ଭୁବନେଶ୍ୱର: ନବୀନ ପଟ୍ଟନାୟକ ବିଜେଡିର ଅପ୍ରତିଦ୍ୱନ୍ଦୀ ନେତା । ଏହା ପୁଣି ଥରେ ପ୍ରମାଣିତ ହୋଇଛି । ବିଜେଡି ରାଜ୍ୟ ସଭାପତି ପଦବୀ ଲାଗି ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଦିନ । ସଂଯୋଗକୁ ବାପା ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସରେ ଏକମାତ୍ର ପ୍ରାର୍ଥୀ ଭାବେ ନବୀନ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଦଳର ବରିଷ୍ଠ ନେତାଙ୍କ ଗହଣରେ ଶଙ୍ଖ ଭବନ ଯାଇ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ । ଆସନ୍ତା ୧୯ ନିର୍ବାଚନ ତାରିଖରେ ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା ହେବ ।
୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ଗଠନ ହେବା ଦିନରୁ ନବୀନ ପଟ୍ଟନାୟକ ସଭାପତି ରହି ଆସିଛନ୍ତି । ଏଥରକୁ ମିଶାଇ କ୍ରମାଗତ ଭାବେ ନବମ ଥର ପାଇଁ ଦଳର ସଭାପତି ନିର୍ବାଚିତ ହେବେ ।
ଏଥିସହ ଚଳିତ ଏପ୍ରିଲ ଶେଷ ସୁଦ୍ଧା ବିଜେଡିର ସମସ୍ତ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସୂଚନା ଅନୁଯାୟୀ, ସଭାପତି ନିର୍ବାଚନ ଶେଷ ହେବା ପରେ ବାକି ଥିବା ୧୫ଟି ସାଙ୍ଗଠନିକ ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ କମିଟି, ବ୍ଲକ ଓ ନଗର ସଭାପତି, ବିଭିନ୍ନ ଛାମୁଆ ସଂଗଠନର ସଭାପତିଙ୍କ ନାମ ଘୋଷଣା ହେବ ।