ଭୁବନେଶ୍ୱର: ମଙ୍ଗଳବାର ଲୋକସଭାରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଦମଦାର୍ ପ୍ରସଙ୍ଗ ଉଠାଇଥିଲେ । ମହିଳାଙ୍କ ପ୍ରତି ଅପରାଧରେ ଓଡ଼ିଶା ଦେଶର ତୃତୀୟ ରାଜ୍ୟ । ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୯୧.୩ ମହିଳା ଅପରାଧର ଶିକାର ହେଉଛନ୍ତି । ଅପରାଧ ଦଣ୍ଡ ବି ବହୁତ କମ୍ । ମାତ୍ର ୮.୩% । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ୨୦୧୮ ରିପୋର୍ଟରେ ଏହି ତଥ୍ୟ ରହିଥିବା ଶ୍ରୀମତୀ ଷଡ଼ଙ୍ଗୀ ଦର୍ଶାଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ ।
ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ମୁଁ ମହିଳା, ଓଡ଼ିଶା ମୋର କର୍ମଭୂମି । ସେଥିପାଇଁ ମୁଁ ଉଦବିଗ୍ନ, ପରିସାନ୍ । ମହିଳାଙ୍କ ସୁରକ୍ଷା, ମର୍ଯ୍ୟାଦା ରକ୍ଷା ପାଇଁ ମୁଁ ଏକଥା କହୁଛି । ନିଜ ବକ୍ତବ୍ୟରେ ସେ ମାଲକାନଗିରି ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଦୁଷ୍କର୍ମ ଏବଂ ବୀରମିତ୍ରପୁରରେ ଜଣେ ନାବାଳିକାଙ୍କ ଉପରେ ଦୁଷ୍କର୍ମ ଘଟଣାର ଅବତାରଣା କରି ରାଜ୍ୟ ସରକାର ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନେବା କଥା ନେଇନଥିବାରୁ ଉଦବେଗ୍ ପ୍ରକାଶ କରିଥିଲେ ।
ଆଶ୍ଚର୍ଯ୍ୟର କଥା, ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାର ନାଁ ନେଇ ନ ଥିଲେ ଭୁବନେଶ୍ୱର ସାଂସଦ । ନିଜ ନିର୍ବାଚନମଣ୍ଡଳୀ ଭୁବନେଶ୍ୱରର ଛାତି ଉପରେ ଜଣେ ୧୩ ବର୍ଷର ବାଳିକାକୁ ୧୫ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ନିଜେ ପୀଡ଼ିତାଙ୍କ ମାଆ ଥାନାଠାରୁ ଆରମ୍ଭ କରି ଶିଶୁ ଅଧିକାର ସୁରକ୍ଷା କମିଶନ ଏବଂ ମହିଳା କମିଶନଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ଏ ଘଟଣାରେ ପୁଲିସ ୭ ଜଣଙ୍କ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରିଛି ।
ମାତ୍ର ନିଜ ନିର୍ବାଚନମଣ୍ଡଳୀରେ ଘଟିଥିବା ଏତେବଡ଼ ଜଘନ୍ୟ କାଣ୍ଡ ଉପରେ ସାଂସଦଙ୍କର ପାଟି ଖୋଲୁନାହିଁ । ଲୋକସଭାରେ ସୁଯୋଗ ପାଇ ବି ଅଣଦେଖା କରିଦେଲେ । ମାଲକାନଗିରି ଓ ବୀରମିତ୍ରପୁର ଦୁଷ୍କର୍ମ ଘଟଣା ଉପରେ ଚିନ୍ତା କରୁଥିବା ଅପରାଜିତା ନିଜ ନିର୍ବାଚନମଣ୍ଡଳୀ ନାବାଳିକା ଗଣଦୁଷ୍କର୍ମ ଘଟଣା ଉପରେ ଚିନ୍ତିତ ନୁହଁନ୍ତି । ନିଜ ନିର୍ବାଚନମଣ୍ଡଳୀରେ ମହିଳାଙ୍କ ସୁରକ୍ଷା ଓ ମର୍ଯ୍ୟାଦା ସାଂସଦଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ।
ସୂଚନାଯୋଗ୍ୟ, ଅଗଷ୍ଟ ୩୦ ତାରିଖରେ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା ଥାନାକୁ ଆସିଥିଲା । ସେବେଠାରୁ ଗଣମାଧ୍ୟମରେ ଏହାର ଚର୍ଚ୍ଚା ହେଉଥିଲେ ମଧ୍ୟ ଭୁବନେଶ୍ୱରରେ ରହୁଥିବା ସାଂସଦଙ୍କର ଏ ପର୍ଯ୍ୟନ୍ତ ପାଟି ଖୋଲିନାହିଁ । ପୀଡ଼ିତା ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇନାହାନ୍ତି କି ସେମାନଙ୍କ ସୁରକ୍ଷା ପାଇଁ ଆଗକୁ ବାହାରିନାହାନ୍ତି । ଆଜି ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଗିରଫ ହୋଇ ନ ଥିଲେ ମଧ୍ୟ ସାଂସଦଙ୍କର ପ୍ରତିକ୍ରିୟା ନାହିଁ ।
ସଂସଦରେ ରାଜ୍ୟର ମହିଳାଙ୍କ ଉପରେ ଅପରାଧ ପ୍ରସଙ୍ଗ ଉଠାଇବା, ମାଲକାନଗିରି ଏବଂ ବୀରମିତ୍ରପୁର ଦୁଷ୍କର୍ମ ଘଟଣାର ଉଦାହରଣ ଦେବା, ଦୋଷୀଙ୍କ ବିରୋଧରେ କଠୋର କର୍ଯ୍ୟାନୁଷ୍ଠାନ ଦାବି କରିବା ସ୍ୱାଗତଯୋଗ୍ୟ । ମାତ୍ର ନିଜ ନିର୍ବାଚନମଣ୍ଡଳୀରେ ନାବାଳିକା ଗଣଦୁଷ୍କର୍ମ ଘଟଣା ତାଜା ଥିବା ବେଳେ ତାହାକୁ ଆଖି ବୁଜିଦେବାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି ।