ଭୁବନେଶ୍ୱର: ସାଢ଼େ ୩ ବର୍ଷର ଶିଥିଳତା ପରେ ରାଜ୍ୟ ବିଜେପି ଶିବିର ଏବେ ଚଳଚଞ୍ଚଳ । ସଂଗଠନ ସଜାଡ଼ିବା ସହ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଛି । ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ଏବଂ ସୁନୀଲ ବଂଶଲଙ୍କ ଦାୟିତ୍ୱ ଗ୍ରହଣ ପରେ ଦଳୀୟ ନେତାଙ୍କ ଭିତରେ ଜୋସ୍ ଦେଖିବାକୁ ମିଳିଛି । ପୁରୀଠାରେ ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିବା ନେତାମାନେ ମିଡିଆରେ ଧୂଆଁଧାର ବୟାନବାଜି କରି କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି । ପଶ୍ଚିମବଙ୍ଗ ଷ୍ଟାଇଲରେ ଏଥର ଓଡ଼ିଶାରେ ନିର୍ବାଚନ ଲଢ଼ିବାକୁ ବିଜେପି କୁଆଡ଼େ ଯୋଜନା କରୁଛି ।
ଗତ ସାଧାରଣ ନିର୍ବାଚନରେ ବିଜେପିର ମିଶନ ଥିଲା ୧୨୦ ପ୍ଲସ୍ । ଅର୍ଥାତ ବିଧାନସଭାରେ ୧୨୦ ରୁ ଅଧିକ ଆସନରେ ବିଜୟୀ ହୋଇ ଓଡ଼ିଶାରେ ସରକାର ଗଢ଼ିବାକୁ ଦମ୍ଭ ଦେଖାଇଥିଲା । ଦୁଇ ବର୍ଷ ଧରି ମିଶନ ୧୨୦ ପ୍ଲସ୍ ର ନାରା ଜୋର୍ ଚାଲିଲା । ନିଜେ ଅମିତ୍ ଶାହ ଏହି ନାରା ଧରି ଓଡ଼ିଶାରେ ପ୍ରବଳ କମ୍ପମାନ କରିଥିଲେ । ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ିକୁ ସମୁଦ୍ରରେ ଫିଙ୍ଗିଦେବାକୁ ଆହ୍ୱାନ ଦେଇଥିଲେ ।
ଏହାକୁ ନେଇ ସାରା ରାଜ୍ୟରେ ବିଜେପିର ନେତା ଓ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ମାତ୍ର ‘ଅପରେସନ୍ ସକ୍ସେସ୍, ପେସେଣ୍ଟ ଡେଡ୍’ ଭଳି ଭୋଟରଙ୍କ ଉପରେ ତାହାର ପ୍ରଭାବ ପଡ଼ିଲା ନାହିଁ । ମାତ୍ର ୨୩ ଟି ବିଧାନସଭା ଆସନ ପାଇବାକୁ ବିଜେପି ସକ୍ଷମ ହେଲା । ପ୍ରବଳ ମୋଦି ହାୱା ଯୋଗୁଁ ୮ ଟି ଲୋକସଭା ଆସନରେ ଅବଶ୍ୟ ଜିତିଲା ।
ତେବେ ୨୦୧୯ ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଆତ୍ମସମୀକ୍ଷା ହେଲା ନାହିଁ କି ସଂଗଠନ କ୍ରିୟାଶୀଳ ଏବଂ ମଜବୁତ କରିବାକୁ ଉଦ୍ୟମ ହେଲା ନାହିଁ । ବରଂ ବିଜେଡି ସରକାର ବିରୋଧରେ ବିଜେପି ହତିଆର ଆଉ ସଶକ୍ତ ହେଲାନାହିଁ । ସଂଗଠନ ପ୍ରତି ନେତୃତ୍ୱ ପୂର୍ବଭଳି ଦୃଷ୍ଟି ଦେଲେନାହିଁ ।
ଫଳରେ ସଂଗଠନ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଥିବା କୁହାଯାଉଛି । ବିଜେପି-ବିଜେଡି ମଧ୍ୟରେ ଭିତିରି ବୁଝାମଣା ହୋଇଯାଇଛି ବୋଲି ଓଲଟି ଲୋକଙ୍କ ବିଶ୍ୱାସ ବଢ଼ିଛି । ଏଥିରେ ଶକ୍ତିଶାଳୀ ଏବଂ ସୁସଂଗଠିତ ବିଜେଡିର କ୍ଷତି ହୋଇନି । ବିଜେପିର କ୍ଷତି ହୋଇଛି ବୋଲି କୁହାଯିବ ।
ଇତିମଧ୍ୟରେ ଏମିତି ପାଖାପାଖି ସାଢ଼େ ତିନି ବର୍ଷ ଚାଲିଗଲାଣି । ବିଜେପିର କାର୍ଯ୍ୟକ୍ରମ ଭୁବନେଶ୍ୱର ପାର୍ଟି ଅଫିସ୍ ଏବଂ ପ୍ରେସମିଟ୍ ରେ ସୀମିତ ରହିଯାଇଛି । ସଂଗଠନ ପ୍ରତି ଦୃଷ୍ଟି ଦିଆଯାଇନାହିଁ । ବରଂ ଦଳରେ ଗୋଷ୍ଠୀ ବିବାଦ ପ୍ରବଳ ହୋଇଛି । ଦଳରେ ମୁଖ୍ୟମନ୍ତ୍ରୀ ଦାବିଦାରଙ୍କ ସଂଖ୍ୟା ବଢ଼ିଚାଲିଛି ।
ଏବେ ନିର୍ବାଚନ ଆଉ ଦୁଇବର୍ଷରୁ କମ୍ ଥିବା ବେଳେ ନେତୃତ୍ୱର ଚେତା ପଶିଛି । ନିର୍ବାଚନ ସଜବାଜ ଆରମ୍ଭ ହୋଇଛି । ନିକଟରେ ଅମିତ ଶାହା ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରୁ ଏହାର ଶୁଭାରମ୍ଭ ହୋଇଛି । ଦଳୀୟ ସଂଗଠନ ମଜବୁତ କରିବା, କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଭଲ ଭାବେ ଅବଗତ କରାଇବା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ଭଲ ଭାବେ ପ୍ରଚାର କରିବାକୁ ରଣନୀତି ତିଆରି ହେଉଛି । ସୁନୀଲ ବଂଶଲଙ୍କୁ ଓଡ଼ିଶା ଦାୟିତ୍ୱ ଦେଇ ସଂଗଠନକୁ କ୍ରିୟାଶୀଳ କରିବାକୁ ଯୋଜନା ହୋଇଛି ।
ଏହିକ୍ରମରେ ପୁରୀରେ ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଚାଲିଛି । ତେବେ ନେତାମାନେ ନଈ ନ ଦେଖୁଣୁ ଲଙ୍ଗଳା ହୋଇଗଲେଣି । ଅର୍ଥାତ ଦଳର ସ୍ଥିତି ପରଖିବା ଆଗରୁ ପୁଣି ମିଶନ୍ ୧୨୦ ପ୍ଲସ୍ ନାରାରେ କମ୍ପାଇଲେଣି । ତୃଣମୂଳସ୍ତରରେ ସ୍ଥିତି ନ ଦେଖି ୧୨୦ ପର ବିଧାନସଭା ଆସନ ଏବଂ ୧୬ ଲୋକସଭା ଆସନ ପାଇବେ ବୋଲି ଦମ୍ଭ ମାରିଲେଣି । ଅମିତ ଶାହାଙ୍କର ପୁରୁଣା ବୟାନର ନୂଆ ସଂସ୍କରଣ ବିଜେଡିକୁ ପୁରୀ ବେଳାଭୂମିରେ ପୋତି ଦିଆଯିବ ବୋଲି ଜୁଏଲ୍ ଓରାମ୍ ଧମକ ଦେବା ତାହାର ଏକ ଉଦାହରଣ ।
ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ଏଥର ଓଡ଼ିଶାରେ ପଶ୍ଚିମବଙ୍ଗ ଷ୍ଟାଇଲ୍ ରେ ବିଜେପି ନିର୍ବାଚନ ଲଢ଼ିବ । ଏଥିପାଇଁ ରଣନୀତି ପ୍ରସ୍ତୁତ ହେଉଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅର୍ଥାତ୍ ବିଜେପି ପାଇଁ ଏଥର କର ବ । ମର ପରିସ୍ଥିତି ବୋଲି ସେ ସୂଚାଇ ଦେଇଛନ୍ତି ।
ତେବେ ବିଜେପିର ଏହି ପ୍ରଶିକ୍ଷଣ ଶିବିରରୁ ନେତା ଓ କର୍ମୀମାନେ କେତେ ବଳ ପାଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ । କାରଣ ହୋଟେଲରେ ବସି ପ୍ରଶିକ୍ଷଣ ଶିବିର କଲେ କି ପାର୍ଟି ଅଫିସରେ ପ୍ରେସମିଟ୍ କରିଦେଲେ ଲୋକମାନେ ବିଜେପିକୁ ଭୋଟ ଦେବେନି । ଗତ ନିର୍ବାଚନରୁ ବିଜେପି ଏହା ଶିଖିବା କଥା ।
ବିଜେପି ୩୭ ହଜାର ବୁଥ୍ ରୁ ସଂଗଠନକୁ କ୍ରିୟାଶୀଳ କରିବା ସହ ଲୋକଙ୍କ ସାଙ୍ଗରେ ସମ୍ପର୍କ ଯୋଡିଲେ ଯାଇ ମିଶନ ୧୨୦ ପ୍ଲସ୍ ଦମ୍ଭ ମାରିବା ଠିକ୍ ହେବ । ନହେଲେ ବିଜେପି ନେତାଙ୍କର ଏହା ଫମ୍ପା ବାଣ ବୋଲି ପୁଣିଥରେ ପ୍ରମାଣିତ ହେବ ଏବଂ ଲୋକହସା ହେବାକୁ ପଡ଼ିବ ବୋଲି ଦଳର ଜଣେ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି ।
ସେ ଯାହା ହେଉ, ବିଜେପିର କାର୍ଯ୍ୟକ୍ରମକୁ ନେଇ ବିଜେଡି ଶିବିର ବି ଅଧିକ କ୍ରିୟାଶୀଳ ହୋଇଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ନେଇ ଉତ୍ସାହିତ କଂଗ୍ରେସ ବି ଏଠି ଡବଲ୍ ଉତ୍ସାହିତ ହୋଇଛି । ତେବେ ବିଜେପି ନେତାଙ୍କ ବୟାନକୁ ବିଜେଡି କଟାକ୍ଷ କରିଛି । ବିଜେପି ଏଠି ସରକାର ଗଢ଼ିବାର ଦିବାସ୍ୱପ୍ନ ଦେଖୁଛି ବୋଲି ବିଜେଡି ନେତା କହିଛନ୍ତି ।
ସୂଚନାଥାଉକି, ପୁରୀରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ଆସନ୍ତାକାଲି ଉଦଯାପିତ ହେବ । ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ବି.ଏଲ.ସନ୍ତୋଷ ଯୋଗଦେଇ ରାଜ୍ୟ ନେତୃତ୍ୱଙ୍କୁ ସମ୍ବୋଧିତ କରିବେ । ଆସନ୍ତା ୨୯ ଓ ୩୦ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି ।