ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନରେ ବିଜେଡ଼ି ଏକତରଫା ବିଜୟ ହାସଲ କରିଥିଲେ ମଧ୍ୟ ନେତାଙ୍କୁ ବିଶ୍ରାମ ନାହିଁ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ସାଂଗଠନିକ କସରତ୍ ଆରମ୍ଭ ହୋଇଗଲାଣି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବା ସହ ଘନ ଘନ ଆଲୋଚନା କରୁଛନ୍ତି । ମନ୍ତ୍ରୀମଣ୍ଡଳ ଅଦଳବଦଳ ଏବଂ ସାଂଗଠନିକ ପରିବର୍ତ୍ତନ ସମ୍ଭାବନା ପରିପ୍ରେକ୍ଷୀରେ ନବୀନଙ୍କର ଏହି ପଦକ୍ଷେପକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ଆରମ୍ଭ କରିଛନ୍ତି ନବୀନ । ତିନି ଦିନ ଚାଲିବାକୁ ଥିବା ବୈଠକର ଆଜି ପ୍ରଥମ ଦିନରେ ୯ ଜିଲ୍ଲା- କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ସୁନ୍ଦରଗଡ଼, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ନବୀନ କଥା ହୋଇଥିଲେ । ପଞ୍ଚାୟତ ଓ ପୌରର ନିର୍ବାଚନରେ ଦଳ ଯେଉଁ ଯେଉଁଠାରେ ଦୁର୍ବଳ ପ୍ରଦର୍ଶନ କରିଛି ତାହାର କାରଣ ଖୋଜିଥିଲେ । ଦଳ ସେଠି କାହିଁକି ହାରିଲା ବୋଲି ମୁଖିଆ ପ୍ରଶ୍ନ କରିବା ସହ ଯେଉଁଠାରେ ଜିତିଲା ତାହାର ମଧ୍ୟ କାରଣ ଜାଣିବାକୁ ଚାହିଁଥିଲେ । ଏସବୁର ତଥ୍ୟ ସମ୍ବଳିତ ରିପୋର୍ଟ ୧୦ ଦିନ ମଧ୍ୟରେ ଦେବାକୁ ନବୀନ ପର୍ଯ୍ୟବେକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉକି ଭଦ୍ରକ, ଢ଼େଙ୍କାନାଳ, କାକଟପୁର, ଖଣ୍ଡପଡ଼ା, ଦଶପଲ୍ଲା, ଫୁଲବାଣୀ, ରେଢ଼ାଖୋଲ, ଜଗତସିଂହପୁର, ଛତ୍ରପୁର, ରମ୍ଭା, ଗଞ୍ଜାମ, ଦିଗପହଣ୍ଡି, ନବରଙ୍ଗପୁର, ଧର୍ମଗଡ଼, ଛତ୍ରପୁର, ଗୁଣୁପୁର ଆଦି ଜାଗାରେ ବିଜେଡ଼ିର ପ୍ରଦର୍ଶନ ଭଲ ହୋଇନାହିଁ । ସ୍ଥାନୀୟ ନେତାଙ୍କ ମନମାନି ଓ ଗୋଷ୍ଠୀକନ୍ଦଳ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଆଜିର ସମୀକ୍ଷା ବୈଠକରେ କିଛି ପର୍ଯ୍ୟବେକ୍ଷକ ମୁଖିଆଙ୍କୁ ଏହା ଜଣାଇ ବି ଦେଇଥିଲେ । କିଛି ମନ୍ତ୍ରୀ ଓ ବିଧାୟକଙ୍କ କାର୍ଯ୍ୟଶୈଳୀ ଉପରେ ସେମାନେ ନିଜର ଅସନ୍ତୋଷ ରଖିଥିଲେ । ନବୀନ ଏହାକୁ ଗୁରୁତର ସହ ଗ୍ରହଣ କରିଥିବା ଜଣାପଡ଼ିଛି ।
ସାଂଗଠନିକ ସମୀକ୍ଷା ଆରମ୍ଭ ପୂର୍ବରୁ ଗତକାଲି ନବୀନ ନିବାସରେ ନିଜ ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଥିଲେ । ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍ ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ ଓ ଅନ୍ୟ ଜନପ୍ରତିନିଧିଙ୍କୁ ମିଶାଇ ୨୦୦ ରୁ ଅଧିକ ପ୍ରତିନିଧି ଏଥିରେ ସାମିଲ୍ ଥିଲେ ।
ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ମିଳିମିଶି ଓ କଠିନ ପରିଶ୍ରମ କରି ନିଜ ନିଜ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟା ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ପୌର ନିର୍ବାଚନରେ କିଛି ଜାଗାରେ ବିଜେପିର ଶକ୍ତିବୃଦ୍ଧି ଦଳ ପାଇଁ ଚିନ୍ତାର ବିଷୟ ହୋଇଥିଲା ବେଳେ ନବ ନିର୍ବାଚିତ ଜନପ୍ରତିନିଧିମାନଙ୍କର ଏହା ମନୋବଳ ବଢ଼ାଇଥିବା କୁହାଯାଉଛି ।