ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କଟକ ଜିଲ୍ଲା ମାହାଙ୍ଗା । ଅଢ଼େଇ ବର୍ଷ ତଳେ କଂଗ୍ରେସ ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣା ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା । ଏବେ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ହେଲାଣି ତୁମ୍ବିତୋଫାନ । ଡବଲ ମର୍ଡର ଘଟଣା ଭଳି ଛାତ୍ରୀ ମୃତ୍ୟୁ ଘଟଣାରେ ବିରୋଧୀଙ୍କ ଅନୁରୂପ ଟାର୍ଗେଟ୍ କୁ ଆସିଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଜେନା । ବିଧାୟକଙ୍କର ଘନିଷ୍ଠ ସହଯୋଗୀଙ୍କର ଏକ ଭାଇରାଲ୍ ଅଡିଓ ମାମଲାକୁ ଜଟିଳ କରିଛି ।
ଘଟଣା ଏହିଭଳି । ମାହାଙ୍ଗା ଅନ୍ତର୍ଗତ ଶୁଖୁଆପଡ଼ା ଗାଁର ଜଣେ ୧୫ ବର୍ଷୀୟା ଝିଅର ଗତ ଜୁନ୍ ୧୮ ତାରିଖରେ ମୃତ୍ୟୁ ହୋଇଥିଲା । ଗୋକନ୍ ହାଇସ୍କୁଲରେ ଦଶମ ଶ୍ରେଣୀରେ ସେ ପଢ଼ୁଥିଲେ । ତାଙ୍କର ମୃତ୍ୟୁକୁ ନେଇ ଗ୍ରାମବାସୀମାନେ ଟୁପୁରୁ ଟାପର ହୋଇଥିଲେ ମଧ୍ୟ ଠୋସ୍ କାରଣ ବାହାରକୁ ଆସି ନ ଥିଲା । ମାତ୍ର କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଏକ ଅଡିଓ ବାର୍ତ୍ତାଳାପ ଭାଇରାଲ୍ ହୋଇଥିଲା । ମାହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବିଜେଡି ନେତା ଶରତ ନାୟକ ଏବଂ ଗୋକନ୍ ହାଇସ୍କୁଲର ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ ବିଜୟଲକ୍ଷ୍ମୀଙ୍କ ମଧ୍ୟରେ ମୋବାଇଲରେ ହୋଇଥିବା କଥାବାର୍ତ୍ତାର ଏହା ଥିଲା କ୍ଲିପ୍ ।
ଛାତ୍ରୀ କେଉଁ ପରିସ୍ଥିତିରେ ମରିଛନ୍ତି ଶରତଙ୍କ ମୁହଁରୁ ଏଥିରେ ଶୁଣିବାକୁ ମିଳୁଛି । । କୁଆଡ଼େ ଛାତ୍ରୀଙ୍କ ସହିତ ବିଜୟଲକ୍ଷ୍ମୀଙ୍କ ପୁଅ ତଥା ଗୋକନ୍ ହାଇସ୍କୁଲର ପିଇଟି ଅନୁପମ ରାୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଛାତ୍ରୀଙ୍କ ମୋବାଇଲ୍ ରୁ ଏହାର ପ୍ରମାଣ ତାଙ୍କ ଘରଲୋକ ପାଇବା ପରେ ଭୟରେ ସେ ଆତ୍ମହତ୍ୟା କରିଥିଲେ । ତେବେ ପ୍ରମାଣ ନଷ୍ଟ କରିବାକୁ ଯାଇ ଘରଲୋକ ଶବକୁ ତରବରିଆ ଭାବେ ପୋଡି ଦେଇଥିଲେ ଏବଂ ଅର୍ଦ୍ଧପୋଡା ଶରୀର ଓ ପାଉଁଶକୁ ନଦୀରେ ଫିଙ୍ଗି ଦେଇଥିଲେ ।
ଘଟଣା ପ୍ରଘଟ ନ କରାଇ ମାମଲା ମାମଲା ରଫାଦଫା କରାଯାଇଥିବା ଶରତ ନାୟକ କହୁଛନ୍ତି । ଏଥିପାଇଁ ପୁଲିସ ଏବଂ ସାମ୍ବାଦିକଙ୍କୁ ଖୁସି କରାଇବା ପାଇଁ ତୁରନ୍ତ ୭୦ ହଜାର ଟଙ୍କା ମାଗୁଛନ୍ତି । ଏତେ ଟଙ୍କା ଯୋଗାଡ଼ କରିପାରିବେନି ବୋଲି ବିଜୟଲକ୍ଷ୍ମୀ ନେହୁରା ହେଉଛନ୍ତି । ହେଲେ ଟଙ୍କା ନ ଦେଲେ ଆପଣଙ୍କ ପୁଅ(ପିଇଟି ଶିକ୍ଷକ) ନାମ ନେବେ ବୋଲି ଶରତ ଡରୋଉଛନ୍ତି । ଏହି ସମୟରେ ମନ୍ତ୍ରୀଙ୍କର ଫୋନ୍ ଆସିଲାଣି କହି ଶରତ ଫୋନ୍ କାଟିଛନ୍ତି ।
ଏହି ଅଡିଓକୁ ଧରି ବିଜେପିର ଏକ ପ୍ରତିନିଧି ଦଳ ପୁଲିସ ଡିଜିଙ୍କୁ ଭେଟିଛନ୍ତି । ଛାତ୍ରୀଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ କରିବାକୁ ବିଜେପି ନେତାମାନେ ଦାବି କରିଥିବା ବେଳେ ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ସିଧାସଳଖ ସଂପୃକ୍ତି ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ ହେବ ବୋଲି କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି ।
ତେବେ ଏହା ଉପରେ ବିଧାୟକ ଶ୍ରୀ ଜେନା ପ୍ରତିକ୍ରିୟା ଦେଇନାହାନ୍ତି ।