ଭୁବନେଶ୍ୱର: ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ୍ ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରଥଯାତ୍ରା ବିଶ୍ୱ ଭାତୃତ୍ୱ ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା ଦିଏ । ୟୁନେସ୍କୋ ତାଲିକାରେ ସାମିଲ୍ ହେଲେ ବିଶ୍ୱସ୍ତରରେ ଏହାର ଗୁରୁତ୍ୱ ବଢ଼ିବ । ଭାରତର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତି ତାଲିକାକୁ ଏହା ଆହୁରି ରୁଦ୍ଧିମନ୍ତ କରିବ । ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ଆବଶ୍ୟକ ଦସ୍ତାବିଜ୍ ଦାଖଲ କରିସାରିଛି । ଏହି ପ୍ରକ୍ରିୟାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିକ ତଥ୍ୟ ଆବଶ୍ୟକ କରୁଥିଲେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାହା ଯୋଗାଇ ଦିଆଯିବ । ଉକ୍ତ ପ୍ରସ୍ତାବରେ କେନ୍ଦ୍ରମନ୍ତ୍ରୀ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅନୁରୋଧ କରିଛନ୍ତି ।
ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ହେରିଟେଜ ତାଲିକାରେ ସାମିଲ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ି ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିକୁ ବିଜେଡି କଟାକ୍ଷ କରିଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଆୟୋଜିତ ହୋଇଥିବା ସମସ୍ତ ତିନୋଟି ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବାରେ ସରକାର ସକ୍ଷମ ହୋଇନଥିବା ବେଳେ, ୟୁନେସ୍କୋ ହେରିଟେଜ ତାଲିକାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା କେବଳ ଏକ ଲୋକ ଦେଖାଣିଆ ପଦକ୍ଷେପ ବୋଲି କହିଛି ।