ଭୁୁବନେଶ୍ୱର: ଡିପ୍ଲୋମା ଇଂଜିନିୟରିଂ ପାସ୍ କରିଥିବା ଏକ ଝିଅ ମନରେଗା ଯୋଜନାରେ କାମ କରୁଥିବା ଖବର ପ୍ରସାରିତ ହେବା ଜାଣି ଓଡ଼ିଶା-ମୋ ପରିବାର ଏହି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରି ସହଯୋଗର ହାତ ବଢ଼ାଇଛି ।
ଡେଲାଙ୍ଗ ଚାଇଁପୁରର ଲୋଜି ବେହେରା ପାଖରେ ଓଡ଼ିଶା ମୋ ପରିବାରର ସଦସ୍ୟମାନେ ପହଞ୍ଚି ଜାଣିବାକୁ ପାଇଲେ ଯେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଇନଷ୍ଟିଚୁ୍ୟଟ୍ ଅଫ୍ ଇଂଜିନିୟରିଂରେ କଲେଜ ଫିସ୍ ବାକି ଥିବାରୁ ତାର ଡିପ୍ଲୋମା ସାର୍ଟିଫିକେଟ୍ ଆଣି ପାରି ନ ଥିଲେ । ଫଳରେ ସେ କେବଳ ଡିଗ୍ରୀ ଇଂଜିନିୟରିଂ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି ତା ନୁହେଁ, ସାର୍ଟିଫିକେଟ୍ ନ ପାଇ ପରିବାର ପୋଷଣ ପାଇଁ କୌଣସି ଠାରେ ଚାକିରି କରିପାରୁନାହାନ୍ତି ।
ଏହି ବିଷୟରେ ଓଡ଼ିଶା-ମୋ ପରିବାର ଆବାହକ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଜଣାଇଥିଲେ । ପରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରେନ୍ଦ୍ର ନାଥ ମିତ୍ରଙ୍କୁ ମଧ୍ୟ ଏ ବିଷୟରେ ଆଲୋକପାତ କରିଥିଲେ । ବିଧାୟକ କଲେଜ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଲୋଜିର ସାର୍ଟିଫିକେଟ୍ ତୁରନ୍ତ ଫେରାଇ ଆଣିଥିଲେ ।
ଆବାହକ ଶ୍ରୀ ଅରୁପ ପଟ୍ଟନାୟକ ସ୍ଥାନୀୟ ଅଞ୍ଚଳର ନେତା, ଲୋଜି ବେହେରା ଏବଂ ତାଙ୍କ ପରିବାର ସହ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟରେ ସବିସ୍ତାର ଚର୍ଚ୍ଚା କରି ଏହି ସାହାସୀ ତଥା ସ୍ୱାଭିମାନୀ ଝିଅର ଆକାଂକ୍ଷା ପୂରଣ କରିବା ପାଇଁ ଆଗାମୀ ଦିନର ବିସ୍ତୃତ ପରିଯୋଜନା ହାତକୁ ନେଇଛନ୍ତି ।