ଭୁବନେଶ୍ୱର: କୋଭିଡ୍ ମହାମାରୀ ସତ୍ତ୍ୱେ ଓଡ଼ିଶାରୁ ନିବେଶକଙ୍କ ଆକର୍ଷଣ କମିନାହିଁ । ନୂଆ ପୁଞ୍ଜି ବିନିଯୋଗ ପାଇଁ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ବିଗତ ୪ ବର୍ଷ ଅର୍ଥାତ ୨୦୧୮-୧୯ ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟକୁ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିଛି । ଖାଲି ପ୍ରସ୍ତାବ ନୁହେଁ, ପ୍ରକଳ୍ପ କାର୍ଯ୍ୟକାରିତାରେ ଆଖିଦୃଶିଆ ଅଗ୍ରଗତି ହାସଲ ହେଉଛି ।
ଏମଏସଏମଇ ଏକ୍ସପୋର୍ଟ ପ୍ରମୋସନ କାଉନସିଲ୍ ଏବଂ ବିଲମାର୍ଟ ଫିନ୍ ଟେକ୍ ସଂସ୍ଥାର ମିଳିତ ସର୍ଭେ ରିପୋର୍ଟରେ ଏହାର ବିସ୍ତୃତ ତଥ୍ୟ ଦିଆଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏମଏସଏମଇ ଏକ୍ସପୋର୍ଟ ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଡକ୍ଟର ଡି.ଏସ.ରାୱତ୍ ଏବଂ ବିଲମାର୍ଟ ଫିନ୍ ଟେକ୍ ପ୍ରତିଷ୍ଠାତା ଏବଂ ସିଇଓ ଜିଗିଶ ସୋନାଗାରା ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।
ଜୁଲାଇ ୭ ତାରିଖରେ ସିଏମଆଇଇ ଦ୍ୱାରା ପ୍ରକାଶିତ ତଥ୍ୟକୁ ଦେଖିଲେ, ରାଜ୍ୟରେ ବିଗତ ୪ ବର୍ଷରେ ୧ ଲକ୍ଷ ୨୫ ହଜାର ୮୯ କୋଟି ୫୩ ଲକ୍ଷ ଟଙ୍କାର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ସେହିଭଳି ୧ ଲକ୍ଷ ୧୨ ହଜାର ୪୫୩ କୋଟି ୪୨ ଲକ୍ଷ ଟଙ୍କାର ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏହାଦ୍ୱାରା ରାଜ୍ୟରେ ବହୁ ସଂଖ୍ୟକ ପ୍ରତ୍ୟେକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହୋଇପାରିଥିବା କୁହାଯାଇଛି ।
ଅନ୍ୟପକ୍ଷରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧,୨୦,୮୫୫.୩୯ କୋଟି, ୨୦୧୯-୨୦ରେ ୪୬,୫୬୦,୪୮ କୋଟି, ୨୦୨୦-୨୧ରେ ୧,୧୧,୬୭୯.୫୧ କୋଟି ଏବଂ ୨୦୨୧-୨୨ରେ ୧,୦୨,୮୮୦.୯୬ କୋଟି ଟଙ୍କାର ନୂଆ ପ୍ରକଳ୍ପ ଘୋଷଣା ହୋଇଛି ।
ଉକ୍ତ ୪ ବର୍ଷରେ କେବଳ ରାଜ୍ୟ ସରକାର ୬୨, ୩୫୬.୩୬ କୋଟି ଟଙ୍କାର ନୂଆ ପ୍ରକଳ୍ପ ଘୋଷଣା କରିଥିବା ଡକ୍ଟର ରାୱତ୍ ସୂଚନା ଦେଇଥିଲେ । ସେଥିମଧ୍ୟରୁ ୨୦୧୮-୧୯ ରେ ୧୬୨୨୪.୦୭ କୋଟି, ୨୦୧୯-୨୦ରେ ୨୫୦୭୯.୫୬ କୋଟି, ୨୦୨୦-୨୧ରେ ୧୩୯୦୭.୬୩ କୋଟି ଏବଂ ୨୦୨୧-୨୨ରେ ୭୧୪୫.୧୦ କୋଟି ଟଙ୍କାର ନୂଆ ପ୍ରକଳ୍ପ ରହିଛି ।
ଘରୋଇ କ୍ଷେତ୍ରରେ ବିଗତ ୪ ବର୍ଷରେ ୨,୬୯,୪୩୧.୩୬ କୋଟି ଟଙ୍କାର ନୂଆ ପ୍ରକଳ୍ପ ଘୋଷଣା ହୋଇଥିଲା । ସେଥିମଧ୍ୟରେ ୨୦୧୮-୧୯ ରେ ୧୦୪୫୯୪.୩୨ କୋଟି, ୨୦୧୯-୨୦ରେ ୨୧୪୮୦.୯୦ କୋଟି, ୨୦୨୦-୨୧ ରେ ୪୭୭୭୧.୮୮ କୋଟି ଏବଂ ୨୦୨୧-୨୨ ରେ ୯୫୫୮୪.୨୬ କୋଟି ଘରୋଇ ନୂଆ ନିବେଶ ରହିଛି ।
ଏହି ସମୟରେ ୫୮୯୦୬.୪୬ କୋଟିର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୨୦୧୮-୧୯ରେ ୯୫୨୩.୩୪ କୋଟି, ୨୦୧୯-୨୦ରେ ୩୮୭୧୪.୪୦ କୋଟି, ୨୦୨୦-୨୧ରେ ୪୯୯୫.୬୪ କୋଟି ଏବଂ ୨୦୨୧-୨୨ରେ ୫୬୭୩.୦୮ କୋଟି ରହିଛି । ଏହି ୪ ବର୍ଷରେ ୭୮୩୭୫.୮୫ କୋଟିର ପ୍ରକଳ୍ପ ପୁନରୁଦ୍ଧାର ହୋଇଛି ।
ରପ୍ତାନୀ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ମଧ୍ୟ ବେଶ୍ ଆଖିଦୃଶିଆ ରହିଛି । ନୀତି ଆୟୋଗ ଦ୍ୱାରା ଓଡ଼ିଶା ଓଭର୍ ପରଫର୍ମିଂ ରାଜ୍ୟର ମାନ୍ୟତା ହାସଲ କରିଛି । ଏକ୍ସପୋର୍ଟ ଇକୋସିଷ୍ଟମ୍ କାଟାଗୋରିରେ ମହାରାଷ୍ଟ୍ର ପଛକୁ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ରାଜ୍ୟ ସରକାରଙ୍କ ବାଣିଜି୍ୟକ ଉଦ୍ୟମ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ପ୍ରଶଂସିତ ହୋଇଛି ।
ଏମଏସଏମଇ କ୍ଷେତ୍ରରେ ଓଡ଼ିଶା ମଧ୍ୟ ବିଶେଷ ସଫଳତା ହାସଲ କରିଛି । ରାଜ୍ୟରେ ପଞ୍ଜିକୃତ ୪.୫ ଲକ୍ଷ ଏମଏସଏମଇରେ ୧୭ ଲକ୍ଷ କର୍ମନିଯୁକ୍ତ ସୃଷ୍ଟି ହୋଇଛି ।
ରାଜ୍ୟ ସରକାରଙ୍କ ସହଯୋଗ, ଅନୁକୂଳ ପରିବେଶ ଯୋଗୁଁ ଏସବୁ ସମ୍ଭବ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ଡକ୍ଟର ରାୱତ୍ କହିଛନ୍ତି, ଗତ ୧୦ ବର୍ଷ ଧରି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିଛି । ଯେତେବେଳେ କି ଜାତୀୟ ହାର ରହିଛି ୬.୫ ପ୍ରତିଶତ । ଓଡ଼ିଶାରେ ମୁଣ୍ଡପିଛା ଆୟ ୧୧୫.୬୦% ବୃଦ୍ଧି ହୋଇଥିବା ବେଳେ ଦେଶରେ ଏହି ହାର ହେଉଛି ୧୧୧.୫୧% ।