ଭୁବନେଶ୍ୱର: ଓଡିଶାରେ ବିଜେପି-ବିଜେଡି ମେଣ୍ଟ ସମ୍ଭାବନକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମେଣ୍ଟ ହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି । ଆଜି ବିଳମ୍ବିତ ରାତିରେ ଦିଲ୍ଲୀରୁ ଫେରିବା ପରେ ବିମାନବନ୍ଦରରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ମେଣ୍ଟ ର୍ଚ୍ଚା ଏକ ଗୁଜବ, ମନଗଢ଼ା କାହାଣୀ । କିଏ ଏଭଳି ଚର୍ଚ୍ଚା କରିଥିଲା ଆମେ ଜାଣିନୁ । ମାତ୍ର ଏଭଳି କିଛି ହେବାର ନାହିଁ । ରାଜ୍ୟରେ ବିଜେପି ଏକାକୀ ପୂରା ଦମ୍ ରେ ନିର୍ବାଚନ ଲଢ଼ିବ । ୧୪୭ଟି ଯାକ ବିଧାନସଭା ଆସନ ଏବଂ ୨୧ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେ ଏବଂ ଜିତି ଓଡିଶାରେ ସରକାର ଗଢ଼ିବ ବୋଲି ସେ ଦମ୍ଭ ଦେଖାଇଛନ୍ତି ।
ଅନ୍ୟପକ୍ଷରେ ବିଜେପିର ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପ୍ରାର୍ଥୀ ତାଲିକା ଆଜି ରାତି କିମ୍ବା ଆସନ୍ତାକାଲି ପ୍ରକାଶ ପାଇବ । ଏଥିରେ ୧୦୦ରୁ ୧୨୦ ଜଣଙ୍କ ନାମ ରହିଛି । କେନ୍ଦ୍ରୀୟ ପାର୍ଲାମେଣ୍ଟ କମିଟି ଓ ସିଇସି ପ୍ରାର୍ଥୀ ତାଲିକା ଘୋଷଣା କରିବେ । ତେବେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ କେତେ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବେ ସେ ନେଇ କୌଣସି ଉତ୍ତର ଦେଇନାହାନ୍ତି ରାଜ୍ୟ ସଭାପତି । ତାଲିକାକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି ।