ଝାରସୁଗୁଡ଼ା/ଭୁବନେଶ୍ୱର: ଓଡ଼ିଶା ଆଉ କେବଳ ଖଣିଜ ଉତ୍ତୋଳନ କେନ୍ଦ୍ର ନୁହେଁ ବରଂ ଏକ ବ୍ୟାପକ ଶିଳ୍ପ ପରିବର୍ତ୍ତନର ନେତୃତ୍ୱ ନେଉଛି। ନିଜକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ ଏବଂ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ପ୍ରତିଷ୍ଠା କରୁଛି। ଶୁକ୍ରବାର ଝାରସୁଗୁଡ଼ାରେ ଆୟୋଜିତ ଓଡ଼ିଶା ଖଣି କନକ୍ଲେଭ ୨୦୨୫ର ସ୍ୱତନ୍ତ୍ର ପୂର୍ଣ୍ଣାଙ୍ଗ ଅଧିବେଶନରେ ମୁଖ୍ୟ ଭାଷଣ ପ୍ରଦାନ କରିବା ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଏହା କହିଛନ୍ତି।
“ବୃଦ୍ଧି କାହାଣୀର ଏକ ଅଂଶ ହୁଅ: ଭବିଷ୍ୟତକୁ ଆକାର ଦିଅ” ବିଷୟବସ୍ତୁ ଉପରେ ମନ୍ତ୍ରୀ ରାଜ୍ୟର ରଣନୈତିକ ରୋଡମ୍ୟାପ୍ ବିଷୟରେ ବର୍ଣ୍ଣନା କରିଥିଲେ। ଏହି ରୋଡ଼ ମ୍ୟାପ ‘ବିକଶିତ ଓଡ଼ିଶା@୨୦୩୬’ ଦୃଷ୍ଟିକୋଣ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । “ଓଡ଼ିଶାର କାହାଣୀ ଆଉ କେବଳ ଖଣିଜ ଉତ୍ତୋଳନ ବିଷୟରେ ନୁହେଁ; ବରଂ ଏବେ ଏହା ଶିଳ୍ପ ପରିବର୍ତ୍ତନ ବିଷୟରେ। ଆମେ ବଢ଼ୁଥିବା ବିଶ୍ୱସ୍ତରୀୟ ଇସ୍ପାତ ଏବଂ ଆଲୁମିନିୟମ୍ କମ୍ପ୍ଲେକ୍ସ ଏବଂ କ୍ଷୁଦ୍ର ମଧ୍ୟମ ବୃହତ ଶିଳ୍ପସ୍ଥଳୀ ହେବାକୁ ଯାଉଛୁ, ଏବଂ ଖଣିଜ ସମ୍ଭାବନାକୁ ଶିଳ୍ପ ପ୍ରଗତିରେ ପରିଣତ କରିଛୁ ବୋଲି ,” ମାନ୍ୟବର ମନ୍ତ୍ରୀ ସ୍ଵାଇଁ କହିଛନ୍ତି।
ଓଡ଼ିଶାର ଅତୁଳନୀୟ ଖଣିଜ ଶକ୍ତି ଉପରେ ଆଲୋକପାତ କରି ଶ୍ରୀଯୁକ୍ତ ସ୍ବାଇଁ କହିଲେ ଯେ , ଭାରତର ୩୩% ଲୁହା ପଥର,୯୨% କ୍ରୋମାଇଟ୍ ଏବଂ ୫୬% ବକ୍ସାଇଟ୍ ଓଡ଼ିଶାରେ ଅଛି ଏବଂ ରାଜ୍ୟର ଏହି ଶିଳ୍ପଜନିତ ସଫଳତା ପାଇଁ ଏକ ଦୃଢ଼, ଶିଳ୍ପ-ଅନୁକୂଳ ପରିସଂସ୍ଥା ଅଛି । ଏହା ସହିତ ଏକ ସ୍ୱଚ୍ଛ ଇ-ନିଲାମ ପ୍ରକ୍ରିୟା, ଏକ ସିଙ୍ଗଲ୍-ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ୍ ଏବଂ ଏକ ସ୍ଥିର ନୀତିଗତ ଢାଞ୍ଚା ଓଡ଼ିଶା କୁ ଶିଳ୍ପ ସମୃଦ୍ଧି ପଥରେ ଆଗେଇ ନେଉଛି ବୋଲି ମନ୍ତ୍ରୀ କହିଥିଲେ ।
ସେ ଆହୁରି କହିଛନ୍ତି ଯେ ୨୦୨୪-୨୫ ବର୍ଷରେ ରାଜ୍ୟରେ ₹୬ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ମଞ୍ଜୁର ସହିତ ୩.୫ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଥିଲା। “ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଏବଂ ଚାଲୁଥିବା ଶିଳ୍ପ ଅଭିଯାନ ୨୦ଟି କ୍ଷେତ୍ରରେ ₹୧୬.୬୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତିକୁ ସୁନିଶ୍ଚିତ କରିଛି, ଯାହା ୧୨ ଲକ୍ଷରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି,” ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ତାଙ୍କ ଭାଷଣରେ, ଭାରତୀୟ ଶିଳ୍ପ ମହାସଂଘ ଓଡ଼ିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପ୍ରଦୀପ୍ତ ମହାନ୍ତି ଖଣିଜ ବିକାଶକୁ ସ୍ଥାୟୀତ୍ୱ ଏବଂ ନବସୃଜନ ସହିତ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। “ଭାରତର ଖଣିଜ ଶକ୍ତି କେନ୍ଦ୍ର ହେବା ଠାରୁ ଆରମ୍ଭ କରି ସ୍ଥାୟୀ ଶିଳ୍ପ ଉତ୍କର୍ଷତାର ଏକ ମଡେଲ ପର୍ଯ୍ୟନ୍ତ ଓଡ଼ିଶାର ଯାତ୍ରା ବିକଶିତ ଓଡ଼ିଶା ୨୦୩୬ ପାଇଁ ରୋଡମ୍ୟାପ୍ ହେବା ଦିଗରେ କାମ କରିବାକୁ ସେ ଆହ୍ବାନ ଦେଇଥିଲେ। ସେ ଦୃଢ଼ ଗବେଷଣା ଏବଂ ଦକ୍ଷତା ପରିସଂସ୍ଥା ପ୍ରସ୍ତୁତି ପାଇଁ ଆହ୍ୱାନ ଦେଇଥିଲେ।