ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗତା ବିରୋଧରେ ଜିରୋ ଟଲେରାନ୍ସ ନୀତି ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛାଟ ବାଜିଛି ଆଉ ୯ ଅଧିକାରୀଙ୍କ ଉପରେ । ୭ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ୨ ଜଣ ଅପରାଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଖଣି ବିଭାଗର ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନର ।
ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଖଣି ବିଭାଗର ଉପନିର୍ଦ୍ଦେଶକ ମଦନ ମୋହନ ବିଶ୍ୱାଳଙ୍କ ବିରୋଧରେ ୯ଟି ଭିଜିଲାନସ୍ କେସ୍ ରହିଛି । ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଥିଲା । ସରକାରୀ କାର୍ଯ୍ୟରେ ତାଙ୍କର ଆନ୍ତରିକତା ଅଭାବ ରହିଥିଲା ଏବଂ ଜଣେ ସରକାରୀ ଅଧିକାରୀ ଭାବରେ ସେ ଆବଶ୍ୟକ ସୌଜନ୍ୟ ମଧ୍ୟ ରକ୍ଷା କରୁ ନଥିଲେ।
ରମେଶ ଚନ୍ଦ୍ର ମହାଲିକ, ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀ ଶ୍ରୀ ମହାଲିକଙ୍କ ବିରୁଦ୍ଧରେ ୪ଟି ଭିଜିଲାନ୍ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା । ଜଣେ ସରକାରୀ ଅଧିକାରୀ ଭାବରେ ଆବଶ୍ୟକ ଆନ୍ତରିକତା ଓ ସୌଜନ୍ୟର ଅଭାବ ତାଙ୍କ ଠାରେ ଥିଲା ।
ବଲାଙ୍ଗୀର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ ୨ଟି କୋଠା ମଧ୍ୟ ଠାବ କରାଯାଇଥିଲା । ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍ସ ମାମଲା ରହିଛି ।
ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ନାରାୟଣ ପ୍ରଧାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରହିଛି । ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେଓଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି ।
ଜଂଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ଣଣ କୁମାର ପ୍ରଧାନଙ୍କ ବିରୁଦ୍ଧରେ ୨ଟି ଭିଜିଲାନ୍ସ କେସ ରହିଛି ।
ଭରତ କୁମାର ଘଡେଇ ଜଙ୍ଗଲ ବିଭାଗର ରେଞ୍ଜ ଅଫିସରଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍ସ କେସ୍ ରହିଛି ।
ପ୍ରଦୀପ କୁମାର ଭୋଇ, ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀଙ୍କ ବିରୁଦ୍ଧରେ ଗୋଟିଏ ଭିଜିଲାନ୍ସ କେସ ରହିଛି ।
ଏମାନଙ୍କୁ ସମସ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଭୁବନେଶ୍ବରର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭିଜିନାଲ ଶ୍ରମ କମିଶନର ଶ୍ରୀମତୀ ନମିତା ଦାସଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଉପରୋକ୍ତ ୯ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୧୩ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।