ଭୁବନେଶ୍ୱର: ସମସ୍ତଙ୍କ ଆଦରର ନନ୍ଦ ସାର୍ ଆଉ ନାହାନ୍ତି । ସମ୍ ହସ୍ପିଟାଲ୍ ରେ ଚିକିତ୍ସିତ ଅବସ୍ଥାରେ ଆଜି ସେ ଆଖି ବୁଜିଦେଇଛନ୍ତି । ଏହି ମହାନ୍ ଶତାୟୁ ପୁରୁଷଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
୧୦୩ ବର୍ଷ ବୟସ୍କ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାର୍ କରୋନାରେ ଆକ୍ରାନ୍ତ ହେବାରୁ ପ୍ରଥମେ କଳିଙ୍ଗନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା ।

ମାସେ ପୂର୍ବରୁ ବେଶ୍ ଚଳଚଞ୍ଚଳ ଥିଲେ ନନ୍ଦ ସାର୍ । ଗତ ନଭେମ୍ବର ୯ ତାରିଖରେ ଦିଲ୍ଲୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କଠାରୁ ଭାରତ ସରକାରଙ୍କ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ସେ ଆଶିର୍ବାଦ ଦେବା ଦୃଶ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନନ୍ଦ ସାର୍ ଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ତେବେ ଦୁର୍ଭାଗ୍ୟ ଯେ ଦିଲ୍ଲୀରୁ ଫେରିବାର କିଛି ଦିନ ମଧ୍ୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ପରୀକ୍ଷାରୁ ସେ କୋଭିଡ୍ ରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ କନ୍ତିରା ଗାଁରେ ନନ୍ଦ ସାର୍ ଙ୍କ ଜନ୍ମ । ୧୯୩୯ ମସିହାରେ ଗାଁ ପାଖ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ଶ୍ରେଣୀ ପାସ୍ କରିଥିଲେ । ମାତ୍ର ଆର୍ଥିକ ଅନାଟନ କାରଣରୁ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା । ପାଠ ଛାଡ଼ି ଚାଷ କାମରେ ଲାଗିଥିଲେ । ଅର୍ଥ ଅଭାବରୁ ନିଜେ ସିନା ପାଠ ପଢ଼ିପାରିଲେ ନାହିଁ, ହେଲେ ତାଙ୍କ ଅବସ୍ଥା ଅନ୍ୟ ପିଲା ନ ଭୋଗନ୍ତୁ କାମନା କରି ୧୯୪୬ ମସିହାରେ ନିଜେ ଏକ ଚାଟଶାଳୀ ଆରମ୍ଭ କଲେ ।







