ଭୁବନେଶ୍ୱର: ଦ୍ୱିତୀୟ ଦିନରେ ଆଜି ବି ଅଚଳ ହୋଇଛି ବିଧାନସଭା । ପାଠ୍ୟ ପୁସ୍ତକ ତ୍ରୁଟି ଏବଂ ଏମଏମଡିଆର ପ୍ରସଙ୍ଗରେ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ ଜାରି ରଖିବାରୁ ଗୃହ ଚାଲିପାରି ନାହିଁ । ଉପବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥଲା । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଡାକିଥିଲେ ଉପବାଚସ୍ପତି । ସେ ତାଙ୍କର ଉତ୍ତର ପଢ଼ୁଥିଲା ବେଳେ ଉଭୟ ବିଜେଡି ଓ କଂଗ୍ରେସ ଦଳର ସଭ୍ୟମାନେ ପ୍ଲାକାର୍ଡ ସହ ସ୍ଲୋଗାନ୍ ମାରି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରିପୋର୍ଟରଙ୍କ ଟେବୁଲ ଉପରେ ବସି ନାରାବାଜି କରିଥିଲେ । ଏମିତି ୫ ମିନିଟ୍ ଚାଲିଲା ପରେ ଉପବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଏହାପରେ ବିଜେଡି ବିଧାୟକମାନେ ଗାନ୍ଧୀମାର୍ଗ ଯାଇ ଦଳର ଯୁବ ଓ ଛାତ୍ର ଶାଖା ପକ୍ଷରୁ ଆୟୋଜିତ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଜେଡି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରୁଥିଲା ବେଳେ ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ପାଇଁ କଂଗ୍ରେସ ଦାବି କରୁଛି ।