ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଗୃହ ନିର୍ମାଣ ସହାୟତା ରାଶି ବାବଦରେ ସେମାନେ ଏବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । ତାହାପୁଣି ୮ % ସୁଧ ହାରରେ । ସପ୍ତମ ବେତନ କମିସନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ଆଜି ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀମାନଙ୍କୁ ଦିଆଯିବ ।
୨୦୧୦ ରେ ଲାଗୁ ହୋଇଥିବା ନିୟମ ଅନୁଯାୟୀ, ସରକାରୀ କର୍ମଚାରୀମାନଙ୍କୁ ଗୃହ ନିର୍ମାଣ ସହାୟତା ବାବଦରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି । ଏଥିରେ ସର୍ବାଧିକ ସୁଧ ହାର ରହିଛି ୧୧.୫% । ରାଜ୍ୟ ସରକାର ଏହି ଋଣ ସହାୟତାକୁ ୪୦ ଲକ୍ଷ ଟଙ୍କା ବୃଦ୍ଧି କରିବା ସହିତ ସୁଧ ପରିମାଣ ୮% କୁ ହ୍ରାସ କରିଛନ୍ତି ।
ଜାତୀୟ ପେନସନ୍ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ କର୍ମଚାରୀ ଏହି ସହାୟତା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।