ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ ପ୍ରସଙ୍ଗରେ ବିଜେପିର ଓଡ଼ିଆ ସାଂସଦମାନଙ୍କୁ ଆଜି ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସାଂସଦମାନଙ୍କୁ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ରାଜ୍ୟର ଅଧିକାର ମନେ ପକାଇଛନ୍ତି । ଏମଏମଡିଆର ଆଇନରେ କରାଯାଇଥିବା ସଂଶୋଧନକୁ ବିରୋଧ କରି ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ଆଇନ ଓଡ଼ିଶାର କ୍ଷମତାକୁ ଛଡ଼ାଇ ନେଇଥିବାରୁ ଓଡ଼ିଶା ପାଇଁ ଲଢ଼େଇ କରିବାକୁ କହିଛନ୍ତି । ଏପରି କଲେ ଇତିହାସ ସେମାନଙ୍କୁ ମନେ ରଖିବ ବୋଲି ନବୀନ ଲେଖିଛନ୍ତି ।
ଚିଠିରେ ନବୀନ ଲେଖିଛନ୍ତି, ଅଗଷ୍ଟ ୧୩ରେ ସଂସଦରେ ଏହି ବିଲ୍ ପାସ୍ ହୋଇ ଏକ କଳା ଇତିହାସ ସୃଷ୍ଟି କରିଛି । ଏହା ଓଡ଼ିଶା ପାଇଁ ଏକ କଳା ଦିବସ ଥିଲା । ଏହି ବିଲ୍ ମାତ୍ର ୧୦ ମିନିଟ୍ ଆଲୋଚନା ପରେ ପାସ୍ ହୋଇଥିଲା । ଏହି ଦିନ ଓଡ଼ିଶାର ବିଜେପି ସାଂସଦ ସମର୍ଥନରେ ପାରିତ ହୋଇଥିଲା ବିଲ୍ । ରାଜ୍ୟ ପାଇଁ ପ୍ରତିକୂଳ ପ୍ରଭାବ ରଖୁଥିବା ଆଇନକୁ ସମର୍ଥନ କରିବା ଚିନ୍ତାଜନକ । ଦେଶର ଖଣିଜ ସମ୍ପଦର ପ୍ରାୟ ୪୪ ପ୍ରତିଶତ ଓଡ଼ିଶାରେ ରହିଛି । ଓଡ଼ିଶାର ଖଣିଜ ଦେଶର ଇସ୍ପାତ, ବିଦ୍ୟୁତ ଓ ଖଣି କ୍ଷେତ୍ରକୁ ସମୃଦ୍ଧ କରିଆସିଛି । ଦେଶର ବିକାଶରେ ଓଡ଼ିଶାର ଅବଦାନକୁ ଅଣଦେଖା କରାଯାଇପାରିବ ନାହିଁ । ସଂଶୋଧନରେ ଓଡ଼ିଶାକୁ ବାର୍ଷିକ ୧୨ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇପାରେ । ଦୀର୍ଘମିଆଦିରେ କ୍ଷତି ଲକ୍ଷ ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି ।
ଆର୍ଥିକ କ୍ଷତିଠାରୁ ବଡ଼ ପ୍ରସଙ୍ଗ ହେଉଛି ଖଣିଜ ସମ୍ପଦ ଉପରେ ରାଜ୍ୟର ନିୟନ୍ତ୍ରଣ । ଗୋଟିଏ ଆଇନଗତ ପଦକ୍ଷେପରେ ଏହି କ୍ଷମତା ରାଜ୍ୟଠାରୁ ଛଡ଼ାଇ ନିଆଯାଇଛି । ଖଣି ଯୋଗୁଁ ପ୍ରଦୂଷଣ ଓ ବିସ୍ଥାପନ ବୋଝ ସହୁଥିବା ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ କରାଯାଇଛି । ରାଜ୍ୟର ପିଲା ଓ ଯୁବପୀଢ଼ିଙ୍କ ପ୍ରତି ଏହା ଘୋର ଅନ୍ୟାୟ । ଏହା ସଶକ୍ତ ଓଡ଼ିଶାର ସ୍ୱପ୍ନକୁ ମଧ୍ୟ ଆଘାତ ଦେଇଛି । ଆପଣମାନେ ନିଜ ବିବେକର କଥା ଶୁଣନ୍ତୁ । ଏମଏମଡିଆର ଆଇନରେ କରାଯାଇଥିବା ସଂଶୋଧନକୁ ଚାଲେଞ୍ଜ କରନ୍ତୁ । ଏହାକୁ ପ୍ରତ୍ୟାହାର ପାଇଁ ଦାବି କରନ୍ତୁ । କେଉଁ ଦଳର ଆପଣଙ୍କୁ ଇତିହାସ ମନେ ରଖିବ ନାହିଁ । ନିର୍ଣ୍ଣାୟକ ସମୟରେ ଓଡ଼ିଶା ପାଇଁ ଠିଆ ହୋଇଥିଲେ କି ନାହିଁ ଇତିହାସ ଦେଖିବ । ଆପଣମାନେ ଏବେ ଏକ ଐତିହାସିକ ସନ୍ଧିକ୍ଷଣରେ ଠିଆ ହୋଇଛନ୍ତି । ଓଡ଼ିଶାବାସୀଙ୍କ ପାଇଁ ଲଢ଼ିବେ କି ନାହିଁ ତାହା ଆପଣଙ୍କ ବିଚାର ଉପରେ ଛାଡ଼ିଲି ବୋଲି ନବୀନ ଲେଖିଛନ୍ତି ।