ଭୁବନେଶ୍ୱର: ରାଜ୍ୟରେ ଧାନ ମଣ୍ଡିର ଅବ୍ୟବସ୍ଥା, ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତିଙ୍କଠାରୁ ଫାଇନ୍ ଆଦାୟ ଏବଂ ଟାଟା ପାୱାରର ସ୍ମାର୍ଟ ମିଟର ନାମରେ ଶୋଷଣ ପ୍ରତିବାଦରେ ଜାନୁଆରୀ ୨୮(ଆସନ୍ତାକାଲି) ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ପାଳନ ହେବ । ଟ୍ରେନ ଓ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅଖ, ଚକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍କୁଲ କଲେଜ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ, ବିଜେଡି ସମେତ ସିପିଆଇ, ସିପିଆଇଏମ୍, କିନର ସଂଘ, ଆରଟିଆଇ ସଂଘ, ଅଭିଭାବକ ସଂଘ ସମର୍ଥନ ଜଣାଇଛନ୍ତି ।
ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ଘୋଷଣା କରିବା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ଶ୍ରୀ ଦାସ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିଦେ୍ର୍ଦଶ ଦେଇଛନ୍ତି । ଧାନକିଣାରେ ଅବ୍ୟବସ୍ଥା, ପିୟୁସିସି ଆଳରେ ମାତ୍ରାଧିକ ଜରିମାନାକୁ ସେ ବିରୋଧ କରିଛନ୍ତି ।
ସେହିଭଳି ବନ୍ଦ ଡାକରା ପାଇଁ ନବ ନିର୍ମାଣ କୃଷକ ସଂଗଠନକୁ ସାଧୁବାଦ ଜଣାଇଛନ୍ତି ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମକ ସଂଯୋଜକ ଲେନିନ୍ ମହାନ୍ତି । ଏହା ଏକ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି । ଚାଷୀ ସମସ୍ୟା, ପିୟୁସିସି, ସ୍ମାର୍ଟ ମିଟର ପ୍ରସଙ୍ଗରେ ଫେବ୍ରୁଆରି ୨ରୁ ବିଜେଡିର ଆନ୍ଦୋଳନ ହେବ । ନବ ନିର୍ମାଣ କୃଷକ ସଂଗଠନକୁ ଅଲ୍ ଦି ବେଷ୍ଟ କହି ତାଙ୍କ କାର୍ଯ୍ୟକ୍ରମର ଶୁଭକାମନା କରିଛନ୍ତି ବିଜେଡି ମୁଖପାତ୍ର ।
ଅନ୍ୟପକ୍ଷରେ ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ନକଲି ଚାଷୀଙ୍କ ଆନ୍ଦୋଳନ କହି ସରକାରୀ ଦଳ ତାତ୍ସଲ୍ୟ କରିଛି । ବିଜେପି ମୁଖପାତ୍ର ମନୋଜ ମହାନ୍ତି କହିଛନ୍ତି, ନବନିର୍ମାଣ କୃଷକ ସଂଗଠନର ନେତା ଚାଷ ଜାଣିନାହାନ୍ତି । ଧାନ କି ବାଳୁଙ୍ଗା ଏମାନେ ଚିହ୍ନିପାରିବେ ନାହିଁ । ବିଜେଡି ସମୟରେ ଚାଷୀ ହତାଶ, ଦଲାଲ ମାଲେମାଲ ହେଉଥିଲେ । ମୋହନ ସରକାରରେ ଚାଷୀ ଉତ୍ସାହିତ, ଅଧିକ ୮୦୦ ଟଙ୍କା ପାଉଛି । କଂଗ୍ରେସର ସ୍ଥିତି ନ ଥିବାରୁ ସେମାନଙ୍କ ପଛରେ ଲାଉ ହେଉଛି । ଏହି ବନ୍ଦର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।
ଇତିମଧ୍ୟରେ ନବ ନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ରାଜ୍ୟ ସାରା ବୁଲି ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି । ରାଜଧାନୀରେ ଏହାର ନେତୃତ୍ୱ ନେଉଛନ୍ତି ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡି. ମନୱର ଅଲ୍ଲୀ । ଦୁଇଦିନ ହେଲା କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କାର୍, ବାଇକ୍ ରାଲି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ପ୍ରଚାର କରାଯାଇ ସାଧାରଣ ଜନତାଙ୍କ ସମର୍ଥନ ଲୋଡ଼ାଯାଉଛି । ବିଜେପି ସରକାର ଏହି ପ୍ରଚାରକୁ ଦବାଇ ଦେବା ପାଇଁ ଦମନ ଲୀଳା ଆରମ୍ଭ କରିଥିବା ଶ୍ରୀ ଅଲ୍ଲୀ ଅଭିଯୋଗ କରିଛନ୍ତି ।