ଭୁବନେଶ୍ୱର: ରାଜ୍ୟରେ ଏକାଥରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓସେପା ପକ୍ଷରୁ ଆଜି ଏହାର ବିଜ୍ଞାପନ ପ୍ରକାଶ ପାଇଛି । ପ୍ରାଥମିକ ଓ ଉଚ୍ଚ ପ୍ରାାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନଙ୍କୁ ନିଯୁକ୍ତି ମିଳିବ । ଆସନ୍ତା ୧୩ ତାରିଖରୁ ଏଥିପାଇଁ ଆବେଦନ ହେବ । ଅକ୍ଟୋବର ୧୦ ଆବେଦନର ଶେଷ ତାରିଖ ରଖାଯାଇଛି ।
ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନରେ ହେବ । ଅନଲାଇନ ବାହାରେ ଆବେଦନ କରାଯାଇ ପାରିବ ନାହିଁ । ପ୍ରାର୍ଥୀମାନଙ୍କୁ କୌଣସି ପରୀକ୍ଷା ଫି’ ଦେବାକୁ ପଡ଼ିବନି । କମ୍ପୁଟର ବେସଡ୍ ଟେଷ୍ଟ(ସିବିଟି) ମାଧ୍ୟମରେ ଶିକ୍ଷକମାନଙ୍କୁ ଚୟନ କରାଯିବ । ସିବିଟି ସିଲାବସ୍ ଓସେପା ପୋର୍ଟାଲ୍ ରେ ଉପଲବ୍ଧ ରହିଛି । ପରୀକ୍ଷା ତାରିଖ, ସମୟ ଏବଂ ପରୀକ୍ଷା କେନ୍ଦ୍ର ପ୍ରାର୍ଥୀମାନଙ୍କ ଆଡମିଟ୍ କାର୍ଡରେ ଦିଆଯିବ । ଜିଲ୍ଲା ଏବଂ କାଟାଗୋରି ୱାରୀ ବିସ୍ତୃତ ସୂଚନା ଓସେପା ୱେବସାଇଟ୍(osepa.odisha.gov.in) ରୁ ମିଳିବ ।
ସୂଚନା ଅନୁଯାୟୀ, ଏହି ୨୦ ହଜାର ଶିକ୍ଷକଙ୍କୁ ଯୋଜନା ଭିତ୍ତିକ(ସ୍କିମାଟିକ୍) ନିଯୁକ୍ତି ଦିଆଯିବ । ମାସିକ ୧୧,୪୦୦ ଟଙ୍କା ଲେଖାଏଁ ଦରମା ମିଳିବ । ସେମାନଙ୍କର ନିଯୁକ୍ତି ଅବଧି ବର୍ଷେ ରହିବ । ବର୍ଷକୁ ବର୍ଷ ଏହାର ନବୀକରଣ କରାଯିବ । ଶିକ୍ଷକମାନଙ୍କ ଦକ୍ଷତା ଓ ପ୍ରଦର୍ଶନ ଆଧାରରେ ୬ ବର୍ଷ ପରେ ସ୍ଥାୟୀ କରିବା ନେଇ ବିଚାର କରାଯିବ ।
ରାଜ୍ୟରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସରକାରଙ୍କର ଏହା ଏକ ବଡ଼ ପଦକ୍ଷେପ ବୋଲି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ସୂଚନା ଦେଇଛନ୍ତି । ତେବେ ସରକାରଙ୍କ ଏହି ନିଯୁକ୍ତି ସର୍ତ୍ତାବଳୀକୁ ଓଡ଼ିଶା ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ବିରୋଧ କରିଛି । ଯୋଜନାଭିତ୍ତିକ ନିଯୁକ୍ତି ବଦଳରେ ନିୟମିତ ନିଯୁକ୍ତି ପାଇଁ ଦାବି କରାଯାଇଛି ।
ବିଜେପି ଓ କଂଗ୍ରେସ ମଧ୍ୟ ସରକାରଙ୍କ ଯୋଜନାଭିତ୍ତିକ ନିଯୁକ୍ତି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ ହାସଲ କରିଥିବା ବେଳେ ଏହା କି ପ୍ରକାର ନିଷ୍ପତ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।