ଭୁବନେଶ୍ୱର: ନବୀନ ବାବୁ ମିଛୁଆ..ନବୀନ ବାବୁ ଚୋର.. ।
ଏମିତି ଭାଷାରେ ବିଜେଡି ମୁଖିଆଙ୍କୁ ଧୂଲେଇ କଲେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । ଖୋଦ୍ ପୁଣି ତାଙ୍କ ଘର ଆଗରେ ଡାକି ଡାକି ଗାଳି କଲେ । ଅରବିନ୍ଦଙ୍କ ଉପରୁ ନିଲମ୍ବନ ନ ହଟାଇଲେ ବିଜେଡି ଛାଡ଼ିଦେବେ ବୋଲି ଧମକ ଦେଲେ । ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖଭବନ ଆଗରେ ଗାଳି କରି ସେମାନଙ୍କ ମନ ବୁଝିଲାନି । ନବୀନ ନିବାସ ମୁଖିଆଙ୍କ ଘରେ ପଶିଯିବାକୁ ଉଦ୍ୟମ କଲେ । ପୁଲିସ ଜଗି ନ ଥିଲେ ପରିସ୍ଥିତି କ’ଣ ହୋଇଥାନ୍ତା ତାହା ଭଗବାନଙ୍କୁ ଜଣା ।
ବିଜେଡି ରାଜନୈତିକ ଇତିହାସରେ ଏହା ପ୍ରଥମ ଏବଂ ବିରଳ ଘଟଣା । ନବୀନ ପଟ୍ଟନାୟକଙ୍କ ଭଳି ଶକ୍ତିଶାଳୀ ନେତୃତ୍ୱକୁ ଚାଲେଞ୍ଜ ଦେବା ଏବଂ ତାଙ୍କ ତାଙ୍କ ଘର ଆଗରେ ଛିଡ଼ା ହୋଇ ତାଙ୍କୁ ମିଛୁଆ ଓ ଚୋର କହି ଗାଳିଦେବା ଦିନେ ନିହାତି ପକ୍ଷରେ ଅସମ୍ଭବ ଥିଲା । ମାତ୍ର ଗତ ୨୩ ତାରିଖରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଶହ ଶହ ସମର୍ଥକ ଏହି ଅସମ୍ଭବକୁ ସମ୍ଭବ କରିଦେଲେ ।
ଆଶ୍ଚର୍ଯ୍ୟର କଥା..ବିଜେଡି ପକ୍ଷରୁ ଏହାର ପ୍ରତିବାଦ କରିବାକୁ କେହି ବାହାରିଲେନି । ଓଲଟି ସେଦିନ ଅରବିନ୍ଦ ସମର୍ଥକଙ୍କୁ ଶଙ୍ଖ ଭବନକୁ ଡାକି ସାଉଁଳେଇ ଥିଲେ ଦଳର ଦୁଇ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରତାପ ଜେନା । ନବୀନ ପଟ୍ଟନାୟକଙ୍କୁ ଚୋର ଏବଂ ମିଛୁଆ ବୋଲି ପାଟକୁରା ନେତାଙ୍କ ବୟାନର ପ୍ରତିବାଦ କରିବେ କ’ଣ ଓଲଟି ଅରବିନ୍ଦଙ୍କ ଉପରେ ନିଲମ୍ବନ ଆଦେଶର ପୁନର୍ବିଚାର କରିବାକୁ ସେମାନେ ସଭାପତିଙ୍କୁ ଅନୁରୋଧ କରିବେ ବୋଲି ପ୍ରତିଶ୍ରୁତି ଦେଇଦେଲେ । ତା’ ପରଦିନ ପାଟକୁରାରେ ଅରବିନ୍ଦ ନିଜର ଶକ୍ତି ପ୍ରଦର୍ଶନ କଲେ । ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ ପଟ୍ଟନାୟକଙ୍କୁ ମିଛୁଆ ବୋଲି ସମ୍ବୋଧନ କଲେ । ତାଙ୍କ ବିରୋଧରେ କ’ଣ ପ୍ରମାଣ ଅଛି ଦେଖାଅ ବୋଲି ଚାଲେଂଜ ଦେଲେ ।
ଇତିମଧ୍ୟରେ ତିନି ଦିନ ବିତିଯାଇଥିଲେ ମଧ୍ୟ ଅରବିନ୍ଦ କିମ୍ବା ତାଙ୍କ ସମର୍ଥକଙ୍କର ନବୀନଙ୍କ ପ୍ରତି କଟୁ ମନ୍ତବ୍ୟକୁ ବିଜେଡି ଶିବିରରୁ କେହି ଜଣେ ବି ପ୍ରତିବାଦ କରିନାହାନ୍ତି । ଏ ସମ୍ପର୍କରେ ନା ଶଙ୍ଖଭବନରେ ଦଳର ମୁଖପାତ୍ର କି ଅନ୍ୟ କେଉଁ ବରିଷ୍ଠ ନେତା ପ୍ରେସ୍ ମିଟ୍ କରିଛନ୍ତି ନା ଟିଭିକୁ ବାଇଟ୍ ଦେଇଛନ୍ତି । ୨୩ ତାରିଖରେ ଶଙ୍ଖଭବନରେ ଅରବିନ୍ଦଙ୍କ ସମର୍ଥକମାନେ ଶକ୍ତି ପ୍ରଦର୍ଶନ କରି ନବୀନଙ୍କୁ ଚୋର ମିଛୁଆ କହିଲା ପରେ ଦଳର ମୁଖପାତ୍ର ଲେନିନ୍ ମହାନ୍ତି ଧାନ ସଂଗ୍ରହ ଅବ୍ୟବସ୍ଥା ଉପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ପ୍ରେସ୍ ବିବୃତି ଜାରି କଲେ । ୨୪ ତାରିଖରେ ନିଜେ ଅରବିନ୍ଦ ମହାପାତ୍ର ପାଟକୁରାରେ ଶକ୍ତି ପ୍ରଦର୍ଶନ କରି ନବୀନଙ୍କୁ ମିଛୁଆ କହିଲା ପରେ ଶଙ୍ଖ ଭବନରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ସାଇବର ଅପରାଧ ବୃଦ୍ଧି ପାଇଁ ବିଜେପି ସରକାରଙ୍କୁ ସମାଲୋଚନା କରି ପ୍ରେସ୍ ମିଟ୍ କରିଥିଲେ ।
୨୫ ତାରିଖରେ ଶଙ୍ଖଭବନରେ ବିଜେଡିର ତାରକାମେଳି ହୋଇଥିଲା । ପ୍ରେସ୍ ମିଟ୍ ରେ ଏକାଠି ହୋଇଥିଲେ ବରିଷ୍ଠ ନେତା ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜୟ କୁମାର ଦାସବର୍ମା ଏବଂ ଅରୁଣ ସାହୁ । ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଏବଂ ପିଏସି ସଦସ୍ୟା ଟୁକୁନି ସାହୁ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟରେ ଚାଷୀ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟବ୍ୟାପୀ ଆନେ୍ଦାଳନ ହେବ ବୋଲି ଭାଷଣ ଦେଇଥିଲେ ।
ସୁତରାଂ ପାଟକୁରା ବିଧାୟକ ଅରବିନ୍ଦ ଏବଂ ତାଙ୍କ ସମର୍ଥକମାନଙ୍କ ସମାଲୋଚନା, ଗାଳି ଓ କଟାକ୍ଷକୁ ହଜମ କରିଯାଇଛନ୍ତି ନବୀନ ପଟ୍ଟନାୟକଙ୍କ ବରିଷ୍ଠ ବାହିନୀ । ମୁଖିଆଙ୍କ କାର୍ଯ୍ୟାନୁଷ୍ଠାନକୁ ଚାଲେଂଜ କରିଥିବା ଅରବିନ୍ଦ ଓ ତାଙ୍କ ସମର୍ଥକ ଛାମୁଆ ନେତାମାନଙ୍କୁ ଜବାବ ଦେବାକୁ କାହାର ସାହାସ ପାଇନି । ନବୀନଙ୍କ ଛାଇ ଭାବେ ନିଜକୁ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଥିବା ଦେବୀ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମାଙ୍କ ଭଳି ବରିଷ୍ଠମାନେ ନିର୍ଲଜ ଆଚରଣ ପ୍ରଦର୍ଶନ କରିଛନ୍ତି । ଆଉ ଜଣେ ବରିଷ୍ଠ ବବି ଦାସଙ୍କ ଭୂମିକା ସନ୍ଦେହରେରେ ଥିବାରୁ ନବୀନଙ୍କୁ ସୁରକ୍ଷା ଦେବା ତାଙ୍କଠାରୁ ଆଶା କରା ନ ଗଲେ ମଧ୍ୟ ନବୀନ ନିବାସରେ ତାଙ୍କର ଲସର ପସର ବିଜେଡିର କଟା ଘାରେ ଚୂନ ଦେଲା ଭଳି ହୋଇଛି । ଅରବିନ୍ଦଙ୍କ ସମର୍ଥକଙ୍କ ଗାଳିମାଡ଼ ପରେ ଅନ୍ୟତମ ବରିଷ୍ଠ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ଦେଖି ଲୁଚୁଛନ୍ତି । ନବୀନଙ୍କୁ ସୁରକ୍ଷା ଦେବେ କ’ଣ ନିଜ ସୁରକ୍ଷା ଚିନ୍ତା ତାଙ୍କୁ ଅସମ୍ଭାଳ କରିଛି । ଶେଷରେ, ଶଙ୍ଖଭବନର ଦରମାପ୍ରାପ୍ତ ମୁଖପାତ୍ର ଏବଂ ସୋସିଆଲ୍ ମିଡିଆ ବାହିନୀ ପ୍ରତିକ୍ରିୟାଶୂନ୍ୟ ହୋଇ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।
ଅତୀତରେ ପାଣ୍ଡିଆନଙ୍କୁ ଗାଳି ହେଲା ବେଳେ ଉପରୋକ୍ତ ନେତା ଓ ଦରମାପ୍ରାପ୍ତ ମୁଖପାତ୍ର ଓ କର୍ମଚାରୀମାନେ ନିଆଁକୁ ଡେଇଁଲା ଭଳି ଡେଇଁ ପଡୁଥିଲେ । ବିଭିନ୍ନ ଘଟଣାରେ ଏହା ଦେଖିବାକୁ ମିଳୁଥିଲା । ମାତ୍ର ଖୋଦ୍ ନବୀନ ପଟ୍ଟନାୟକଙ୍କ ଉପରେ ଗାଳି ବେଳକୁ ସମସ୍ତଙ୍କ ନିରବତା ବିଜେଡି ରାଜନୀତିରେ ଗବେଷଣାର ବିଷୟ ବୋଲି କୁହାଯାଉଛି । ଏହା ବିଜେଡିକୁ କେଉଁ ଦିଗକୁ ନେଉଛି ତାହା କେହି ବୁଝିପାରୁନାହାନ୍ତି । ନବୀନ ପଟ୍ଟନାୟକଙ୍କ ଭଳି ନେତା ଓ ତାଙ୍କ ଦଳର ଏଭଳି ଯେ ଦିନେ ଅବସ୍ଥା ହେବ ତାହା କେହି କଳ୍ପନା କରି ନ ଥିଲେ ।
ଇତିମଧ୍ୟରେ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଅରବିନ୍ଦ ମହାପାତ୍ର କହିଛନ୍ତି ଯେ ବିଜେଡିରୁ ତାଙ୍କର ନିଲମ୍ବନକୁ ଦଳର ବରିଷ୍ଠ ନେତାମାନେ ନାପସନ୍ଦ କରିଛନ୍ତି । ନବୀନଙ୍କୁ ଚୋର, ମିଛୁଆ ଗାଳି ପରେ ବି ପ୍ରତିକ୍ରିୟାଶୂନ୍ୟ ଦଳୀୟ ନେତାଙ୍କ ଆଚରଣକୁ ଦେଖିଲେ ଅରବିନ୍ଦଙ୍କ ମନ୍ତବ୍ୟ ଶତ ପ୍ରତିଶତ ସତ ବୋଲି ପ୍ରମାଣିତ ହେଉଛି ।
ଏହି ପରିପ୍ରେକ୍ଷୀରେ ବିଜୟ ମହାପାତ୍ରଙ୍କ ତଥାକଥିତ ରାଜନୈତିକ ଗୋଟିଚାଳନା ସଫଳ ହେବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ବିଜେଡିକୁ ଦୁର୍ବଳ ଓ ଅସ୍ଥିରତା କରିବାକୁ ବାପ-ପୁଅ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ନବୀନ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଥିଲା ବେଳେ ଦଳର ବରିଷ୍ଠ ନେତାମାନେ ଚୁପ୍ ରହି ସେମାନଙ୍କ ନେତାଙ୍କ ଉପରେ ଗାଳିକୁ ଉପଭୋଗ କରୁଛନ୍ତି । ସେମାନଙ୍କର କୌଣସି ପ୍ରତିକ୍ରିୟା ନାହିଁ । ଦେବୀ ମିଶ୍ର, ପ୍ରତାପ ଜେନା ଓଲଟି ନିଲମ୍ବନ ନିଷ୍ପତ୍ତିର ପୁନର୍ବିଚାରର ପ୍ରତିଶ୍ରୁତି ଦେଉଛନ୍ତି । ଏହାଠାରୁ ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡି ପାଇଁ ଆଉ ଦୁର୍ଭାଗ୍ୟର କଥା କିଛି ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ସୂଚନାଥାଉକି, ଅରବିନ୍ଦଙ୍କୁ ବିଜେଡିକୁ ଆଣିବା ପଛରେ ବବି ଦାସ ଓ ପ୍ରତାପ ଜେନାଙ୍କର ମୁଖ୍ୟ ଭୂମିକା ଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ବବି ଦାସଙ୍କ ଭୂମିକା ସମ୍ପୂର୍ଣ୍ଣ ସନ୍ଦେହରେରେ ଥିଲା ବେଳେ ପ୍ରତାପ ଜେନା ଅରବିନ୍ଦଙ୍କୁ ଭିତିରିଆ ସମର୍ଥନ କରୁଥିବା ପାଟକୁରାରେ ଚର୍ଚ୍ଚା ହେଉଛି । ଏକଦା ବିଜୟ ମହାପାତ୍ରଙ୍କ ଚେଲା ଭାବେ ଜଣାଶୁଣା ଦେବୀ ମିଶ୍ରଙ୍କ ଭୂମିକା ମଧ୍ୟ ସନେ୍ଦହରେ ଅଛି । ବିଜୟ ମହାପାତ୍ରଙ୍କ ଲୋକମାନେ ଏବେ ‘ଦେବୀ ଭାଇନା’ ଙ୍କୁ ମୁଣ୍ଡରେ ବସାଇଛନ୍ତି ।