ଭୁବନେଶ୍ୱର: ଲୋକପ୍ରିୟ ଜନନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ । ତାଙ୍କୁ ୭୯ ପୂରି ୮୦ ଚାଲିଲା । ରାଜନୈତିକ ଜୀବନରେ ଅଢ଼େଇ ଦଶନ୍ଧିରୁ ଅଧିକ ସମୟ ଧରି ସଫଳତାର ଶୀର୍ଷରେ ରହିଥିବା ନବୀନ ଗତ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ପରାଜୟର ସାମନା କରିଥିଲେ । ଆଉ ସେ ମୁଖ୍ୟମନ୍ତ୍ରୀ ନ ଥିଲେ ମଧ୍ୟ ଲୋକେ ତାଙ୍କୁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦାରେ ରଖିଛନ୍ତି । ତାଙ୍କର କ୍ଷମତା ଚାଲିଯାଇଛି ସତ ହେଲେ ଲୋକପ୍ରିୟତା କମିନାହିଁ । କେବଳ ଓଡ଼ିଶା ନୁହେଁ, ସାରା ଭାରତବର୍ଷରେ ଜନପ୍ରିୟ ନେତା ଭାବେ ତାଙ୍କର ନାଁ ଲିପିବଦ୍ଧ ହୋଇଯାଇଛି । ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରି ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ମିଡ ଡେ ଓଡ଼ିଶା ପରିବାର ପକ୍ଷରୁ ଏହି ମହାନ ଜନନାୟକଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ସେ ସୁସ୍ଥ ରୁହନ୍ତୁ ଏବଂ ଦୀର୍ଘାୟୁ ହୁଅନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ।
ପିଲାମାନଙ୍କ ସହ ପାଳିଲେ ଜନ୍ମଦିନ
ସରଳ ଓ ନିରାଡ଼ମ୍ବର ଜୀବନ ଶୈଳୀରେ ବିଶ୍ୱାସ ରଖୁଥିବା ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନ SOS Village ର ପିଲାମାନଙ୍କ ଗହଣ ରେ କାଟିଥିଲେ। ଆଜି ପୂର୍ବାହ୍ନରେ ସେଠାର ପହଂଚିବା ପରେ ପିଲାମାନେ ତାଙ୍କୁ ସ୍ୱାଗତ କରିଥିଲେ। ପିଲାମାନେ ଦ୍ୱାରା ପ୍ରସ୍ତୁତ cake ନବୀନ କାଟିବା ସହ ପିଲାମାନଙ୍କୁ ନିଜେ cake ଖୁଆଇ ଦେଇଥିଲେ ଓ ପିଲାମାନଙ୍କୁ ଉପହାର ଦେଇଥିଲେ। ପିଲାମାନଙ୍କୁ ଆଶୀର୍ବାଦ କରି କହିଥିଲେ ଯେ ଆଜି ପିଲାମାନଙ୍କ ସହ ଜନ୍ମ ଦିନ ପାଳନ କରି ସେ ବହୁତ ଖୁସି । ତାଙ୍କ ଜନ୍ମ ଦିନ ରେ ସାମିଲ ହୋଇ ଥିବାରୁ ନବୀନ ପିଲାମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତ ରେ ଭଲ ମଣିଷ ହେବା ପାଇଁ ଆଶୀର୍ବାଦ କରିଥିଲେ।
ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ
ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ଗଙ୍ଗନଗର ବିଜୁ ଆଦର୍ଶ କଲୋନୀ ରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ବିଜେଡି ର ନେତା ଓ କର୍ମୀ ମାନଙ୍କ ଗହଣ ରେ ଶ୍ରୀ ପଟ୍ଟନାୟକ କିଛି ବାଟ ଚାଲିବା ସହିତ ଆୟୋଜିତ ସଭା ରେ ଉପସ୍ଥିତ ଜନତା ଓ କର୍ମୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଓଡିଶା ବାସୀ ଙ୍କ ସହିତ ସବୁବେଳେ ରହିଛି ଓ ରହିଥିବ। ସେବା ବିଜୁ ଜନତା ଦଳ ର ମନ୍ତ୍ର। ତେଣୁ ଲୋକଙ୍କ ସେବା ଜାରି ରଖିବା ପାଇଁ କର୍ମୀ ମାନଙ୍କୁ ନବୀନ ପରାମର୍ଶ ଦେବା ସହିତ,ଶେଷ ପର୍ଯ୍ୟନ୍ତ ସେ ଓଡିଶା ମା ର ସେବା କରିଚାଲିବେ ବୋଲି କହିଥିଲେ।
ଏହି ଅବସରରେ ନବୀନ ପିଲାମାନଙ୍କୁ ଚକୋଲେଟ ବାଣ୍ଟି ଥିଲେ।
ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅକଟୋବର ୯ ରୁ ଆରମ୍ଭ ହୋଇଛି. ଓ ଏହା ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ।
ସନ୍ଧ୍ୟାରେ ପ୍ରଶଂସକଙ୍କ ଭିଡ଼
ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆଜି ସନ୍ଧ୍ୟାରେ ପ୍ରଶଂସକ ମାନଙ୍କ ଭିଡ଼ ଜମି ଥିଲା। ବିଜୁ ଜନତା ଦଳ ର ନେତା ଓ କର୍ମୀ ମାନଙ୍କ ସମେତ ସମାଜ ର ବିଭିନ୍ନ ବର୍ଗ ର ଜନସାଧାରଣ ନବୀନଙ୍କୁ ଭେଟି ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ନବୀନ ଶୁଭେଚ୍ଛା ଗ୍ରହଣ କରି ତାଙ୍କ ପ୍ରତି ଲୋକଙ୍କର ଏହି ସ୍ନେହ ଓ ସଦିଚ୍ଛା ପାଇଁ କୃତଜ୍ଞତା ଜଣାଇଥିଲେ।
ଜନ୍ମ ଦିନ ଅବସରରେ ନବୀନଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ମାନେ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।







