ୍ରସିଦ୍ଧ ଗାୟକ ରାଇସ ଅନିସ ସାବରୀ ଗୋଟିଏ ପରେ ଗୋଟିଏ କୱାଲି ପରିବେଷଣ କରୁଥିବା ବେଳେ ଯୁବପୀଢ଼ି ମସଗୁଲ୍ ହୋଇ ଯାଇଥିଲେ । ନାଚ ସାଙ୍ଗକୁ ଉଡ଼ିଥିଲା ପୁଳା ପୁଳା ଟଙ୍କା । ୧୦ ଟଙ୍କିଆରୁ ଆରମ୍ଭ କରି ୫୦୦ ଟଙ୍କିଆ ଯାଏଁ ବିଡ଼ା ବିଡ଼ା ନୋଟ୍ ଉଡ଼ାଇଥିଲେ ଦର୍ଶକ । ଆଉ ସେମାନଙ୍କ ସହ ମିଶି ଯାଇଥିଲେ ମନ୍ତ୍ରୀ ସାରଦା । ସେ ବି ଉଡ଼ାଇଥିଲେ ନୋଟ୍ । ଖାଲି କୱାଲି ଗାୟକଙ୍କ ଉପରକୁ ନୁହେଁ, ଆତ୍ମବିଭୋର ମନ୍ତ୍ରୀ ଦର୍ଶକଙ୍କ ଉପରକୁ ବି ପୁଳା ପୁଳା ନୋଟ୍ ଫିଙ୍ଗି ବେଶ୍ ମଜା ନେଉଥିଲେ ।








