ଭୁବନେଶ୍ୱର: ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଆଜି ଉନ୍ମୋଚିତ ହୋଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଉନ୍ମୋଚନ କରିଛନ୍ତି । ବିକାଶିତ ଓଡ଼ିଶା ପାଇଁ ଏଥିରେ ୨୧ଟି ଗ୍ୟାରେଣ୍ଟି ଦିଆଯାଇଛି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ୧୮ ମାସରେ ଚିଟଫଣ୍ଡ୍ ଟଙ୍କା ଫେରସ୍ତ କରାଯିବ । ଧାନର ଏମଏସପି ୩୧୦୦ ଟଙ୍କା ହେବ । ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ ହୋଇ ୫୦ ହଜାର ଟଙ୍କା ଲେଖାଏଁ ନଗଦ ଭାଉଚର୍ ଦିଆଯିବ । ତେବେ ଆଜିକାଲି ବିଜେପିର ବହୁଳ ପ୍ରଚାରିତ ଓଡ଼ିଆ ‘ଅସ୍ମିତା’ ପ୍ରସଙ୍ଗ ଏହି ସଂକଳ୍ପ ପତ୍ରରେ ସ୍ଥାନ ପାଇନାହିଁ । ତଥାକଥିତ ଓଡ଼ିଶା ଅସ୍ମିତାର ସୁରକ୍ଷା ପାଇଁ ବିଜେପିର କୌଣସି ସଂକଳ୍ପ ନାହିଁ ।
ବିଜେପି ସଂକଳ୍ପ ପତ୍ରରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ମୁଖ୍ୟ ପ୍ରସଙ୍ଗ କରାଯାଇଛି । ବିଜେଡି ସରକାରର ବ୍ୟାପକ ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ବ୍ୟବସ୍ଥାର ସମାପ୍ତ ହେବ ବୋଲି କୁହାଯାଇଛି । ୧୮ ମାସ ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ । ଓଡ଼ିଶାରେ ସମୃଦ୍ଧ କୃଷକ ନୀତି ଆରମ୍ଭ ହେବ । ଧାନର ସର୍ବନିମ୍ନ ମୂଲ୍ୟ କ୍ୱଣ୍ଟାଲ୍ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ । ରାଜ୍ୟରେ ମହିଳାଙ୍କ ପାଇଁ ସୁଭଦ୍ର ଯୋଜନାର ଶୁଭାରମ୍ଭ ହେବ । ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଦିଦି ସୃଷ୍ଟି କରାଯିବ ।
ମତ୍ସ୍ୟଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାର ନିଯୁକ୍ତି ସୃଷ୍ଟି କରାଯିବ । ପିଏମ୍ ଆବାସ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ ହେବ । ଜଳ ମିଶନ କାର୍ଯ୍ୟକାରୀ କରି ୨୬ ଲକ୍ଷ ଗୃହକୁ ଜଳଯୋଗାଣ କରାଯିବ । ବିଜେପି କ୍ଷମତାକୁ ଆସିଲେ ୧୦୦ ଦିନ ଭିତରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁକରାଯିବ । ଏଥିରେ ବାର୍ଷିକ ୮ ଲକ୍ଷ ଟଙ୍କାରୁ କମ ରୋଜଗାର କରୁଥିବା ସବୁ ନାଗରିକଙ୍କୁୁ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବ ।
ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ୍ ଦିଆଯିବ । ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ୩ ହଜାର ୫୦୦ ଟଙ୍କା ପେନସନ୍ । ପିଏମ୍ ସୂର୍ଯ୍ୟଘର ଯୋଜନାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମାଗଣା ବିଜୁଳି ଯୋଗାଣ । ଓଡ଼ିଆ ପ୍ରବାସୀଙ୍କ ପାଇଁ ଦେଶର ସବୁ ମେଟ୍ରୋ ସହରରେ ଓଡ଼ିଆ ସମୁଦାୟ ଭବନ ନିର୍ମାଣ । ୭୫ ହଜାର କିମି ଗ୍ରାମ୍ୟ ଓ ଜାତୀୟ ରାଜପଥ ନିର୍ମାଣ । ପଶ୍ଚିମ ଓଡ଼ିଶାରେ ୩ଟି ଇଣ୍ଟଗ୍ରୋଟେଡ୍ ଟେକ୍ସଟାଇଲ୍ ପାର୍କ ନିର୍ମାଣ । ପ୍ରତ୍ୟେକ ବୁଣାକାରଙ୍କୁ ମାସିକ ୩ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା । ଅଣସଂଗଠିତ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ବୀମା । ସ୍କୁଲରେ ଡ୍ରପ୍ ଆଉଟ ରୋକିବାକୁ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କାର ସହାୟତା ରାଶି ଦିଆଯିବ ।
ଦୁଇଥର ପଦ୍ମ, ଦୁଇଗୁଣା ବିକାଶ । ସଂକଳ୍ପରୁ ‘ସିଦ୍ଧି’ ହିଁ ଆମର ଲକ୍ଷ୍ୟ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।