ଭୁୁବନେଶ୍ୱର: ଆମ ରାଜ୍ୟର ରେଭେନସା, ବିଜେବି, ଗଙ୍ଗାଧର ମେହେର ଭଳି ସରକାରୀ କଲେଜ ଏବଂ ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜାତୀୟସ୍ତରରେ ବହୁ ପଛରେ ପଡ଼ିଯାଇଛନ୍ତି । ଦେଶର ଶ୍ରେଷ୍ଠ ୧୦୦ ତାଲିକାରେ ଓଡ଼ିଶାର ଗୋଟିଏ ବି ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନର ନାଁ ନାହିଁ । ଶ୍ରେଷ୍ଠ ୧୦୦ କଲେଜ କାଟାଗୋରିରେ କୌଣସି ବେସରକାରୀ କଲେଜର ନାଁ ମଧ୍ୟ ନାହିଁ ।
ଆଜି ପ୍ରକାଶ ପାଇଥିବା ୨୦୨୨ ମସିହାର ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF) ତାଲିକାରେ ଓଡ଼ିଶାର ଏଭଳି ସ୍ଥିତି ଦେଖିବାକୁ ମିଳିଛି । ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉନ୍ମୋଚନ କରିଥିଲେ ।
ତେବେ ଖୁସିର କଥା, ଓଭରଅଲ୍ ମାନ୍ୟତା ତାଲିକାରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ ୩୦ ତମ ସ୍ଥାନରେ ରହିଛି । ଏହି ତାଲିକାରେ କିଟ୍ ୩୪, ରାଉରକେଲା ଏନଆଇଟି ୩୯ ଏବଂ ଭୁବନେଶ୍ୱର ଆଇଆଇଟି ୬୫ ସ୍ଥାନରେ ଅଛନ୍ତି ।
ବିଭିନ୍ନ କାଟାଗୋରିରେ ଓଡ଼ିଶାର ଶ୍ରେଷ୍ଠ ଅନୁଷ୍ଠାନ ଏବଂ ସେମାନଙ୍କର ରାଙ୍କ୍ ହେଲା-
ବିଶ୍ୱବିଦ୍ୟାଳୟ: ସୋଆ (୧୬), କିଟ୍ (୨୦), ଉତ୍କଳ ୟୁନଭରସିଟି (୮୮)
ଇଂଜିନିୟରିଂ କଲେଜ: ରାଉରକେଲା ଏନଆଇଟି (୧୫), ସୋଆ (୨୭), ଆଇଆଇଟି (୩୬), କିଟ୍ (୪୨), ସି.ଭି.ରମଣ (୯୮)
ରିସର୍ଚ୍ଚ ଅନୁଷ୍ଠାନ: ଏନଆଇଟି (୨୪), ଆଇଆଇଟି (୩୭), ସୋଆ (୪୫), କିଟ୍ (୪୭)
ମ୍ୟାନେଜମେଣ୍ଟ କଲେଜ: ଏକ୍ସଆଇଏମ (୩୫), କିଟ୍ (୪୮), ଆଇଆଇଏମ୍ (୬୬), ଆଇଏମଆଇବି (୭୦)
ମେଡିକାଲ କଲେଜ: ସୋଆ (୧୮), ଏମସ (୨୬), କିଟ୍ (୩୦), ଏସସିବି (୪୪)
ଚଳିତବର୍ଷ ଓଭରଅଲ୍ ତାଲିକାରେ ଆଇଆଇଟି ମାଡ୍ରାସ୍ ଶୀର୍ଷରେ ଅଛି । ଦ୍ୱିତୀୟ ସ୍ଥାନରେ ଆଇଆଇଏସ ବେଙ୍ଗାଲୁରୁ, ତୃତୀୟରେ ଆଇଆଇଟି ବମ୍ବେ , ଚତୁର୍ଥରେ ଆଇଆଇଟି ଦିଲ୍ଲୀ, ପଞ୍ଚମରେ ଆଇଆଇଟି କାନପୁର, ଷଷ୍ଠରେ ଆଇଆଇଟି ଖଡ଼ଗପୁର, ସପ୍ତମରେ ଆଇଆଇଟି ରୁରକି, ଅଷ୍ଟମରେ ଆଇଆଇଟି ଗୌହାଟି, ନବମରେ ଏମସ୍ ଦିଲ୍ଲୀ ଏବଂ ଦଶମ ସ୍ଥାନରେ ଜେଏନୟୁ ଦିଲ୍ଲୀ ଅଛି ।