Monday, May 18, 2026 05:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଛି ହଉନି, ଲୋକେ ନିରାଶ !

ମୋହନ ସରକାରଙ୍କୁ ବର୍ଷେ

by Samar Pradhan
12 Jun, 2025- 06:26 PM
in Latest News, News
1 min read
0
କିଛି ହଉନି, ଲୋକେ ନିରାଶ !

ଭୁବନେଶ୍ୱର: ମୋହନ ସରକାରଙ୍କୁ ଆଜି ପୂରିଲା ବର୍ଷେ । ଗତବର୍ଷ ଆଜିର ଦିନରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହୋଇଥିଲା । ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ବଦଳିଗଲା । ଅନେକଙ୍କ ପାଇଁ ନିର୍ବାଚନ ଫଳ ଅପ୍ରତ୍ୟାଶିତ ଥିଲେ ମଧ୍ୟ ଲୋକେ ଯେ ପରିବର୍ତ୍ତନ ଚାହୁଁଥିଲେ ତାହା ସ୍ୱୀକାର୍ଯ୍ୟ । ଯାହାର ଫାଇଦା ବିଜେପିକୁ ମିଳିଲା । ନବୀନ ବାବୁଙ୍କ ଭଳି ଅତ୍ୟନ୍ତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଜାଗା ନେଲେ ମୋହନ ଚରଣ ମାଝୀ । କେନ୍ଦ୍ରରେ ତୃତୀୟ ପାଳି ମୋଦୀ ସରକାରକୁ ଓଡ଼ିଶାରେ ପ୍ରଥମ ପାଳି ବିଜେପି ସରକାର । ଏହି ଡବଲ୍ ଇଂଜିନ୍ ସରକାରକୁ ନେଇ ସାଧାରଣ ଜନତା ଓ କର୍ମୀଙ୍କ ମନରେ ସୃଷ୍ଟି ହେଲା ଅପୂର୍ବ ଉତ୍ସାହ । ତେବେ ବର୍ଷକରେ ଲୋକଙ୍କର ଆଶା, ଆକାଂକ୍ଷା ପୂରଣ କରିବାରେ ମୋହନ ସରକାର କେତେ ସଫଳ?

୨୦୨୪ ଜୁନ୍ ୧୨ ତାରିଖରେ ମୋହନ ମାଝୀ ସରକାରଙ୍କ ଶପଥ ଗ୍ରହଣ ସଂଧ୍ୟାରେ ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ୪ଟି ବଡ଼ ନିଷ୍ପତ୍ତି ନିଆଗଲା । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ଶ୍ରୀମନ୍ଦିର କର୍ପସ୍ ଫଣ୍ଡ ପାଇଁ ୫୦୦ କୋଟି ମଂଜୁର, ସମୃଦ୍ଧ କୃଷକ ନୀତି ଯୋଜନା ପ୍ରଣୟନ ଏବଂ ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ।

ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ରେ ଏହି ନିଷ୍ପତ୍ତି ଲୋକଙ୍କ ମନରେ ଗଭୀର ଆଶା ସଞ୍ଚାର କରିଥିଲା । ନିର୍ବାଚନ ବେଳେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଛି, ଅକ୍ଷରେ ଅକ୍ଷରେ ପାଳନ ହେବ ବୋଲି ଲୋକେ ବିଶ୍ୱାସ କଲେ । ବିଜେପି କଥାରେ ନୁହେଁ, କାମରେ ବିଶ୍ୱାସ କରେ ବୋଲି ଲୋକଙ୍କର ଭାବନା ହେଲା ।

ମାତ୍ର ବାସ୍ତବରେ ହୋଇଛି କ’ଣ?

ଶପଥ ଗ୍ରହଣ ପରଦିନ ସରକାର ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଦେଲେ ସତ ହେଲେ ଭିଡ଼ ସମ୍ଭାଳି ପାରିଲେନି । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିପାରିଲେନି । ସେଥିପାଇଁ ଦୁଇ ଦ୍ୱାର ବନ୍ଦ କରିବାକୁ ସରକାର ବାଧ୍ୟ ହେଲେ । ସେହିଭଳି ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ମଂଜୁର ହୋଇଥିଲେ ବି ବଡ଼ଠାକୁରଙ୍କର ଶୃଙ୍ଖଳିତ ଦର୍ଶନ ହୋଇପାରିଲାନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା- ବର୍ଷଟିଏ ଚାଲିଗଲା ପଛେ, ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରିଲାନି । ଯାହାଫଳରେ ଗଜପତିଙ୍କର ଭୂମିକା ସଙ୍କୁଚିତ ହୋଇଯାଇଛି । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିରର ସର୍ବେସର୍ବା ହୋଇ କାମ ଚଳାଇଛନ୍ତି ।

ଅନ୍ୟପକ୍ଷରେ, ସମୃଦ୍ଧ କୃଷକ ନୀତିରେ ଚାଷୀ ଲାଭବାନ ହୋଇଛନ୍ତି । ଧାନର କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କାର ଇନଫୁଟ ସହାୟତା ଦିଆଯାଇଛି । ତେବେ ଧାନର ଅଭାବୀ ବିକ୍ରୀ, ମିଲର-ଅଧିକାରୀ ମଧୁଚନ୍ଦ୍ରିକା ଭଳି ପୁରୁଣା ସମସ୍ୟାର ସମାଧାନ ହୋଇପାରିନାହିଁ । ବ୍ୟବସ୍ଥା ଯାହା ଥିଲା ସେୟା ।

ସୁଭଦ୍ରା ଯୋଜନାରେ କୋଟିଏ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଦିଆଯାଇଛି । ସେମାନଙ୍କୁ ୫ ବର୍ଷରେ ୫୦ ହଜାର ଦିଆଯିବ । ମାତ୍ର ନିର୍ବାଚନ ପ୍ରତିଶ୍ରୁତି ତାହା ନ ଥିଲା । ସୁଭଦ୍ରା ଯୋଜନାରେ ବର୍ଷକୁ ୫୦ ହଜାର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଯାହା ବି ହେଉ, ଏହି ଯୋଜନାକୁ ନେଇ ମହିଳାମାନେ ଉତ୍ସାହିତ ଅଛନ୍ତି ।

ନିର୍ବାଚନ ବେଳେ ଓଡ଼ିଶାବାସୀଙ୍କ ପାଖରେ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରଖିଥିଲା ବିଜେପି । ତାହା ଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଚୋରି ଏବଂ ଓଡ଼ିଆ ଅସ୍ମିତା ।

ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ହୋଇ ଚାବି ତାମିଲନାଡୁ ପଳେଇଛି ବୋଲି ବିଜେପି ନେତାମାନେ କମ୍ପମାନ କରିଥିଲେ । ବାସ୍ତବରେ ସେମିତି କିଛି ହୋଇ ନ ଥିଲା ବୋଲି ବିଜେପି ନିଜେ ପ୍ରମାଣ ଦେଲା । ସରକାର ଗଠନର ମାସେ ପରେ ଜୁଲାଇ ୧୪ ତାରିଖରେ ଖୋଲାଗଲା ରତ୍ନଭଣ୍ଡାର । ଦୀର୍ଘ ୩୯ ବର୍ଷ ପରେ ଖୋଲିଥିବା ରତ୍ନଭଣ୍ଡାରରେ ସବୁ ଅଳଙ୍କାର ସୁରକ୍ଷିତ ଥିଲା । ତେବେ ଏହାର ଗଣତି ମଣତି ପାଇଁ ସରକାରଙ୍କ ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ ପାଳନ ହୋଇପାରିନାହିଁ ।

ବାକି ରହିଲା ଓଡ଼ିଆ ଅସ୍ମିତା ।

ନିର୍ବାଚନରେ ‘ଓଡ଼ିଆ ଅସ୍ମିତା’ ଥିଲା ବିଜେପିର ମୁଖ୍ୟ ନାରା । ଯେଉଁ ସମୟରେ ଅଣଓଡ଼ିଆ ପୂର୍ବତନ ପ୍ରଶାସକ ଭି.କେ ପାଣ୍ଡିଆନଙ୍କ ହାତରେ ବିଜେଡିର ଛାୟା ନେତୃତ୍ୱ ଥିଲା, ସେହି ସମୟରେ ବିଜେପିର ଏହି ଓଡ଼ିଆ ଅସ୍ମିତା ପ୍ରଚାର ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା । ଏହି ସ୍ଲୋଗାନ୍ ବିଜେଡି ସରକାରର ପତନର ମୁଖ୍ୟ କାରଣ ବୋଲି କୁହାଗଲା । ଏହି ଓଡ଼ିଆ ଅସ୍ମିତାର ଦ୍ୱାହି ନେଇ ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିଲେ ମଧ୍ୟ ମୋହନ ସରକାର ତାହାକୁ ଇଜ୍ଜତ ଦେଇନାହାନ୍ତି ।

ଗତବର୍ଷ ରଥଯାତ୍ରା ସମୟରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ରମଣି ପୁରୀ ରାଜଭବନରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ପିଟି ମୁହଁ ଫଟାଇଦେଲେ । ଜୋତାରେ ଛେପ ପକାଇ ଚଟାଇଲେ । ଏହି ଘଟଣା ହଇଚଇ ସୃଷ୍ଟି କଲା । ପୀଡ଼ିତଙ୍କ ପରିବାର ନ୍ୟାୟ ଭିକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ । ଅଥଚ ତାଙ୍କୁ ନ୍ୟାୟ ମିଳିଲାନି । ରଘୁବରଙ୍କ ପୁଅ ବିରୋଧରେ ପୁଲିସ ମାମଲା ମଧ୍ୟ ରୁଜୁ କଲାନି । ଏହି ପ୍ରସଙ୍ଗ ବିଧାନସଭାକୁ ହୁଲସ୍ତୁଲ କରିଥିଲା ଏବଂ ପୁରୀ ଜିଲ୍ଲାପାଳ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ ବୋଲି ଆଇନମନ୍ତ୍ରୀ କହିଥିଲେ । ମାତ୍ର ଆଉ କିଛି ହେଲାନି । ଓଡ଼ିଆ ଅସ୍ମିତା ଝାଡ଼ଖଣ୍ଡରେ ବନ୍ଧା ପଡ଼ିଗଲା ।

ଓଡ଼ିଶାରେ ଅଣଓଡ଼ିଆଙ୍କ ରାଜୁତିକୁ ନେଇ ନିର୍ବାଚନ ବେଳେ କମ୍ପମାନ କରିଥିବା ବିଜେପି କ୍ଷମତାକୁ ଆସିଲା ପରେ ସେହି ଢ଼ାଞ୍ଚା ଧରିଲା । ପ୍ରଶାସନର ଶୀର୍ଷସ୍ତରରେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଲେ ମୋହନ ସରକାର ।
ବିପଦଜନକ କଥା ହେଉଛି, ରାଜ୍ୟର ବିଜେପି ସରକାରକୁ ଲୋକମାନେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଭି.କେ ପାଣ୍ଡିଆନ୍ ଙ୍କୁ ଦୁର୍ନୀତି ସର୍ଦ୍ଦାର କହି ଜେଲ୍ ରେ ପୂରାଇବାର ଧମକ ଦିଆଯାଇଥିଲା । ଡି.ଏସ କୁଟ୍ଟେ, ଆଶିଷ ସିଂ, ରବିକାନ୍ତ, ଭିନୀଲ୍ କ୍ରିଷ୍ଣା, ଆଶିଷ ଠାକରେଙ୍କୁ ବିଜେଡି ଏଜେଣ୍ଟ ଆଖ୍ୟା ଦେଇଥିଲା ବିଜେପି । ସେମାନଙ୍କ ଅଣ୍ଟା ଭାଙ୍ଗି ଦିଆଯିବ ବୋଲି ରଡ଼ି ପକାଇଥିଲା । ମାତ୍ର ଆଶ୍ଚର୍ଯ୍ୟର କଥା, ମୋହନ ସରକାର ସଂପୃକ୍ତ ଅଧିକାରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି । ସେମାନଙ୍କୁ କ୍ଲିନ୍ ଚିଟ୍ ଦେଇ କେନ୍ଦ୍ରୀୟ ଡେପୁଟେସନ୍ ପଠାଯାଇଛି । ସେଠି ଭଲ ଜାଗାରେ ନିଯୁକ୍ତି ପାଇଛନ୍ତି ବାବୁମାନେ ।

ପାଣ୍ଡିଆନଙ୍କୁ ଜେଲ୍ ପଠାଇବା ଦୂରେ ଥାଉ, ମୋହନ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ଦିଲ୍ଲୀ ପଟୁ ତାଙ୍କର(ପାଣ୍ଡିଆନ) ଭୂମିକା ରହୁଛି ବୋଲି ସାଧାରଣରେ ଅଦ୍ଭୂତ ଧାରଣା ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପାଣ୍ଡିଆନଙ୍କ ନିବିଡ଼ ସମ୍ପର୍କରୁ ଲୋକେ ଏଭଳି ନାନା ଖିଅ ବାହାର କରୁଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତି ନବୀନଙ୍କ ଅତୁଟ ଆଭିମୁଖ୍ୟ ସମସ୍ତେ ଦେଖୁଛନ୍ତି । ସୁଜାତା କାର୍ତ୍ତିକେୟନଙ୍କୁ ଦିନକରେ ଭିଆରଏସ୍ ମଂଜୁର ମିଳିଥିବାରୁ ପାଣ୍ଡିଆନଙ୍କ ଦବଦବା ସମସ୍ତଙ୍କ ବିଶ୍ୱାସକୁ ଦୃଢ଼ୀଭୂତ କରିଛି । ସୁତରାଂ ତାଙ୍କ ପୂର୍ବ ଟିମ୍ ସଦସ୍ୟମାନଙ୍କୁ ଦିଲ୍ଲୀରେ ଭଲ ଜାଗାରେ ପୋଷ୍ଟିଂ ମିଳିବା ପଛରେ ପାଣ୍ଡିଆନଙ୍କ ହାତ ଥିବା କୁହାଯାଉଛି । ବିଜେପି-ବିଜେଡି ଭାଇ-ଭାଇ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଖୀ କଣ୍ଢେଇ ବୋଲି ଲୋକଙ୍କର ଧାରଣା ।

ବିଜେଡି ସରକାର ଅମଳରେ ସବୁଠାରୁ ଅଧିକ ଜନହିତକାରୀ ଯୋଜନା ଥିଲା ବିଏସକେୱାଇ । ଏହା ବଦଳରେ ଆୟୁଷ୍ମାନ ଭାରତ ଯୋଜନା ପ୍ରଚଳନ କରାଗଲା । ତେବେ ବ୍ୟବସ୍ଥା କାର୍ଯ୍ୟକାରିତାରେ ସାଂଘାତିକ ତ୍ରୁଟି ଦେଖାଯାଉଥିବାରୁ ମୋହନ ସରକାର ନିନ୍ଦିତ ହୋଇଛନ୍ତି । ଆୟୁଷ୍ମାନ୍ କାର୍ଡ ଥିବା ସତ୍ତ୍ୱେ କିଛି ଜାଗାରେ ରୋଗୀମାନେ ଅର୍ଥ ଅଭାବରୁ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗମାନ ଆସିଛି । ଏହି କାରଣରୁ ରୋଗୀଙ୍କର ମୃତ୍ୟୁ ଅଭିଯୋଗ ବି ଆସିଛି । ସ୍ୱାସ୍ଥ୍ୟସେବା ଭଳି ନିହାତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏଭଳି ତ୍ରୁଟି ବିଚ୍ୟୁତି ଲୋକଙ୍କୁ ବିଏସକେୱାଇ ଯୁଗକୁ ମନେ ପକାଇବାକୁ ବାଧ୍ୟ କରୁଛି । ଏହାର ପ୍ରତିକାର ପାଇଁ ପ୍ରଶାସନରେ ସେଭଳି ତତ୍ପରତା ନାହିଁ ।

ମୋହନ ସରକାର ବିଭିନ୍ନ ଯୋଜନାର ଡିଣ୍ଡିମ୍ ପିଟି ନିଜର ମହିମା ପ୍ରଦର୍ଶନ କରୁଛନ୍ତି । ବିଜେଡି ସରକାରଙ୍କ ଦ୍ୱାରା ପ୍ରଚଳିତ ସବୁ ଯୋଜନାର ନାଁ ଓ ରଙ୍ଗ ବଦଳେଇଛନ୍ତି । ତେବେ ସୁଭଦ୍ରା ଯୋଜନା ଏବଂ ଚାଷୀଙ୍କ ଇନଫୁଟ ସହାୟତାକୁ ଛାଡ଼ିଦେଲେ ଅନ୍ୟ କୌଣସି ଯୋଜନା ଉପରେ ସାଧାରଣ ଜନତାଙ୍କ ଉପଲବ୍ଧି ନାହିଁ । ସେଥିଯୋଗୁଁ ନୂଆ ସରକାରକୁ ନେଇ କାହାରି ମନରେ ଉତ୍ସାହ ନାହିଁ ।

ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ପ୍ରତି ଲୋକଙ୍କର ଭଲ ପାଇବା ଆସିଛି । ତାଙ୍କର ସରଳତା ଏବେ ମେଳାପୀ ସ୍ୱଭାବ ଜନତାଙ୍କୁ ଆକର୍ଷିତ କରୁଛି । ମାତ୍ର ସରକାର ପରିଚାଳନାରେ ତାଙ୍କର ଦକ୍ଷତା ଉପରେ ଅନେକଙ୍କର ସନ୍ଦେହ ଆସିଛି । ବର୍ଷେ ବିତିଗଲା ପଛେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳ ସଂମ୍ପ୍ରସାରଣ କରିପାରିଲେ ନାହିଁ । ୬ ମନ୍ତ୍ରୀ ପଦ ଖାଲି ପଡ଼ିଛି । ବିଭିନ୍ନ ନିଗମ ଏବଂ ବୋର୍ଡରେ ନିଯୁକ୍ତି ହୋଇପାରିଲା ନାହିଁ । ମହିଳା କମିସନ, ଶିଶୁ ସୁରକ୍ଷା କମିସନ ବି ଗଠନ ହେଲା ନାହିଁ । ସରକାରୀ ଓକିଲ ନିଯୁକ୍ତି ହୋଇପାରୁନାହାନ୍ତି । କାରଣ ଯାହା ହେଉ ନା କାହିଁକି, ଏହା ତାଙ୍କର ଦୁର୍ବଳ ନେତୃତ୍ୱକୁ ପଦାରେ ପକାଇଛି ।

ମୋହନ ମାଝୀଙ୍କ ପାଇଁ ବଦନାମର କାରଣ ହୋଇଛନ୍ତି ଖୋଦ୍ କେତେକ ମନ୍ତ୍ରୀ । ନିର୍ଦ୍ଦିଷ୍ଟ ମନ୍ତ୍ରୀମାନଙ୍କ ବିରୋଧରେ ମାଳ ମାଳ ଦୁର୍ନୀତି ଅଭିଯୋଗ ଆସିଛି । ଯାହା ସରକାରଙ୍କ ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । କିଛି ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ମଧ୍ୟ ମୋହନଙ୍କ ପାଇଁ ବିପଦ ସୃଷ୍ଟି କରିଛି । ପ୍ରଥମ ଥର ବିଧାୟକ, ମନ୍ତ୍ରୀ ହୋଇଥିଲେ ମଧ୍ୟ ଗର୍ବ ଅହଂକାରରେ ଫାଟି ପଡୁଛନ୍ତି । ନିଜର ବିଭାଗ ଉପରେ ଜ୍ଞାନ ଆହରଣ କରିବେ କ’ଣ ଅନ୍ୟ ବିଭାଗରେ ମୁଣ୍ଡ ପୂରଉଛନ୍ତି । କ୍ୟାମେରା ଦେଖିଲେ ମନଇଚ୍ଛା ମନ୍ତବ୍ୟ ଦେଉଛନ୍ତି । ବିଭାଗ ବିଭାଗ ଭିତରେ ସମନ୍ୱୟ ରହୁନାହିଁ । ଏଥିପାଇଁ ବେଳେ ବେଳେ ସରକାରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଶାସକ ଦଳର ଅନେକ ବିଧାୟକମାନଙ୍କ ବିରୋଧରେ ଜନଅସନ୍ତୋଷ ବ୍ୟାପକ ହେଲାଣି । ସେମାନେ ଦୁର୍ନୀତିର ବୁଡ଼ିଛନ୍ତି ବୋଲି ବିଭିନ୍ନ ଜାଗାରୁ ଅଭିଯୋଗ ଆସୁଛି । ଲୋକଙ୍କ ସହିତ ସେମାନେ ସମ୍ପର୍କ ରଖୁନାହାନ୍ତି । ବରଂ ମାଫିଆମାନଙ୍କ ସହ ମଧୁର ସମ୍ପର୍କ ଗଢ଼ିଛନ୍ତି । ବିନା ଅର୍ଥରେ ଲୋକଙ୍କ କାମ ହେଉନି । କିଛି ଜାଗାରେ ନିଜର ବିଧାୟକଙ୍କୁ ଭେଟିବା ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ଶାସକ ଦଳର କର୍ମୀମାନେ ଏଥିନେଇ ବେଶୀ ନିରୁତ୍ସାହିତ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବଡ଼ବଡ଼ିଆ ଅଧିକାରୀଙ୍କ ମୋହ ଭଙ୍ଗ ଘଟଣା ମଧ୍ୟ ଆଲୋଚନାର ବିଷୟ ହୋଇଛି । ଅଫିସର ମହଲର ଚର୍ଚ୍ଚା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭାରି ସନ୍ଦେହୀ । ଆଇଏଏସ୍ ବାବୁମାନଙ୍କୁ ସହଜରେ ବିଶ୍ୱାସ କରୁନାହାନ୍ତି । ବରିଷ୍ଠ ଅଫିସରମାନଙ୍କ ଅପେକ୍ଷା କନିଷ୍ଠ ଅଫିସରଙ୍କୁ ନେଇ କାମ କରିବାରେ ସେ ଅଧିକ ସହଜ ଅନୁଭବ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱାସଭାଜନ ହୋଇଥିବା ନିର୍ଦ୍ଦିଷ୍ଟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭୁଲ୍ ବାଟରେ ପରିଚାଳିତ କରୁଛନ୍ତି । ଏହି ଚର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରୁଛି ।

ମୁଖ୍ୟମନ୍ତ୍ରୀଙ୍କ ବିଳାସବ୍ୟସନକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଜୋର୍ ଆଲୋଚନା ହୋଇଥିଲା । ତାଙ୍କର ବ୍ୟୟବହୁଳ ହୋଟେଲ ରହଣୀ ଏବଂ ବିମାନ ଉଡ଼ାଣ ଖର୍ଚ୍ଚ ଉପରେ ମୁଖ୍ୟମନ୍ତ୍ରୀ କିନ୍ତୁ ଜବାବ ଦେଇ ନ ଥିଲେ ।
ଅନ୍ୟପକ୍ଷରେ ଶାସନ ବ୍ୟବସ୍ଥା ମଧ୍ୟ ଢ଼ିଲା ହୋଇଯାଇଛି । ରାଜ୍ୟରେ ଅପରାଧ ଘଟଣା ମାଡ଼ି ଚାଲିଛି । ପୁଲିସକୁ ଅପରାଧୀଙ୍କ ଡର ନାହିଁ । ବ୍ଲକ୍, ତହସିଲରେ ଦୁର୍ନୀତି ଉପରେ ରୋକ୍ ଲାଗିବା ବଦଳରେ ବଢ଼ି ଚାଲିଛି । ତାଙ୍କ ଭାଷଣ ବେଳେ ବିଡିଓମାନେ ଟିଭି ବନ୍ଦ କରିଦେଉଛନ୍ତି ବୋଲି ନିଜେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ତାଙ୍କର ସରଳତାକୁ ଦୁର୍ବଳତା ଭାବିବା ଉଚିତ ନୁହେଁ ବୋଲି ସେ ତାଗିଦ୍ କରିଥିଲେ ମଧ୍ୟ ଅସାଧୁ ଅଫିସରମାନଙ୍କ ଦୌରାତ୍ମ୍ୟ କମୁନାହିଁ । ଦୁର୍ନୀତି ଯେମିତି ଥିଲା, ସେମିତି ଚାଲିଛି । ବ୍ୟବସ୍ଥା ବଦଳି ନାହିଁ । ଏହା ଲୋକଙ୍କ ମନରେ ନୈରାଶ୍ୟ ଭାବ ଆଣିଛି ।

ରାଜ୍ୟର ଅର୍ଥନୀତିକୁ ମଧ୍ୟ ସଜାଡ଼ି ପାରିନାହାନ୍ତି ମୋହନ ସରକାର । ଗତବର୍ଷ ଜୁନ୍ ରୁ ଚଳିତ ବର୍ଷ ଫେବ୍ରୁଆରୀ ମଧ୍ୟରେ ରାଜ୍ୟ ସରକାର ୨୧, ୧୭୭ କୋଟି ଟଙ୍କା ଋଣ କରିଛନ୍ତି । ଯୋଜନା ବ୍ୟୟ ବଢ଼ି ଚାଲିଥିଲେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ହ୍ରାସ୍ ପାଇବା ଚିନ୍ତାର ବିଷୟ ହୋଇଛି । ପୂର୍ବବର୍ଷ ତୁଳନାରେ ଏଥର କେନ୍ଦ୍ରୀୟ ଅନୁଦାନ ୧୮.୧୯ ପ୍ରତିଶତ ହ୍ରାସ୍ ପାଇଛି । ଆର୍ଥିକ ପରିଚାଳନା ଏବଂ ଯୋଜନା ଅର୍ଥର ସୁବିନିଯୋଗରେ ପଛରେ ପଡ଼ିଯାଇଛନ୍ତି ମୋହନ ସରକାର ।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ସରକାରଙ୍କ ଉଦ୍ୟମ ପ୍ରଂଶସନୀୟ । ମାତ୍ର ଘରୋଇ ଉଦ୍ୟୋଗୀଙ୍କ କ୍ଷେତ୍ରରେ ସରକାରଙ୍କ ସାବତ ମା ମନୋଭାବ ନୈରାଶ୍ୟ ଖେଳାଇଛି । ମୋହନ ସରକାରଙ୍କ ଆଭିମୁଖ୍ୟରେ କିଛି ପରିବର୍ତ୍ତନ ଆସିନାହିଁ । ସରକାରୀ ବ୍ୟବସ୍ଥାରେ ଯେଉଁ ପ୍ରତିବନ୍ଧକ ଥିଲା, ତାହା ସେମିତି ଅଛି । ଏଥିଯୋଗୁଁ ଘରୋଇ ଉଦ୍ୟୋଗୀଙ୍କ ମନ ମରିଯାଇଛି ।

ଏକଥା ସତ ଯେ କ୍ରମାଗତ ୨୪ ବର୍ଷର ବିଜେଡି ଶାସନରୁ ଓଡ଼ିଶାବାସୀ ମୁକ୍ତି ଚାହୁଁଥିଲେ । ବିଭିନ୍ନ କାରଣରୁ ସରକାରଙ୍କ ଉପରେ ଲୋକ ବୀତସ୍ଫୃହା ଥିଲେ । ଯାହାର ଫାଇଦା ବିଜେପି ପାଇଲା । ସରକାର ବଦଳିଲା ଏବଂ ରାତାରାତି ନବୀନ ପଟ୍ଟନାୟକଙ୍କ ବିକଳ୍ପ ହେଲେ ମୋହନ ମାଝୀ । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟରେ ମୋହନ ମାଝୀଙ୍କ ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ ସୁବର୍ଣ୍ଣର ଯୁଗ ଆଣିଲା ବୋଲି ଲୋକଙ୍କର ଦୃଢ଼ ବିଶ୍ୱାସ ଆସିଲା ।

ଏହି ଚାଲେଂଜକୁ ଗ୍ରହଣ କରି ମୋହନ ମାଝୀ ଆଗକୁ ବଢ଼ିଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ଉପସ୍ଥାପିତ କରିଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ସରକାରୀ ବ୍ୟବସ୍ଥାର ପ୍ରଚଳିତ ଧାରାରୁ ବାହାରି ପାରିନାହାନ୍ତି । ଯେଉଁ ଭୁଲ୍ ପାଇଁ ବିଜେଡି ସରକାର ନିନ୍ଦିତ ହେଲା, ସେହି ଭୁଲ୍ କୁ ସେ ଆପଣାଇ ନିଜକୁ ଏବଂ ସରକାରକୁ ପ୍ରଚାରଧର୍ମୀ କରିଦେଇଛନ୍ତି । ଆଜି ବର୍ଷକର ହିସାବ କଲା ବେଳେ ମୋହନ ମାଝୀଙ୍କ ସରକାରକୁ ପ୍ରଚାରତନ୍ତ୍ର ସରକାରର ଆଖ୍ୟା ମିଳୁଛି ।

ପ୍ରତିଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଗଣମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ବର୍ଷା ଚାଲିଛି । ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ୍, ଉଦଘାଟନ ଚାଲିଛି । ବିରାଟ ବିରାଟ ଯୋଜନା ପ୍ରସ୍ତୁତ ହେଉଛି । ମୁଖ୍ୟମନ୍ତ୍ରୀ ସଭାସମିତିରେ ଘଣ୍ଟା ଘଣ୍ଟା ଧରି ଭାଷଣ ଦେଉଛନ୍ତି । ମାତ୍ର ତୃଣମୂଳସ୍ତରରେ ଲୋକଙ୍କର ସେଭଳି କିଛି ଅନୁଭବ ନାହିଁ । ଉନ୍ନୟନ କାମ ଠପ୍ ହୋଇଯାଇଛି । କେଉଁଠି କିଛି କାମ ହେଉନାହିଁ ବୋଲି ସାଧାରଣ ଜନତାଙ୍କ ଅଭିଯୋଗ । ଏଠି ଗୋଟେ ସରକାର ଯେ ଚାଲୁଛି, ସେଭଳି ଅନୁଭବ ହେଉନି ବୋଲି ସୋସିଆଲ୍ ମିଡିଆରେ କମେଣ୍ଟ ଫୁଲ୍ ।

 

Previous Post

ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦ୍‌ଘାଟିତ

Next Post

ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

Next Post
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA