ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ ୧୦,୫୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗତବର୍ଷ ବଜେଟରେ ଏହି ପରିମାଣ ୧୦,୫୮୬ କୋଟି ଟଙ୍କା ଥିଲା । ରେଳ ବଜେଟ୍ ରେ ଓଡ଼ିଶାକୁ ଏହା ସର୍ବାଧିକ ବ୍ୟୟବରାଦ ।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ରେଳବାଇ କ୍ଷେତ୍ର ପାଇଁ୧୦,୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଗତ ତିନୋଟି ଆର୍ଥିକ ବର୍ଷରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଉଛି । ୨୦୨୪-୨୫ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଓଡ଼ିଶାକୁ ୧୦,୫୮୬ କୋଟି, ୨୦୨୩-୨୪ରେ ୧୦, ୦୧୨ କୋଟି ଟଙ୍କାର ଅନୁଦାନ ମିଳିଥିଲା । କେନ୍ଦ୍ରରେ ୟୁପିଏ ସରକାର ଅମଳରେ ଓଡ଼ିଶାକୁ ମାତ୍ର ୮୩୮ କୋଟି ଟଙ୍କାର ରେଳବାଇ ଅନୁଦାନ ମିଳିଥିଲା ।
ରେଳମନ୍ତ୍ରୀ କହିଥିଲେ ଯେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସ୍ୱତନ୍ତ୍ର ଫୋକସ୍ ରହିଛି । ଏହି କ୍ଷେତ୍ରରେ ଏବେ ୭୮ ହଜାର କୋଟି ଟଙ୍କାର ନିବେଶ ହୋଇଛି । କେବଳ ଗତ ଜୁଲାଇରୁ ଆଜି ପର୍ଯ୍ୟନ୍ତ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି । ଅମୃତ ଭାରତ ଯୋଜନାରେ ଓଡ଼ିଶାର ୫୯ଟି ନୂଆ ରେଳଷ୍ଟେସନ କାର୍ଯ୍ୟ ଜାରି ରହିଛି । ଏବେ ରାଜ୍ୟରେ ୬ଟି ବନ୍ଦେ ଭାରତ ଟ୍ରେନ ଚାଲିଥିବା ବେଳେ ଖୁବ ଶୀଘ୍ର ଆଉ ନୂଆ ଟ୍ରେନ ଚାଲିବ । ଓଡ଼ିଶାରେ ରେଳବାଇର ୧୦୦ ପ୍ରତିଶତ ବିଦ୍ୟୁତୀକରଣ କାର୍ଯ୍ୟ ଶେଷ ହୋଇଛି ।
ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୨୦୪୬ କିମିର ନୂଆ ରେଳଲାଇନ୍ ନିର୍ମାଣ ହୋଇଛି । ଆଗାମୀ ୬ ବର୍ଷ ମଧ୍ୟରେ ଯାତ୍ରୀ ସୁରକ୍ଷା ନିମନ୍ତେ ‘କବଚ’ ସୁରକ୍ଷା ଇନଷ୍ଟଲେସନ କାର୍ଯ୍ୟ ଶେଷ ହେବ । ୨୦୨୪ ଜୁଲାଇରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ଓଡ଼ିଶାରେ ୧୮୮୮ କିମି ରେଳଲାଇନରେ କବଳ ଇନଷ୍ଟଲେସନ ଚାଲିଛି । କେବଳ ରେଳ ସୁରକ୍ଷା ନିମନ୍ତେ ଚଳିତବର୍ଷ ବଜେଟରେ ୧ ଲକ୍ଷ ୫୪ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୩୪ ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।