ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ୍(୨୦୨୧) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ସମୁଦାୟ ୪୩୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୬୪ ଜଣ ଝିଅ ଅଛନ୍ତି । ପ୍ରଥମ ୧୦ ଜଣରେ ୫ ଜଣ ଝିଅ ଅଛନ୍ତି ।
କେନ୍ଦୁଝର ଜିଲ୍ଲାର ସୁଦେବ କୁମାର ପୃଷ୍ଟି ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି କନ୍ଧମାଳର ସୁଚିସ୍ମିତା ପାଣିଗ୍ରାହୀ । ତୃତୀୟରେ ପ୍ରଣବ ରଂଜନ ସାହୁ, ଚତୁର୍ଥରେ ବୈଶାଖୀ ଲେଙ୍କା, ପଞ୍ଚମରେ ଶ୍ୱେତଲିନା ମାହାନା, ଷଷ୍ଠରେ ଅଗ୍ନିଜା ଶିବଦତ୍ତା, ସପ୍ତମରେ ସନ୍ତୋଷ କୁମାର ପାତ୍ର, ଅଷ୍ଟମରେ ମୀମାଂସା ସାହୁ, ନବମରେ ବିନ୍ଦୁ ବଳୟ ରାଉତରାୟ ଏବଂ ଦଶମ ସ୍ଥାନରେ ସୌମ୍ୟରଂଜନ ମହାପାତ୍ର ଅଛନ୍ତି ।
ପଛକୁ ପଛ ଅଛନ୍ତି ସଂଗ୍ରାମ ମିଶ୍ର(୧୧), ଜୟଜିତ୍ ଧଳ(୧୨), ସୌମ୍ୟ ଶୁଭମ୍ ପାଣି(୧୩), ମଧୁସ୍ମିତା ସାମଲ(୧୪), ସ୍ୱାଗତିକା ମହାନ୍ତି(୧୫), ସୁମନ ଘୋଷ(୧୬), ଦେବସ୍ମିତ ମଲ୍ଲିକ(୧୭), ପ୍ରତୀକ କର(୧୮), ଲିପ୍ସା ଭାରତୀ(୧୯), ଭର୍ତ୍ତୃହରି ଭୂୟାଁ(୨୦) ।
ଟପ୍ କରିଥିବା ସୁଦେବ କୁମାର ପୃଷ୍ଟିଙ୍କ ଘର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ଟାଙ୍ଗିରିପଡ଼ା ଗାଁରେ । ସେ ବାୟୁସେନା ଚାକିରିରେ ଥାଇ ଓସିଏସ୍ ପରୀକ୍ଷା ଦେଇଥିଲେ । ସେହିଭଳି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସୁଚିସ୍ମିତା ପାଣିଗ୍ରାହୀଙ୍କ ଘର କନ୍ଧମାଳ ଜିଲ୍ଲା ଟିକାବାଲିରେ । ଓଡିଶା ଏଜୁକେସନ୍ ସର୍ଭିସ୍(ଓଇଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଦେଢ଼ମାସ ତଳେ ସେ ଭୁବନେଶ୍ୱରର ଏକ ହାଇସ୍କୁଲରେ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ଏବେ ଓସିଏସ୍ ପରୀକ୍ଷାରେ ତାଙ୍କର ସଫଳତା କାହାଣୀ ସମସ୍ତଙ୍କୁ ଚମକେଇ ଦେଇଛି ।
ଓସିଏସ୍ ସାକ୍ଷାତକାର ପରୀକ୍ଷାର ଠିକ୍ ୬ ଦିନ ପୂର୍ବରୁ ଜୁଲାଇ ୧୨ ତାରିଖରେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ ସୁଚିସ୍ମିତା । ଦୁର୍ଘଟଣାରେ ତାଙ୍କର ହାତଗୋଡ଼ ଭାଙ୍ଗି ଯାଇଥିଲା । ହାତଗୋଡ ପ୍ଲାଷ୍ଟର୍ ହୋଇ ମେଡିକାଲ୍ ରେ ଥିବାରୁ ସେ ପରୀକ୍ଷା ଦେଇପାରିବା ନେଇ ଅନିଶ୍ଚିତତାରେ ଥିଲେ । ମାତ୍ର ନିଜର ଦୃଢ଼ ଆତ୍ମବିଶ୍ୱାସ ତାଙ୍କୁ ଅଟକାଇ ପାରି ନ ଥିଲା । ହ୍ୱିଲ୍ ଚେୟାରରେ ବସି ସାକ୍ଷାତକାର ପରୀକ୍ଷା ଦେବାକୁ ଯାଇଥିଲେ । ସେଥିରେ ଖାଲି ସଫଳତା ପାଇନାହାନ୍ତି । ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛନ୍ତି ।
ସୂଚନାଯୋଗ୍ୟ, ୨୦୨୧-୨୨ ଓସିଏସ୍ ପ୍ରିଲିମ୍ ପାଇଁ ପ୍ରାୟ ୭୦ ହଜାର ଆଶାୟୀ ପରୀକ୍ଷା ଦେଇଥିଲେ । ମେନ୍ ପରୀକ୍ଷା ପାଇଁ ୫ ହଜାର ମନୋନୀତ ହୋଇଥିଲେ । ସାକ୍ଷାତକାର ପରୀକ୍ଷା ପାଇଁ ପ୍ରାୟ ୮୦୦ ପରୀକ୍ଷାର୍ଥୀ ମନୋନୀତ ହୋଇଥିଲେ । ମେନ୍ ପରୀକ୍ଷା ୨୦୨୧ ଫେବ୍ରୁଆରୀ ରୁ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ୧୮ ତାରିଖରେ ଶେଷ ହୋଇଥିଲା । ସାକ୍ଷାତକାର ପରୀକ୍ଷା ଜୁଲାଇ ୧୫ରୁ ଜୁଲାଇ ୨୫ ଯାଏଁ ହୋଇଥିଲା ।