ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି କଟକ ସଦର ବିଧାୟକ ପ୍ରକାଶ ସେଠୀ । ୨୦୨୪ ବାଲିଯାତ୍ରା ଉଦଘାଟନ ମହୋତ୍ସବରେ ତାଙ୍କର ଇଂଲିଶ୍ ଭାଷଣ ମଞ୍ଚାସୀନ ବିଦେଶୀ ଅତିଥିଙ୍କ ଛାତି ଥରାଇ ଦେଇଥିଲା । ଘରୋଇ ଅତିଥିଙ୍କ ମୁହଁ ବଙ୍କା କରିଦେଇଥିଲା । ତାଙ୍କର ଇଂଲିଶ୍ ଭାଷଣର ଭିଡିଓ ଯିଏ ଶୁଣିଲା ହସି ହସି ପେଟ ଦରଜ କଲା । ନିଜର ସେହି ଇଂଲିଶ୍ ଭାଷଣକୁ ନେଇ ତାଙ୍କର କିନ୍ତୁ ସାମାନ୍ୟତମ ଲଜ୍ଜାବୋଧ ହେଲା ନାହିଁ । ହୋଇଥିଲେ ‘ଇଂଲିଶ୍ ବିଧାୟକ’ ନାଁ ପାଇ ଖୁସି ହୋଇନଥାନ୍ତେ । ବୁଲି ବୁଲି ଟିଭିକୁ ଇଣ୍ଟରଭ୍ୟୁ ଦେଇ ପୁଣି ସେମିତି ଇଂଲିଶ୍ ଝାଡ଼ନ୍ତେ ନାହିଁ । ଏବେ ସେହି ଇଂଲିଶ୍ ବିଧାୟକ ଫ୍ରେସ୍ ଚର୍ଚ୍ଚାକୁ ଆସିଛନ୍ତି । ଇଂଲିଶ୍ ବିଧାୟକର ଖାଦି ଦେଖାଇ ରେଭେନସା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ତଥା ଚିଫ୍ ୱାର୍ଡେନ୍ ଙ୍କୁ କୁଳପତି ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ଇଂରାଜୀରେ ଗାଳି କରିଛନ୍ତି । ନନସେନ୍ସ, ଇଡିଅଟ୍ ବୋଲି କହିଛନ୍ତି । ବିଧାୟକଙ୍କର ଉଚ୍ଚାରଣ ଓ ଆଚରଣକୁ ଅଭଦ୍ରାମୀ ବୋଲି କୁହାଯାଇଛି । ଏହା ବିରୋଧରେ ରେଭେନସା ଶିକ୍ଷକ ଓ ଛାତ୍ର ସମାଜ ଏକାଠି ହୋଇଛନ୍ତି ।
ରେଭେନସା ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ମୁଖ୍ୟ ତଥା ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦୁର୍ବ୍ୟବହାର ଘଟଣା ସାଂଘାତିକ ରୂପ ନେଲାଣି । ବିଧାୟକଙ୍କ ଆଚରଣର ପ୍ରତିବାଦରେ ଚିଫ୍ ୱାର୍ଡେନ୍ ପ୍ରଫେସର ମିଶ୍ରଙ୍କ ଇସ୍ତଫା ପରେ ତାଙ୍କୁ ସମର୍ଥନ କରି ବିଶ୍ୱବିଦ୍ୟାଳୟର ୧୩ଟି ହଷ୍ଟେଲର ସମସ୍ତ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ସମୂହ ଗତକାଲି ଇସ୍ତଫା ଦେଇଥିଲେ । ଆଜି ବିଶ୍ୱବିଦ୍ୟାଳୟ ୱାର୍ଡେନ୍ ସଂଘର ସମର୍ଥନରେ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ମିଳିତ ଭାବେ କ୍ୟାମ୍ପସ୍ ପରିସରରେ ପଦଯାତ୍ରାରେ ଯାଇ କୁଳପତିଙ୍କୁ ୪ ଦଫା ଦାବିପତ୍ର ଦେଇଛନ୍ତି । ବିଧାୟକ ପ୍ରକାଶ ସେଠୀ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।
ତେବେ ଇଂଲିଶ୍ ବିଧାୟକ ଶ୍ରୀ ସେଠୀ କିନ୍ତୁ ଛାଡ଼ିବାର ନେତା ନୁହଁନ୍ତି । ରେଭେନସା ଶିକ୍ଷକମାନଙ୍କୁ ବିଧାନସଭା ଖାଦି ଦେଖାଇଛନ୍ତି । ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଚିଠି ଲେଖି ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି । ସେ ଲେଖିଛନ୍ତି, ଇଷ୍ଟ ହଷ୍ଟେଲ ପିଲା ଅନଶନ ଆନ୍ଦୋଳନ କରୁଥିଲେ । ପରିସ୍ଥିତିକୁ ଶାନ୍ତ ଓ ସ୍ୱାଭାବିକ କରିବାକୁ ଆଲୋଚନାରେ ଭାଗ ନେଇଥିଲେ । କୁଳପତିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ପ୍ରଫେସର ମିଶ୍ର ତାଙ୍କ ସହ ଅନାବଶ୍ୟକ ଯୁକ୍ତିତର୍କ କରିଥିଲେ । ଅସମ୍ମାନଜନକ ଓ ଅପମାନଜନକ ବ୍ୟବହାର ପ୍ରଦର୍ଶନ କରିଥିଲେ । ତାଙ୍କ ଆଚରଣ ଅତ୍ୟନ୍ତ ଅଶୋଭନୀୟ ଥିଲା ଯାହା ଜଣେ ଜନପ୍ରତିନିଧିଙ୍କ ଗରିମା ଓ ଅନୁଷ୍ଠାନର ଶୃଙ୍ଖଳାକୁ କ୍ଷୁର୍ଣ୍ଣ କରିଛି ।
ବିଧାୟକଙ୍କଠାରୁ କ୍ଷମା ଦାବି କରି ବିଶ୍ୱବିଦ୍ୟାଳୟ କଲେଜ ଶିକ୍ଷକ ସଂଘର ଆନ୍ଦୋଳନ ଏବଂ ପ୍ରଫେସର ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ଶ୍ରୀ ସେଠୀ ବାଚସ୍ପତିଙ୍କୁ ଚିଠି ଲେଖିବା ପରେ ମାମଲା ଜଟିଳ ମୋଡ଼ ନେଇଛି । ଆଜି ବିଧାୟକଙ୍କ ବିରୋଧରେ ରେଭେନସା ଛାତ୍ର ସଂଘ ବାହାରିଛନ୍ତି । ଜଣେ ପ୍ରଫେସରଙ୍କୁ ଜଣେ ଜନପ୍ରତିନିଧି ଦୁର୍ବ୍ୟବହାର କରିବା ଘଟଣାକୁ ସେମାନେ ବରଦାସ୍ତ କରିନାହାନ୍ତି । ବିଧାୟକ କ୍ଷମା ନ ମାଗିଲେ ଆନ୍ଦୋଳନ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ସୂଚନାଥାଉକି, ଇଷ୍ଟ ହଷ୍ଟେଲ ପିଲାମାନେ ହଷ୍ଟେଲର ଡେପୁଟି ୱାର୍ଡେନଙ୍କ ବଦଳି ଦାବିରେ ଅନଶନରେ ବସିଥିଲେ । ସେମାନଙ୍କ ଦାବି ଉପରେ ଆଲୋଚନା ପାଇଁ ରବିବାର ରାତିରେ କୁଳପତି, ସଦର ବିଧାୟକ, ଚିଫ୍ ୱାର୍ଡେନ୍ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନେଇ ଏକ ବୈଠକ ହୋଇଥିଲା । ଏଥିରେ ବିଧାୟକ ଶ୍ରୀ ସେଠୀ ଚିଫ୍ ୱାର୍ଡେନଙ୍କୁ ଗାଳିଗୁଲଜ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଜଣେ ଜନ ପ୍ରତିନିଧିଙ୍କ ଏଭଳି ଆଚରଣ ଓ ବ୍ୟବହାର ସମସ୍ତଙ୍କୁ କ୍ଷୁବ୍ଧ କରିଥିଲା । ଏହାକୁ ବିରୋଧ କରି ୨୯ଟି ଯାକ ହଷ୍ଟେଲ୍ ର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ କୁଳପତିଙ୍କ ପାଖକୁ ଇସ୍ତଫା ପଠାଇଥିଲେ ।