ଭୁବନେଶ୍ୱର: ଖାଲି ନୂଆବର୍ଷ ୧ କି ୨ ତାରିଖ ନୁହେଁ । ପୂରା ଜାନୁଆରୀ ମାସରେ ନୂଆବର୍ଷ ସେଲିବ୍ରେସନ୍ ଏବଂ ପିକନିକ୍ ମନା । ସାରା ରାଜ୍ୟରେ ଜିରୋ ନାଇଟ୍, ନୂଆବର୍ଷ ଉତ୍ସବ ପାଳନ ଉପରେ କଟକଣା ଲାଗିଛି । ହୋଟେଲ, ପାର୍କ, ମଲ୍ ରେ ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ପାର୍କ, ବେଳାଭୂମି ଏବଂ ଅନ୍ୟାନ୍ୟ ପିକନିକ୍ ଜାଗାରେ ପିକନିକ୍ ମଧ୍ୟ ହୋଇପାରିବ ନାହିଁ । କୌଣସି ଶିକ୍ଷାନୁଷ୍ଠାନ ପିକନିକ୍ ଯାଇପାରିବେ ନାହିଁ ।
ପିକନିକ୍ ସ୍ପଟ୍, ହୋଟେଲ, ମଲ୍ ମାନଙ୍କରେ ଚେକିଂ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।
ଏଭଳି ଭାବେ ଜାନୁଆରୀ ମାସ ପାଇଁ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା ଜାରି ହୋଇଛି । ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏଁ ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିବ । ସକାଳ ୫ଟାରୁ ରାତି ୧୦ଟା ଯାଏଁ ସମସ୍ତ ଦୋକାନ ଖୋଲା ରହିବ ।
ଜାନୁଆରୀରେ ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି । ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇଥିଲେ ମଧ୍ୟ ମେଳିକୁ ସୀମିତ ରଖାଯାଇଛି । ସମାବେଶରେ ସର୍ବାଧିକ ୧୦୦ ଲୋକ ଯୋଗଦେଇପାରିବେ । ୨୫୦ ଲୋକଙ୍କୁ ନେଇ ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ କରାଯାଇପାରିବ । ସମସ୍ତଙ୍କୁ ମିଶାଇ ୫୦ ଜଣରେ ବରଯାତ୍ରୀ ଶୋଭାଯାତ୍ରା ହୋଇପାରିବ । ସର୍ବସାଧାରଣ ଭୋଜିଭାତକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । କୌଣସି ବାର୍ଷିକ ଉତ୍ସବ, ବିବାହ ବାର୍ଷିକୀ ପାଳନ ହୋଇପାରିବ ନାହିଁ ।
କୋଭିଡ୍ ନିୟମ ମାନି ଯାତ୍ରା, ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ । ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଚାଲିପାରିବ । ତେବେ ସେଥିପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ସିନେମା ହଲ୍ ଚାଲିବ । ସିନେମା ହଲ୍ କୁ ଯିବା ପାଇଁ ଡବଲ୍ ଡୋଜ୍ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ । ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦି ଆୟୋଜନ ଉପରେ କଟକଣା ଲଗାଯାଇଛି ।