ଭୁବନେଶ୍ୱର: ଡାକ୍ତରୀ(ଏମବିବିଏସ ଏବଂ ବିଡିଏସ) ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ NEET(UG)-2023 ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ତାମିଲନାଡୁର ଜେ.ପ୍ରଭଞ୍ଜନ ଏବଂ ଆନ୍ଧ୍ରପ୍ରଦେଶର ବୋରାବରୁଣ ଚକ୍ରବର୍ତ୍ତୀ ଏବର୍ଷର ଯୁଗ୍ମ ଟପ୍ପର ହୋଇଛନ୍ତି । ଉଭୟ ୭୨୦ ରୁ ୭୨୦ ଅର୍ଥାତ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି । ଅଷ୍ଟମ ସ୍ଥାନରେ ରହି ସ୍ୱୟଂଶକ୍ତି ତ୍ରିପାଠୀ ଓଡ଼ିଶା ଟପ୍ପର ହୋଇଛନ୍ତି ।
ଟପ୍ ୫୦ ତାଲିକାରେ ଓଡ଼ିଶାରୁ ୨ ଜଣ ଅଛନ୍ତି । ୭୧୫ ନମ୍ବର ରଖି ଅଷ୍ଟମ ସ୍ଥାନରେ ସ୍ୱୟଂଶକ୍ତି ତ୍ରିପାଠୀ ଥିବା ବେଳେ ୭୧୦ ନମ୍ବର ରଖି ୩୫ତମ ସ୍ଥାନରେ ଅଛନ୍ତି ସୂର୍ଯ୍ୟପ୍ରତାପ ମିଶ୍ର । ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ୨୦ ଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାରୁ ଅଛନ୍ତି ଅଭିପସା ଚୌଧୁରୀ । ତାଙ୍କର ରାଙ୍କ ୬୩ ।
ଚଳିତବର୍ଷ ମୋଟ ୨୦ ଲକ୍ଷ ୩୮ ହଜାର ଛାତ୍ରଛାତ୍ରୀ ନିଟ୍-ୟୁଜି ପରୀକ୍ଷା ଦେଇଥିଲେ । ଓଡ଼ିଶାରୁ ୩୮ ହଜାର ୪୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୨୮ ହଜାର ୩୩୦ ପିଲା କୃତକାର୍ଯ୍ୟ ହୋଇଛନ୍ତି । ଦେଶର ବିଭିନ୍ନ ମେଡିକାଲ୍ କଲେଜରେ ସେମାନେ ଏମବିବିଏସ୍ ଏବଂ ବିଡିଏସ୍ ଶ୍ରେଣୀରେ ନାମ ଲେଖାଇବାର ସୁଯୋଗ ପାଇବେ ।