ଭୁବନେଶ୍ୱର: କୋଟିଆ ସୀମାନ୍ତରେ ଗତକାଲି ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ମୁହାଁମୁହିଁ ଘଟଣା ପରେ ସ୍ଥିତି ଭିନ୍ନ ହୋଇଛି । ଆସନ୍ତାକାଲି କୋଟିଆରେ ଆନ୍ଧ୍ରର ଏମ୍ ପିଟିସି ଓ ଜେଡ୍ ପିଟିସି ନିର୍ବାଚନ ସଜବାଜ ଥିବାରୁ ଓଡ଼ିଶା ସରକାର ସେହି ଅଞ୍ଚଳକୁ ହାଇ ଆଲର୍ଟରେ ରଖିଛନ୍ତି । ପ୍ରଶାସନ ପକ୍ଷରୁ ଏହାକୁ ପଣ୍ଡ କରିବା ପାଇଁ ପ୍ରସ୍ତୁତି ହୋଇଛି । ସମ୍ବେଦନଶୀଳ ଗାଁଗୁଡ଼ିକରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ୨୧ ଟି ଯାକ ଗ୍ରାମରେ ୧୬୩ ଧାରା ଲାଗୁ କରାଯାଇଛି । ୩ ଟି ଚେକ୍ ଗେଟ୍ ରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।
ଗତକାଲି ନେରେଡିୱାଲସାରେ ଆନ୍ଧ୍ର ଅଧିକାରୀ ଓ ପୁଲିସକୁ ପାଣି ପିଆଇଥିବା କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ଆଜି ସେଠାରେ ବିଭିନ୍ନ ଗାଁ ବୁଲି ସ୍ଥିତି ପରଖିଛନ୍ତି । ଗଞ୍ଜେଇପଦର ପଞ୍ଚାୟତର ଉପର ସେମ୍ବି ଓ ରେରେଡିୱାଲାସା ଗାଁରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ନାରେଡିଭାଲସା ଏବଂ ଉପରସେମ୍ବିଠାରେ ଆନ୍ଧ୍ର ଖୋଲିଥିବା ଦୁଇଠି ପୁଲିଂ ବୁଥ୍ କୁ ଆଜି ଓଡ଼ିଶା ପୁଲିସ ସିଲ୍ କରିଦେଇଛି । ସେଠାରେ ଆନ୍ଧ୍ରର ଚେକ୍ ପୋଷ୍ଟକୁ ମଧ୍ୟ ସିଲ୍ କରି ଦିଆଯାଇଛି । ଏହା ସତ୍ତ୍ୱେ ଆନ୍ଧ୍ର କୋଟିଆରେ ନିର୍ବାଚନ କରାଇବା ପାଇଁ ଜିଦ୍ ରୁ ହଟିନାହିଁ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଦିଲ୍ଲୀ ଗସ୍ତ କରିଥିଲେ ମଧ୍ୟ କୋଟିଆରେ ଆନ୍ଧ୍ରର ଅରାଜକତା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ନାହାନ୍ତି । କୋଟିଆ ସଂକ୍ରାନ୍ତରେ ଆମେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗଣମାଧ୍ୟମକୁ କହିଛନ୍ତି ।
ଓଡ଼ିଶାର ଅଖଣ୍ଡତା ବିପଦରେ ପଡ଼ିଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୁଣି ଏକ ଚିଠି ଲେଖିଛନ୍ତି ।
ନବୀନ ଲେଖିଛନ୍ତି-
ଓଡ଼ିଶାବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଆସନ୍ତାକାଲି କୋଟିଆରେ ନିର୍ବାଚନ କରାଇବାକୁ ଅଗ୍ରସର ହେଉଥିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ।
କୋଟିଆ ସମ୍ପର୍କରେ ମୁଁ ଅକ୍ଟୋବର ୧୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଚିଠିର ଉତ୍ତର ଅକ୍ଟୋବର ୨୭ ତାରିଖରେ ପାଇଥିଲି। ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ମୁଁ ଜାଣିବାକୁ ପାଉଛି ଯେ, କୋଟିଆରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅଧିକାରୀମାନଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଓ ମୁହାଁମୁହିଁ ଅବସ୍ଥା ତୃଣମୂଳସ୍ତରରେ ସ୍ଥିତିକୁ ଅଧିକ ଜଟିଳ କରିଦେଉଛି।
ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିବେଶ ଏବଂ ଆସନ୍ନ ନିର୍ବାଚନ ସ୍ଥିତିକୁ ଦୃଷ୍ଟିରେ ରଖି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚସ୍ତରରେ ଆପଣ ଆଲୋଚନା ଆରମ୍ଭ କରନ୍ତୁ।
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ଏନ୍ଡିଏର ଅଂଶୀଦାର ଦଳମାନଙ୍କ ଦ୍ୱାରା ଶାସିତ ହେଉଛି। ବିଜେପି ନେତୃତ୍ୱରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ସୁରକ୍ଷା ପାଇଁ ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆପଣ ତୁରନ୍ତ ଏହି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ନ୍ୟାୟସଙ୍ଗତ ସ୍ୱାର୍ଥର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ତୃଣମୂଳସ୍ତରରେ ପରିସ୍ଥିତି ଯେପରି ଆଉ ଅଧିକ ଉତ୍ତେଜନାପୂର୍ଣ୍ଣ ନ ହେବ, ସେ ଦିଗରେ ପଦକ୍ଷେପ ନେବା ଆପଣଙ୍କର ନୈତିକ ଦାୟିତ୍ୱ।
ମୁଁ ଆଶା କରୁଛି, ବିଜେପିର ନେତୃତ୍ୱ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ସମ୍ମାନ ରଖିବ ଏବଂ ୨୦୨୪ ନିର୍ବାଚନୀ ଇସ୍ତାହାରରେ କୋଟିଆ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ଦେଇଥିବା ଗ୍ୟାରେଣ୍ଟିକୁ କେବଳ ପ୍ରତିଶ୍ରୁତିରେ ସୀମିତ ନରଖି କାର୍ଯ୍ୟରେ ପରିଣତ କରିବା ପାଇଁ ଫଳପ୍ରଦ ପଦକ୍ଷେପ ନେବ।