ଭୁବନେଶ୍ୱର: ଅଣସେବାୟତମାନେ ରଥ ଉପରକୁ ଚଢ଼ିପାରିବେ ନାହିଁ କି ରଥ ଉପରକୁ କେହି ମୋବାଇଲ୍ ନେଇପାରିବେ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଜି ଦାୟିତ୍ୱ ନେଉ ନେଉ ଏହି କଟକଣା ଜାରି କରିଛନ୍ତି ଅରବିନ୍ଦ ପାଢ଼ୀ । ରଥ ଉପରକୁ ମୋବାଇଲ୍ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ବଡ଼ଠାକୁରଙ୍କ ପହଣ୍ଡି ବିଜେରେ ହୋଇଥିବା ଅଘଟଣକୁ ନୂଆ ମୁଖ୍ୟ ପ୍ରଶାସକ ଖୁବ୍ ଗମ୍ଭୀରତାର ସହ ନେଇଛନ୍ତି । ଏଥିଲାଗି ବଡ଼ଠାକୁରଙ୍କ ପାଖରେ ସେ କ୍ଷମା ମାଗିଛନ୍ତି । ତିନି ଜଣିଆ ତଦନ୍ତ କମିଟି ରିପୋର୍ଟ ଦେଲା ପରେ ଏହି ଅଘଟଣର ତର୍ଜମା କରାଯିବ ବୋଲି କହିଛନ୍ତି ।
ଶ୍ରୀ ପାଢ଼ୀ କହିଛନ୍ତି, ରଥ ଯାତ୍ରା ଏବଂ ଠାକୁରଙ୍କ ନୀତିକାନ୍ତିରେ କୌଣସି ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବନି । ରଥ ଉପରେ ସୀମିତ ସେବାୟତ ରଖିବା ପାଇଁ ସେ ବିଭିନ୍ନ ନିଯୋଗ ସହିତ ପ୍ରାରମ୍ଭିକ ଭାବେ କଥା ହୋଇଛନ୍ତି । ସଂଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏହାର ବିସ୍ତୃତ ଆଲୋଚନା ହେବ । ତେବେ ଅଣ ସେବାୟତମାନଙ୍କୁ ରଥ ଉପରେ ଚଢ଼ିବା ପାଇଁ ଅନୁମତି ଦିଆଯିବନି । ଯେଉଁମାନଙ୍କର ସେବା ଅଛି ସେମାନେ ହିଁ ରଥ ଉପରେ ଚଢ଼ିବେ । ରଥ ଉପରକୁ ମୋବାଇଲ୍ ଯିବନାହିଁ ଏବଂ କୌଣସି ପ୍ରକାର ଫଟୋ ଉଠାଯାଇପାରିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି ।
ସୂଚନାଥାଉକି, ବଡ଼ଠାକୁରଙ୍କ ପହଣ୍ଡି ବିଜେ ଅଘଟଣରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ବୀରବିକ୍ରମ ଯାଦବଙ୍କୁ ହଟାଇ ଅରବିନ୍ଦ ପାଢ଼ୀଙ୍କୁ ନିଯୁକ୍ତି ଦେଇଥିଲେ । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ।