ଭୁବନେଶ୍ୱର: ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି(ବୁଲୁ ଭାଇ)ଙ୍କର ଆଜି ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସକାଳୁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୬୩ ବର୍ଷ ହୋଇଥିଲା । ଅମରେନ୍ଦ୍ରଙ୍କ ବିୟୋଗ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଅମରେନ୍ଦ୍ର ମହାନ୍ତିଙ୍କ ଝିଅ ଅନ୍ୱେଷାଙ୍କ ସୂଚନା ଅନୁଯାୟୀ,ଏପ୍ରିଲ୍ ୨୪ ରେ ପଜିଟିଭ୍ ଚିହ୍ନଟ ହେବା ପରେ ଘରେ ହୋମ୍ ଆଇସୋଲେସନ୍ ରେ ଥିଲେ । ମାତ୍ର ଜ୍ୱର ନ କମିବାରୁ ମେ’ ୩ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ସେଠାରେ ୩ ଦିନ ଭେଣ୍ଟିଲେଟରରେ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା । ସେ ଆରୋଗ୍ୟ ଲାଭ କରୁଥିବା ବେଳେ କାଲି ଅଚାନକ ତାଙ୍କ ଅବସ୍ଥା ପୁଣି ଗୁରୁତର ହୋଇପଡ଼ିଥିଲା । ଆଜି ଭୋର୍ ୫ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଓ ଭଜନ ଗାୟନ ଉଭୟ କ୍ଷେତ୍ରରେ ଅମରେନ୍ଦ୍ରଙ୍କର ବେଶ୍ ପାରଦର୍ଶିତା ଥିଲା । ତାଙ୍କର ସବୁ ଚଳଚିତ୍ର ଗୀତ ଓ ଭଜନ ହିଟ୍ ହୋଇଥିଲା । ତାଙ୍କ ନିର୍ଦ୍ଦେଶନାରେ ସୁନା ପଞ୍ଜୁରୀ ଚଳଚିତ୍ରର ପୁଚୁକି ଗାଲି.. ଏକଦା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ସ୍ତ୍ରୀ, ରାମ ଲକ୍ଷ୍ମଣ, ବସୁଧା, ଭାଇ ହେଲା ଭଗାରୀ, କଣ୍ଢେଇ ଆଖିରେ ଲୁହ ଆଦି ଅନେକ ଚଳଚିତ୍ରରେ ତାଙ୍କର ସଙ୍ଗୀତ ନିର୍ଦ୍ଦେଶନା ଫିଲ୍ମକୁ ସଫଳତା ଆଣିଥିଲା ।
ଅମରେନ୍ଦ୍ରଙ୍କ ବିୟୋଗରେ ଚଳଚିତ୍ର ଓ ସଙ୍ଗୀତ ଜଗତର ନାମି ଦାମୀ ବ୍ୟକ୍ତି ବିଶେଷ ଶୋକପ୍ରକାଶ କରିବା ସହ ତାଙ୍କର ସ୍ମୃତିଚାରଣ କରିଛନ୍ତି ।