ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଆଣିଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭.୬% ଅଧିକ । ବଜେଟ୍ ରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି ।
,lବଜେଟ୍ ରେ କାର୍ଯ୍ୟକ୍ରମ ଖର୍ଚ୍ଚର ପରିମାଣ ୧ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି । ସେହିଭଳି ପ୍ରଶାସନିକ ଖର୍ଚ୍ଚ ୮୯, ୫୯୦ କୋଟି, ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଖର୍ଚ୍ଚ ୩,୨୧୦ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହୋଇଥିବା ଅର୍ଥରୁ ଖର୍ଚ୍ଚ ୭,୨୦୦ କୋଟି ଟଙ୍କା ଆକଳନ କରାଯାଇଛି ।
ମୋଟ ରାଜସ୍ୱରେ ରାଜ୍ୟ ସରକାରଙ୍କ ନିଜସ୍ୱ ରାଜସ୍ୱର ଭାଗ ହୋଇଛି ୫୭% । ଏହାଦ୍ୱାରା କେନ୍ଦ୍ରୀୟ ସହାୟତା ଉପରେ ନିର୍ଭରଶୀଳତା କମିଥିବା ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି । ସେହିଭଳି ରାଜସ୍ୱ ବଳକା, ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ୨.୫% ହେବ ବୋଲି ଆକଳନ କରାଯାଇଛି । ବିତ୍ତୀୟ ନିଅଣ୍ଟ ଘରୋଇ ଉତ୍ପାଦର ଧାର୍ଯ୍ୟ ଲକ୍ଷ୍ୟର ୩% ମଧ୍ୟରେ ସୀମିତ ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ବଜେଟ୍ ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ୨୧, ୧୬୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୭, ୩୨୪ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୬୨୪ କୋଟି, ବସୁଧା ଏବଂ ଜଳ ଜୀବନ ମିଶନ୍ ପ୍ରକଳ୍ପ ଅଧିନରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୮,୩୮୯ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି । ଏସସି/ଏସଟି ଙ୍କ ପାଇଁ ଚିହ୍ନିତ ଯୋଜନା ଦ୍ୱାରା କାର୍ଯ୍ୟକ୍ରମ ବ୍ୟୟ ମାଧ୍ୟମରେ ୩୨, ୫୯୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି, କାଳିଆ ଯୋଜନାରେ ୧୮୭୪ କୋଟି, ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୨,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ରାଜ୍ୟ ବଜେଟ୍ ରେ ନୂଆ ପଦକ୍ଷେପଗୁଡ଼ିକ ହେଲା-
– ୧୦ ହଜାର କୋଟି ଟଙ୍କାର କର୍ପସ୍ ସହିତ ଏକ ବଜେଟ୍ ସ୍ଥିରୀକରଣ ପାଣ୍ଠି ପ୍ରତିଷ୍ଠା । ସମଗ୍ର ଦେଶରେ ଏଭଳି ପଦକ୍ଷେପ ପ୍ରଥମ ।
– ନୂତନ ଭାବେ ନିର୍ମିତ ମିଶନ ଶକ୍ତି ବିଭାଗ ପାଇଁ ୨,୦୦୦ କୋଟି ବ୍ୟୟବରାଦ
– ଠିକ୍ ସମୟରେ ମଂଜୁରୀ ପ୍ରଦାନ ପାଇଁ ମନରେଗା ରିଭଲଭିଂ ଫଣ୍ଡ୍ କର୍ପସ ଆକାରକୁ ୫୦୦ କୋଟିରୁ ୧୦୦୦ କୋଟିକୁ ବୃଦ୍ଧି
– ସଙ୍କଟକାଳୀନ ଶ୍ରମିକ ପ୍ରବାସ ରୋକିବା ପାଇଁ ମନରେଗାକୁ ରାଜ୍ୟ ସହାୟତା ଭାବରେ ୫୦୦ କୋଟି
– ନୂତନ ଯୋଜନା ଏସଆଇଡିବିଆଇ କ୍ଲଷ୍ଟର ବିକାଶ ପାଣ୍ଠି ଅଧୀନରେ ଏକ ନରମ ଋଣ ଭାବରେ ୨୭୦ କୋଟି ବ୍ୟୟବରାଦ
– ୫-ଟି ହାଇସ୍କୁଲ ରୂପାନ୍ତରୀକରଣ ଯୋଜନା ଅଧୀନରେ ୧୦୦ କୋଟି
– ଦୁର୍ଗମ ଅଞ୍ଚଳରେ ଅଣସଂଯୁକ୍ତ ଗ୍ରାମଗୁଡ଼ିକୁ ସଂଯୋଗ କରିବା ପାଇଁ ୧୫୦ କୋଟି
– ସଡ଼କ ସଂଯୋଗୀକରଣ ପାଇଁ ୧୫୦ କୋଟି
– ଚେକ୍ ଡ୍ୟାମ୍/ ବ୍ରିଜ୍ ନିର୍ମାଣ ପାଇଁ ୫୮ କୋଟି
ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା: ବଜେଟ୍ କୁ ବିକାଶଶୀଳ ଓ ଲୋକାଭିମୁଖୀ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବଜେଟ୍ ଆକାର ୨ ଲକ୍ଷ କୋଟିକୁ ବୃଦ୍ଧି ପାଇଥିବା ବେଳେ କେବଳ କାର୍ଯ୍ୟକ୍ରମ ଖର୍ଚ୍ଚର ପରିମାଣ ୧ ଲକ୍ଷ କୋଟି ରହିଛି । ବଜେଟ୍ ରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା, ଗୁଣାତ୍ମକ ଶିକ୍ଷା, ଜୀବନ ଜୀବିକା, ମହିଳା ସଶକ୍ତିକରଣ ଏବଂ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି । ପୁଞ୍ଜି ଖର୍ଚ୍ଚ ୫୬% ରୁ ଅଧିକ ବୃଦ୍ଧି ପାଇବା ଦ୍ୱାରା ଅଭିବୃଦ୍ଧି ହାର ଆହୁରି ବଢ଼ିବ । ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ପାଇଁ ୨୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାରୁ ୭୦ ଲକ୍ଷ ମହିଳା ଉପକୃତ ହେବେ । ବଜେଟ୍ ସ୍ଥିରୀକରଣ ପାଣ୍ଠି ଗଠନ ଦ୍ୱାରା ରାଜସ୍ୱ କ୍ଷତି ପ୍ରଶମନ ହୋଇପାରିବ । ବଜେଟ୍ ସମ୍ପୂର୍ଣ୍ଣ ଭାବେ ୫-ଟି ଏବଂ ମୋ ସରକାର ଆଧାରରେ ପ୍ରସ୍ତୁତ ହୋଇଛି ଏବଂ ଏହା ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଦୁଇଟି ପର୍ଯ୍ୟାୟର ଏହି ଅଧିବେଶନରେ ସମୁଦାୟ ୨୪ ଟି କାର୍ଯ୍ୟଦିବସ ରହିଛି । ଆଜି ବଜେଟ୍ ଉପସ୍ଥାନ ହୋଇଛି ଏବଂ ଜୁଲାଇ ୨୯ରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ । ଅଗଷ୍ଟ ୪ ପର୍ଯ୍ୟନ୍ତ ବିଧାନସଭା ଚାଲିବାର କାର୍ଯ୍ୟକ୍ରମ ଅଛି ।